ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗୁଜୁରାଟ ଏବଂ ରାଜସ୍ଥାନରେ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା କାଳରେ ଆୟୁର୍ବେଦ ଦେଶର ହିତ କରିଛି । ଗୁଜୁରାଟ ଜାମନଗରରେ ଆୟୁର୍ବେଦ ଶିକ୍ଷାଦାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନକୁ ଜାତୀୟ ପ୍ରତିଷ୍ଠାନର ମାନ୍ୟତା ଦିଆଯାଇଛି । ଏହାସହ ଜୟପୁରରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନକୁ ସମ୍ମାନଜନକ ବିଶ୍ବବିଦ୍ୟାଳୟର ମନ୍ୟତା ମଧ୍ୟ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ସାରା ବିଶ୍ବରେ କରୋନା ଟିକାର ଟ୍ରାଏଲ ଚାଲିଛି । ଏହାସହ କରୋନା ପାଇଁ ସାରା ବିଶ୍ବର ପ୍ରାୟ ଶହେରୁ ଅଧିକ ସ୍ଥାନରେ ଆୟୁର୍ବେଦର ଔଷଧିକୁ ନେଇ ଗବେଷଣା ମଧ୍ୟ ଚାଲିଛି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ‘ଏହା ସର୍ବଦା ଏକ ପ୍ରତିଷ୍ଠିତ ସତ୍ୟ ଯେ ଭାରତରେ ସ୍ବାସ୍ଥ୍ୟ ସହ ଜଡିତ ଏକ ବିରାଟ ଐତିହ୍ୟ ରହିଛି। ପୁସ୍ତକ, ଶାସ୍ତ୍ର ଏବଂ ଜେଜେବାପା-ଜେଜେମା’ଙ୍କ ଟିପ୍ସ, ଆଧୁନିକ ଆବଶ୍ୟକତା ଅନୁଯାୟୀ ଏହି ଜ୍ଞାନକୁ ବିକଶିତ କରିବାର ଆବଶ୍ୟକତା ରହିଛି । ସମୟ ବଦଳିବା ସହିତ ଆଜି ସବୁକିଛି ଇଣ୍ଟିଗ୍ରେଟ୍ ହେଉଛି । ସ୍ବାସ୍ଥ୍ୟ ମଧ୍ୟ ଏଥିରୁ ଭିନ୍ନ ନୁହେଁ। ଏହି ଚିନ୍ତାଧାରା ସହିତ ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଇଣ୍ଟିଗ୍ରେଟ୍ କରିବା ପାଇଁ ଦେଶ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି । ଏହି ଚିନ୍ତାଧାରା ଆୟୁଷକୁ ଦେଶର ସ୍ବାସ୍ଥ୍ୟ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ କରିପାରିଛି।’