ଭୁବନେଶ୍ୱର (ଏସ୍ ନ୍ୟୁଜ) : ‘ବନ୍ଦେ ଉତ୍କଳ ଜନନୀ’ କବିତାଟି ଏଣିକି ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ । ଏହି କାଳଜୟୀ କୃତୀକୁ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ପଢ଼ିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ।
ସୂଚନା ଅନୁସାରେ , ରାଜ୍ୟ ସରକାର ଗତ ମଇ ୩୦ ତାରିଖରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବା ପରେ ସ୍କୁଲମାନଙ୍କରେ ଏହାକୁ ଗାନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଭାବକୁ ସୁଦୃଢ଼ କରିବା ସହିତ ଓଡ଼ିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।