କଟକ(ଏସ୍ ନ୍ୟୁଜ) : ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ଓଡ଼ିଶା ହାଇକୋର୍ଟ ନୋଟିସ କରିଛି । ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି କ୍ରୟ କରିଥିବା ୬ ଜଣ କ୍ରେତାଙ୍କୁ ମଧ୍ୟ ଏହି ନୋଟିସ ଜାରି ହୋଇଛି। ରାଜସ୍ୱ ବିଭାଗର ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡ଼ିଶା ସେତୁ ନିର୍ମାଣ ନିଗମ, ପୁରୀ ମୁପୌର ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରୀ କରାଯାଇଛି।

ଏହା ସହ ପୁରୀ ଜିଲାପାଳ ଓ ତହସିଲଦାର ଜବାବ ଦାଖଲ କରିଥିବା ବେଳେ ଆବେଦନକାରୀ ପ୍ରତି ଜବାଵ ଦାଖଲ କରିବାକୁ ଅଦାଲତ କହିଛନ୍ତି। ଉଭୟ ପକ୍ଷଙ୍କ ଜବାବ ଓ ପ୍ରତିଜବାଵ ଦାଖଲ କରିବା ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ରଙ୍କ ପକ୍ଷରୁ ପୃଥକ ପୃଥକ ମାମଲା ହୋଇଥିବା ବେଳେ ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଥିଲା।
ଅନ୍ୟପଟେ ବଗଲା ଧର୍ମଶାଳା ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବାର ପ୍ରୟାସ ଜାରି ରଖିଛି । ଦାନସୂତ୍ରରେ ମିଳିଥିବା ଜମିକୁ ଜିଲ୍ଲା ପ୍ରଶାସନ ପ୍ଲଟିଂ କରି ବିକ୍ରି କରିବାର ଅପପ୍ରଚେଷ୍ଟା କରିଛି ଓ ଏହା ଆଇନସମ୍ମତ ନୁହେଁ ବୋଲି କହି ବିଜେପି ଆନ୍ଦୋଳନ କରିବା ସହ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛି ।