ନୂଆଦିଲ୍ଲୀ: ୨୬%ରୁ ଅଧିକ ବିଦେଶୀ ପୁଞ୍ଜି ବିନିଯୋଗ କରିପାରିବେ ନାହିଁ ଡିଜିଟାଲ୍ ମିଡିଆ । ୨୦୨୧ ଅକ୍ଟୋବର ସୁଦ୍ଧା ଡିଜିଟାଲ୍ ମିଡିଆ କମ୍ପାନିମାନେ ତାହାକୁ ହ୍ରାସ କରିବା ଲାଗି ସୋମବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଦେଶ ଜାରି କରିଛନ୍ତି। ଏହି ଆଦେଶନାମାରେ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ନିୟମାବଳୀର ପ୍ରକ୍ରିୟା ଏବଂ ମାନଦଣ୍ଡ ନିର୍ଦ୍ଧାରିତ ହୋଇଛି।

ସରକାରଙ୍କ ଆଦେଶ ଅନୁସାରେ, ୨୬%ରୁ କମ୍ ବିଦେଶୀ ବିନିଯୋଗ ଥିବା ଡିଜିଟାଲ୍ ମିଡିଆ ଗ୍ରୁପ୍ମାନେ ଏକ ମାସ ମଧ୍ୟରେ ସେମାନଙ୍କର ‘ସେୟାର୍ହୋଲ୍ଡିଙ୍ଗ୍ ପ୍ୟାଟର୍ଣ୍ଣ’ ବାବଦରେ ପୂର୍ଣ୍ଣ ବିବରଣୀ ଦାଖଲ କରିବେ। ଏହାଛଡ଼ା, ସେମାନେ ଡାଇରେକ୍ଟର୍, ପ୍ରମୋଟର୍ ଏବଂ ସେୟାର୍ହୋଲ୍ଡର୍ଙ୍କ ସମ୍ବନ୍ଧରେ ମଧ୍ୟ ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ।
୨୦୨୧ ଅକ୍ଟୋବର ୧୫ ତାରିଖ ସୁଦ୍ଧା ସେମାନଙ୍କର ବିଦେଶୀ ପୁଞ୍ଜି ବିନିଯୋଗକୁ ୨୬%କୁ ହ୍ରାସ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅନୁମୋଦନ ପାଇଁ ଆବେଦନ କରିବେ ବୋଲି ସୋମବାର ଦିନ ମନ୍ତ୍ରାଳୟର ଅନୁସଚିବ ଅମରେନ୍ଦ୍ର ସିଂହଙ୍କଦ୍ବାରା ଜାରି ଏହି ଆଦେଶନାମାରେ ଉଲ୍ଲେଖ ଅଛି।
ଏହା ବ୍ୟତିରେକେ, ଯେଉଁ ଡିଜିଟାଲ୍ ମିଡିଆ କମ୍ପାନିମାନେ ନୂଆ କରି ଦେଶକୁ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବେ ସେମାନେ ‘ଡିପିଆଇଆଇଟି’ର ‘ଫରେନ୍ ଇନ୍ଭେଷ୍ଟମେଣ୍ଟ୍ ଫେଲିସିଏସନ୍ ପୋର୍ଟାଲ୍’ ଜରିଆରେ କେନ୍ଦ୍ର ସରକାରଙ୍କ ଠାରୁ ଆଗୁଆ ଅନୁମୋଦନ ପାଇଁ ଆବେଦନ କରିପାରିବେ। ଏହାଛଡ଼ା, ଯେଉଁ ଡିଜିଟାଲ୍ ମିଡିଆ କମ୍ପାନିମାନେ ୬୦ ଦିନରୁ ଅଧିକ ସମୟ ଲାଗି କୌଣସି ବିଦେଶୀ କର୍ମଚାରୀ ନିଯୁକ୍ତ କରିବାକୁ ଇଚ୍ଛୁକ ସେମାନେ ମଧ୍ୟ ସମ୍ପୃକ୍ତ ବିଦେଶୀଙ୍କ ସକାଶେ ଆଗୁଆ ‘ସିକ୍ୟୁରିଟି କ୍ଲିଅରାନ୍ସ୍’ ହାସଲ କରିବେ।