ପଶ୍ଚିମବଙ୍ଗରୁ ମହାଠକକୁ ଗିରଫ କଲା କୋରାପୁଟ ପୁଲିସ

କୋରାପୁଟ: କୋରାପୁଟର ଜଣେ ଯୁବତୀଙ୍କ ସମେତ ଆହୁରି କିଛି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଅଂଚଳରୁ ମଳୟ ମାଇତି ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । 

କମ୍ପାନୀରେ ଚାକିରି କରିବା ଆଶାରେ ଗୋଟିଏ ଦୈନିକ ଖବରକାଗଜରେ ପ୍ରକାଶିତ ବିଜ୍ଞାପନ ଦେଖି ବୋରିଗୁମ୍ମାର ମାନସୀ ମିଶ୍ର ଯୋଉ ନମ୍ବରକୁ ଫୋନ୍‌ କଲେ, ତାହା ମଳୟ ମାଇତିଙ୍କର ନମ୍ବର ଥିଲା ।

ମାନସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ମଳୟ ପ୍ରାୟ ୧୦/୧୨ ଜଣ ବ୍ୟକ୍ତିଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କା ଚଳୁ କରିଥିଲା । ଟଙ୍କା ପାଇଯିବା ପରେ ମଳୟ ଆଉ ମାନସୀଙ୍କ ଫୋନ୍‌ ରିସିଭ୍‌ କଲାନି । ଅନ୍ୟ ବାଟ ନପାଇ ମାନସୀ ପୁଲିସଙ୍କ ନିକଟରେ ଅଭିଯୋଗ କରିଥିଲେ ।

ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିଛନ୍ତି । ଅଭିଯୁକ୍ତ ନିକଟରୁ ୨ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ଓ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଜବତ କରିଛି ପୁଲିସ ।