ନୀତୀଶଟା ଭାରି କପାଳିଆ; ଆରଜେଡି ସଂକଟକୁ ଜିତିଗଲା

ପାଟନା: ମଉକା ଦେଖି ଦଳ ଛାଡ଼ିବା ଓ କୁଣ୍‌ଢେଇବା କଳାଟି ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଭଲ ଭାବରେ ଜଣା  । ଖାସ୍‌ ସେଇଥିପାଇଁ ବିହାର ଜନତାଙ୍କୁ ବଶୀଭୂତ କରି ବେଶ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନଟାକୁ ଜାବୁଡ଼ି ରଖିପାରିଛନ୍ତି  ।

ଭାରତୀୟ ରାଜନୀତିରେ ଦୁଇଜଣ ବାଦୁଡ଼ି ପ୍ରଜାତିର ରାଜନେତା ହେଉଛନ୍ତି ରାମବିଳାସ ପାଶୱାନ ଓ ନୀତୀଶ କୁମାର  । ଦୁହେଁ ବିହାର ନିବାସୀ  ।ସୋମବାର ଦିନ ବିହାର ବିଧାନସଭାରେ ଆରଜେଡିର ସବୁ ରଣନୀତିକୁ ବିଫଳ କରି ଆସ୍ଥା ଭୋଟରେ ଜିତିଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର  ।

ସୂଚନା ମୁତାବକ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆସ୍ଥା ଜିତିବା ପାଇଁ ନୀତୀଶ କୁମାରଙ୍କୁ ୧୨୨ଟି ବିଧାୟକଙ୍କ ସମର୍ଥନ ଦରକାର ଥିଲା  । ନୀତୀଶଙ୍କ ଭାଗରେ ୧୨୫ଟି ଭୋଟ ପଡ଼ିଛି  । ମାତ୍ର ୧୫ ଦିନ ତଳେ ଆରଜେଡିକୁ ଏଡ଼ାଇ ଦେଇ ବିଜେପିକୁ ଜାବୁଡ଼ି ଧରିଥିଲେ ନୀତୀଶ  ।

ଉପା’କୁ ଇଣ୍ଡିଆ କରି ଦେଇ ତାକୁ ରାହୁଲଙ୍କ ହାତରେ ଧରାଇ ଦେଇ ନୀତୀଶ ଏବେ ବିଜେପି ଗୋଠରେ  । ଶୁଣିବାକୁ ମିଳୁଛି, ଇଣ୍ଡିଆ ଗୋଠରେ କଂଗ୍ରେସ ତା’ର ମୁରବି ପଣିଆକୁ ନୀତୀଶ ହଜମ କରି ପାରିଲେନି  । ନୀତୀଶ-କେଜ୍ରିୱାଲ, ନୀତୀଶ-ମମତାଙ୍କ ଭିତରେ ବୁଝାମଣା ଠିକ୍‌ ହୋଇ ପାରିଲାନି  । ଇଣ୍ଡିଆ ମେଂଟରୁ ସେଭଳି କିଛି ଲାଭ ହାସଲ କରିବାର ବାସ୍ନା ନୀତୀଶଙ୍କ ନାକରେ ବାଜିଲାନି  । ତେଣୁ ବିଜେପି ଗୋଠକୁ ପଳାଇବା ଉଚିତ ମଣିଲେ  ।