ଦ୍ୱାରକାରେ ପାପମୋଚନ ପୂଜା ସାରି ପ୍ରଧାନମନ୍ତ୍ରୀ ମୋଦୀ ଭାରି ଖୁସି
ଦ୍ୱାରକା: ଜାଣତରେ ଅବା ଅଜାଣତରେ କରିଥିବା ଦୋଷରୁ ମୁକ୍ତ ହେବା ପାଇଁ ଦ୍ୱାରକାରେ ପୂଜାର୍ଚ୍ଚନା କରି ନୂଆଦିଲ୍ଲୀ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ତୃତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ଉଦ୍ଦେଶ୍ୟରେ ରାଜକୋଷକୁ ଖାଲି କରିଦେବା ପାଇଁ ପଛାଉ ନାହାନ୍ତି । ଅଯୋଧ୍ୟାର ଅଧାଗଢ଼ା ମନ୍ଦିରରେ କୈଶୋର ଶ୍ରୀରାମଙ୍କୁ ପ୍ରତିଷ୍ଠା କରିବା ପରେ ସୁଦ୍ଧା କୋଉଠି ନା କୋଉଠି ଆଧ୍ୟାତ୍ମିକ ତେଜ କମି ଯାଉଥିବା ଭାବନା ମୋଦିଜୀଙ୍କୁ ଅଥୟ କରୁଛି । ତେଣୁ ପ୍ରଭୁ ରାମଚନ୍ଦ୍ରଙ୍କ ଆଶୀର୍ବାଦ ସାଙ୍ଗକୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଲୋଡ଼ିବା ପାଇଁ ମୋଦିଜୀ ରବିବାର ଦିନ ଅଗଭୀର ସମୁଦ୍ରରେ ବୁଡ଼ ପକାଇ ରସାତଳଗାମୀ ଦ୍ୱାରକା ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଛନ୍ତି ।
ନେହୁରୁଙ୍କ ପରଠାରୁ କୌଣସି ରାଜନେତା କ୍ରମାଗତ ତିନିଥର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ପାଇନାହାନ୍ତି । ତୃତୀୟ ପାଳି ପ୍ରଧାନମନ୍ତ୍ରୀ ହୋଇ ମୋଦିଜୀ ନେହୁରୁଙ୍କ ରେକର୍ଡ ସମକକ୍ଷ ହେବାକୁ ବାହାରିଛନ୍ତି । ନେହୁରୁ ଯେପରି ପ୍ରଧାନମନ୍ତ୍ରୀ ହେବା ପରେ ନିଜକୁ ସବୁଠାରୁ ବୁଦ୍ଧିଆ ମଣୁଥିଲେ । ପୂର୍ବତନ ରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ ମତାମତକୁ ମଧ୍ୟ ନେହୁରୁ ଗୁରୁତ୍ୱ ଦେଉ ନଥିଲେ । ଏବେ ମୋଦିଜୀଙ୍କ ମାନସିକ ଅବସ୍ଥା ପ୍ରାୟ ସେଇଆ ।
ଶୁଣିବାକୁ ମିଳୁଛି, ସମୁଦ୍ରରେ ବୁଡ଼ ପକାଇ ମୋଦିଜୀ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ମୟୁର ପରଟିଏ ଅର୍ପଣ କରିଛନ୍ତି । ଦ୍ୱାରକା ଗସ୍ତ ଅବସରରେ ଗୁଜରାଟ କୋଳକୁ ରାଜକୋଷରୁ ୪୮ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପ ଅଜାଡ଼ି ଦେଇଛନ୍ତି ।