ବିଦ୍ୟାଳୟର ପୂର୍ବତନ ସଭାପତିଙ୍କୁ ସଶ୍ରମ କାରାଦଣ୍ଡ, ଜରିମାନା
ଫୁଲବାଣୀ: ଏକ ଭିଜିଲାନ୍ସ ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଅଭିଯୁକ୍ତ ମନୋଜ ପ୍ରଧାନକୁ ଦୋଷୀ ପ୍ରମାଣିତ କରି ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା ଦେବାକୁ ଆଦେଶ ପ୍ରଦାନ କରିଛନ୍ତି । ଆସାମୀ ମନୋଜ ପ୍ରଧାନ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ସିକାବାଡ଼ି ପ୍ରାଇମେରୀ ବିଦ୍ୟାଳୟ କମିଟିର ପୂର୍ବତନ ସଭାପତି ଥିଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।
ଜରିମାନା ବାବଦକୁ ୧୦ ହଜାର ଟଙ୍କା ଦାଖଲ କରି ନପାରିଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ।
ସୁନ୍ଦରଗଡ଼ ଜିଲ୍ଲାର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ପୂର୍ବତନ ତହସିଲଦାର କପିଳେନ୍ଦ୍ର ନାୟକଙ୍କୁ ଦୁଇଟି ମାମଲାରେ ଅଲଗା ଅଲଗା ରାୟ ଶୁଣାଇଛନ୍ତି । ଗୋଟିଏ ମାମଲାରେ ତାଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଓ ୩୦୦୦ ଟଙ୍କା ଜରିମାନା ଦେବାକୁ ଆଦେଶ ପ୍ରଦାନ କରିଛନ୍ତି । ଜରିମାନା ରାଶି ଅନାଦାୟେ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି ।
ଦ୍ୱିତୀୟ ମାମଲାରେ ଆସାମୀ ନାୟକଙ୍କୁ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ପଇଠ କରିବାକୁ କୁହାଯାଇଛି । ଜରିମାନା ପଇଠ ନକଲେ ଅତିରିକ୍ତ ୨ ମାସ ଜେଲ ଭୋଗିବାକୁ କୁହାଯାଇଛି ।