ବିଲ୍ ଗେଟ୍ସଙ୍କ ଦୃଷ୍ଟିରେ ‘ନବୀନ ଓଡ଼ିଶା’ ଟା ‘ନ ବିନା ଓଡ଼ିଶା’ ନହେଉ
ଭୁବନେଶ୍ୱର: ବିଦେଶରେ ଆମକୁ ଭିକାରୀ ବୋଲାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ଭିକ ଆଣୁଛନ୍ତି, ସେଥିରୁ କେତେ ଦଳୀୟ ଓ ସରକାରୀ ଭୂତପ୍ରେତ, ଡାହାଣୀ, ଚିରୁଗୁଣୀ, ବେତାଳମାନଙ୍କୁ ଦେଉଛନ୍ତି, କେତେ ବସ୍ତି ଲୋକଙ୍କୁ ଦେଉଛନ୍ତି; ସେସବୁର ଟିକିନିଖି ହିସାବ ସାଢେ଼ ଚାରିକୋଟି ଜନତାଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁନ୍ଥାଉଛନ୍ତି । ଏପରି କାହିଁକି?
ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା କୋଟିପତିଙ୍କ କୋଟିପତି ବିଲ ଗେଟ୍ସ ଓଡ଼ିଶା ସରକାରଙ୍କ ଅତିଥି ହୋଇ ଭୁବନେଶ୍ୱରକୁ ଆସିଲେ । ରାଜଧାନୀର ମା’ ମଙ୍ଗଳା ବସ୍ତି ଉପରେ କୃପାଦୃଷ୍ଟି ପକାଇ ଆପଣା ବାଟରେ ଚାଲିଗଲେ ।
ଶୁଣିବାକୁ ମିଳୁଛି, ବିଲ ଗେଟ୍ସଙ୍କ ଭିକରେ ମା’ ମଙ୍ଗଳା ବସ୍ତିଟିର ଭେକ ବଦଳାଇଛନ୍ତି ନବୀନ ସରକାର ।
ନିର୍ବାଚନ ପୂର୍ବରୁ ରାଜଧାନୀର ଗୋଟିଏ ବସ୍ତିକୁ ଜଣେ ବିଦେଶୀ କୋଟିପତିଙ୍କୁ ବୁଲାଇବା ପଛରେ ବିଜେଡି ମୁଖିଆଙ୍କ ଅସଲ ଅଭିପ୍ରାୟ କ’ଣ? ତାହା ଏକା ପାଣ୍ଡିୟାନଙ୍କୁ ଜଣା ।
ଜଣେ ସରକାରୀ ଟ୍ରାନ୍ସଲେଟରଙ୍କ ଜରିଆରେ ବିଲ ଗେଟ୍ସ ମା’ ମଙ୍ଗଳା ବସ୍ତିର ଲୋକଙ୍କ ସହିତ କଥା ହୋଇଥିବା ବିଷୟ ଆମ କାନରେ ପଡ଼ିଲା । ଓଡ଼ିଆ ଭାଷା ସଂପର୍କରେ ଆମ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆପଣମାନଙ୍କୁ ଜଣା । ଯୋଉ ଅନୁବାଦକ ଜଣକ ବିଲ ଗେଟ୍ସ ଓ ବସ୍ତିର ମା’ମାନଙ୍କ ଭାବ ବିନିମୟର ସେତୁ ପାଲଟିଥିଲେ; ସେ ‘କୁଆ ଉଡ଼ିଗଲା’ କୁ ‘ଛୁଆ ଉଡ଼ିଗଲା’ କହିଥିଲେ ତାକୁ ବିଲ୍ କିପରି ଅର୍ଥ କରିବେ; ସେ ବିଷୟ ଆପଣମାନେ ବୁଝି ପାରୁଥିବେ ।