ଗାଜା ଅଂଚଳରେ ସ୍ଥଳଯୁଦ୍ଧ ବନ୍ଦ କରିବ ଇସ୍ରାଏଲ?

ଜେନେଭା: ଗାଜାର ଦକ୍ଷିଣାଂଚଳ ରାଫା ସହରରେ ଇସ୍ରାଏଲ ପଦାତିକ ବାହିନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଭୟଙ୍କର ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ପାଇଁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ଇସ୍ରାଏଲ ପକ୍ଷରୁ ଆରମ୍ଭ ସ୍ଥଳଯୁଦ୍ଧରେ ପ୍ରାୟ ଦେଢ଼କୋଟି ଲୋକଙ୍କ ଜୀବନ ପ୍ରତି ମହାବିପଦ ସୃଷ୍ଟି ହୋଇଛି ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରିୟେସୁସ ।

ଦୀର୍ଘଦିନ ଧରି ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରୁ ରକେଟ୍‌ ମାଡ଼ କରାଯିବା ଫଳରେ ଗାଜା ଅଂଚଳ ଏକପ୍ରକାର ଧ୍ୱଂସ ହୋଇଯାଇଛି । ଲକ୍ଷାଧିକ ଘର ଭାଙ୍ଗିଯାଇଛି, ହଜାର ହଜାର ନିରୀହ ଲୋକ ଖଣ୍ଡିଆ ଖାବରା ହୋଇଛନ୍ତି । ଲକ୍ଷାଧିକ ଲୋକଙ୍କ ପେଟପାଟଣା ଉଜୁଡ଼ି ଯାଇଛି । ଇସ୍ରାଏଲ ହମ୍‌ଲାରୁ ବିଦ୍ୟାଳୟ, ଡାକ୍ତରଖାନା, ଧାର୍ମିକ କେନ୍ଦ୍ର ଓ ଥଇଥାନ ଶିବିର ମଧ୍ୟ ତ୍ରାହି ପାଇନାହାନ୍ତି ।

ରାଫା ସହରରେ ପ୍ରାୟ ୧୫ ଲକ୍ଷ ପାଲେଷ୍ଟିନୀୟ ବାସହରା ଆଶ୍ରୟ ନେଇଛନ୍ତି । ସ୍ଥଳଯୁଦ୍ଧ କାରଣରୁ ସେମାନଙ୍କୁ ଖାଦ୍ୟ, ବସ୍ତ୍ର, ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବପର ହୋଇପାରିବନି ବୋଲି ଘେବ୍ରେୟେସୁସ କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକୁ ଇସ୍ରାଏଲ କେତେଦୂର ପାଳନ କରିବ; ତା’ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି ।