ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜଧାନୀରେ ରାଜରାସ୍ତାରେ ପୁଣି ଦେଖିବାକୁ ମିଳିଛି ଟ୍ରାଫିକ ପୋଲିସର ମହନୀୟତା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ବରସ୍ଥିତ ଜାଭିୟର ଛକରେ। ସେଠାରେ ଜଣେ ମହିଳା ଟ୍ରାଫିକ୍ କନେଷ୍ଟବଳ ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କ ପାଦ ଧରି ବ୍ୟାଣ୍ଡେଜ କରୁଥିବା ଦେଖିବାକୁ ମିଳିଛି। ସେହି ଟ୍ରାଫିକ୍ କନେଷ୍ଟବଳ ଜଣକ ହେଉଛନ୍ତି ପ୍ରିୟଙ୍କା ବରୱା। ଏହି ବେଳର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଥିବା ବେଳେ ସବୁ ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

ଏହାକୁ ନେଇ ମହିଳା ଟ୍ରାଫିକଙ୍କ ବୁଦ୍ଧି ଓ ମହାନତା ପାଇଁ ଚାରି ଆଡୁ ପ୍ରଶଂସା କରାଯାଇଛି ଏହାସହ ପୋଲିସ କମିଶନର ମଧ୍ୟ ମହିଳା ଟ୍ରାଫିକ ପୋଲିସଙ୍କ ସହ କଥା ହୋଇ ସବାସୀ ଦେଇଛନ୍ତି ।
ଜଣେ ପୋଲିସ ହେବା ପୂର୍ବରୁ ଏକ ଦାୟିତ୍ୱବାନ ମଣିଷ ହିସାବରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ହେଉଛି ପୋଲିସ୍ର ପ୍ରଥମ କର୍ତ୍ତବ୍ୟ। ଆଉ ଏହି କର୍ତ୍ତବ୍ୟର ନିଦର୍ଶନ ଦେଖାଇଛନ୍ତି ପ୍ରିୟଙ୍କା। ଲୋକଙ୍କ ସେବାରେ ନିୟୋଜିତ କର୍ତ୍ତବ୍ୟର ସେ ଦେଖାଇଛନ୍ତି ସଠିକ ରୂପାୟନ । ଯାହା ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ ଏକ ପରିଚୟ ଦେଇଛି ।
ଏହା ପୂର୍ବରୁ ରାଜ୍ୟରେ ଏପରି ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ଭୁବନେଶ୍ଵର ନବୀନ ନିବାସ ନିକଟ ଏୟାରପୋର୍ଟ ଛକରେ ଜଣେ ଟମାଟୋ ବେପାରୀ ଟମାଟୋ ଝୁଡି ସବୁ ନେଇକି ଯାଉଥିବା ବେଳେ ହଠାତ୍ ରୋଡ ମଝିରେ ଓଲଟି ପଡିଥିଲା। ଟମାଟୋ ସବୁ ରୋଡ ମଝିରେ ବିଛେଇ ହୋଇଥିବା ଦେଖି ସେଠାରେ ଥିବା ଟ୍ରାଫିକ୍ ପୋଲିସ ଆସି ସହାୟତାର ହାତ ବଢାଇଥିଲେ। ଟ୍ରାଫିକ୍ ପରିଚାଳନା କରିବା ସହ ଟମାଟୋ ଗୋଟାଇବାରେ ମଧ୍ୟ ସାହାଯ୍ୟ କରିଥିଲେ।

ସେହିପରି ଆଉ ଗୋଟିଏ ଦୃଶ୍ୟ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା। କଟକ ଶିଖରପୁର ଛକରେ ଜଣେ ପୋଲିସ କର୍ମଚାରୀ ଲୋକଙ୍କ ସୁରକ୍ଷା ଯାତ୍ରା ପାଇଁ ରାସ୍ତାରେ ପଡିଥିବା ଗୋଟି ମାଟି କୁ ଝାଡୁ କରିଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ବହୁ ମାତ୍ରାରେ ଭାଇରାଲ୍ ହୋଇଥିଲା। ତାଙ୍କ ନାମ ହେଉଛି ଲଳିତ ମୋହନ ରାଉତ। କଟକ ଟାଉନ ଟ୍ରାଫିକ୍ ରେ ସେ କାମ କରନ୍ତି। ଓଡିଶା ବାହାରେ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଇଥିଲା। ଏଥିସହିତ କଟକରେ ଜଣେ ବୃଦ୍ଧ ମହିଳା ପ୍ରବଳ ବର୍ଷାରେ ଓଦା ହୋଇ ଘରକୁ ଫେରୁଥିବା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଟ୍ରାଫିକ୍ ପୋଲିସ। ଛତା ଦେଖାଇ ଉକ୍ତ ବୃଦ୍ଧ ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥାନରେ ଛାଡିଥିଲେ।