ନୂଆଦିଲ୍ଲୀ : ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ ଯୋଗୁଁ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଆଜି ପ୍ରାୟ ଦିନ ୧୧ଟା ବେଳେ ପଶ୍ଚିମବଙ୍ଗର ମାଲ୍ଦା ଜିଲ୍ଲାର ସୁଜାପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ ଘଟିଛି । ଏଥିରେ କେତେଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ମାଲଦା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ସହ ବ୍ୟାପକ ପୁଲିସ ପଠାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । କାରଖାନାରେ ବ୍ୟବହୃତ ଇଲେକ୍ଟ୍ରିକାଲ୍ ମେସିନ୍ଗୁଡ଼ିକରୁ ଗୋଟିକରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ମାଲଦା ଏସ୍ପି ଆଲୋକ ରାଜରାୟ କହିଛନ୍ତି,କାରଖାନାରେ ଥିବା ୪୫ ଅଶ୍ବଶକ୍ତିସମ୍ପନ୍ନ ଏକ ବୈଦ୍ୟୁତିକ ମେସିନ୍ରେ କିଛି ବୈଷୟିକ ତ୍ରୁଟିଯୋଗୁଁ ବିସ୍ଫୋରଣ ଘଟିଛି।
ଅନ୍ୟପଟେ ମୃତବ୍ୟକ୍ତିଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତମାନଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ପରିସ୍ଥିତିର ସମୀକ୍ଷା ନିମନ୍ତେ ବରିଷ୍ଠ ମନ୍ତ୍ରୀ ଫାର୍ହଦ୍ ହକିମ୍ଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।