ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁଲିସ୍ ହେପାଜତରେ ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶଙ୍କ ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଗତକାଲି ପୁରୀ ସହରରେ ଦେଖାଯାଇଥିଲା ଉତ୍ତେଜନା । ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ । ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍ଚାର୍ଜ ଏସ୍ ପ୍ରବୀଣ କୁମାର । ପୁରୀରେ ଏସ୍ପି, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସେଳି ସାହି ଥାନା ପୁଲିସ୍ ନାଁରେ ଆସିଥିବା ଅଭିଯୋଗକୁ ବୁଝିବା ସହ ଜାତୀୟ ମାନବଧିକାର କମିଶନଙ୍କ ଗାଇଡଲାଇନ୍କୁ ଅନୁସରଣ କରିବାକୁ କହିଛନ୍ତି ଆଇଜି ।
ସୂଚନାଥାଉକି, ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କୁ ପୁଲିସ୍ ଉଠାଇ ନେଇଥିବା ବେଳେ ପରିବାର ଲୋକଙ୍କୁ ମିଳିଲା ପୁଅ ମୃତ୍ୟୁର ଖବର । ଏପରିକି ଅଧିକ ଉତ୍ତେଜନା ଆଶଙ୍କାରେ ତରବରିଆ ଭାବେ ମୃତକଙ୍କ ବାପାଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଗତକାଲି ପୁରୀ ସହର ଏକ ପ୍ରକାର ଋଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ୍ ଆଉ ଜନତାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । କାରଣ ବାସେଳିସାହି ପୁଲିସ୍ର ଥାର୍ଡ ଡିଗ୍ରୀ ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ସାଙ୍ଗକୁ ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ, ସମ୍ପର୍କୀୟ। ଜଣେ ସିଟିଂ ଜଜ୍ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଦାବିପତ୍ର ଦେଇଛି ବାର ଆସୋସିଏସନ୍ । ତାସହ ଆଇଆଇସିଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ଦାବି କରିଛି ।