ଭୁବନେଶ୍ୱର(ଏସ୍ ନ୍ୟୁଜ):ବିଭିନ୍ନ ରାଜ୍ୟରେ କରୋନା ଫେରୁଥିବା ବେଳେ ଓଡ଼ିଶା ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ସ୍ଥିତିରେ ଛୋଟ ଛୋଟ ଛୁଆଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସରକାର ସମଗ୍ର ରାଜ୍ୟରେ ୯ ହଜାର ସ୍କୁଲ ବନ୍ଦ କରିଛନ୍ତି। ମାତ୍ର ଏହାଦ୍ୱାରା ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୟଙ୍କର ବୋଲି କହିଛି ବିଜେପି। ଏହା ସହ ଯଦି ସରକାର ସଠିକ୍ ନିଷ୍ପତ୍ତି ନ ନେବେ ଆଗାମୀ ଦିନରେ ସମସ୍ତ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ଦଳ।
ତେବେ ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଉଥିବା ବେଳେ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ପିଲା। ସେଥିମଧ୍ୟରୁ ୬ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ୁଥିବା ଜଣାଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ସରକାର ଏ ସବୁ ତଥ୍ୟ ଲୁଚାଉଛନ୍ତି ବୋଲି ବିଜେପି ର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। ଏହା ସହ ସ୍କୁୁଲ ବନ୍ଦ ଯୋଗୁ ଅଧାରୁ ସ୍କୁଲ ଛାଡ଼ିବା ହାର ୮୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛି ଦଳ।ତେଣୁ ସରକାର ତୁରନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଚେତାବନୀ ଦେଇଛି। ଏଥିପାଇଁ ଦଳ ୧୫ ଦିନ ସମୟ ଦେଇଛି।
ଅନ୍ୟପଟେ ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ହାଜତ ମୃତ୍ୟୁ ମାମଲାକୁ ନେଇ ନାରାବାଜି କରିଥିଲେ ବିରୋଧୀ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପୁଣି ୩୦ ମିନିଟ୍ ପାଇଁ ଗୃହ ମୁଲତବୀ କରାଯାଇଛି । ଏହା ପୂର୍ବରୁ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ କରାଯାଇଥିଲା । ତେବେ ଗୃହକୁ ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।