ମୋହନ ସରକାରଙ୍କ ଐତିହାସିକ ନିଷ୍ପତି?

ଭିଆଇପିଙ୍କ ସୁରକ୍ଷା କବଚ ଭାବେ କାମ କରୁଥିବା ପୁଲିସ କର୍ମଚାରୀଙ୍କୁ ଏବେ ଜାତୀୟ ରାଜପଥ ଉପରୁ ବୁଲାଗୋରୁ ହଟାଇବା କାମ ଦିଆଯାଇଛି । ଜାତୀୟ ରାଜପଥ ଉପରେ ବୃଦ୍ଧି ପାଉଥିବା ଦୁର୍ଘଟଣା ପାଇଁ ବୁଲାଗୋରୁକୁ ଦାୟୀ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ରାସ୍ତା ଉପରକୁ ଗାଈ ଛାଡ଼ି ଦେଉଥିବା ଅପରାଧରେ ଖିର ବ୍ୟବସାୟୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବା କଟକଣା ଲାଗୁ କରିବା ଉଚିତ ବୋଲି ରାଜ୍ୟର ମୋହନ ସରକାର ବିଚାର କରୁନାହାନ୍ତି । ଗୋପାଳକ ଖିର ଦେଉଥିବା ଗାଈକୁ ଗୁହାଳରେ ବାନ୍ଧିବେ; ଖିର ଦେଉ ନଥିବା ଗାଈକୁ ରାସ୍ତା ଉପରକୁ ଘଉଡ଼ାଇ ଦେବେ ।

ବିଚରା ଗାଈଟି ରାସ୍ତାକଡ଼ରୁ ଘାସ, ଗଛଲତା, ପନିପରିବା ଦୋକାନରୁ ପଚାସଢ଼ା ପରିବା, ହୋଟେଲରୁ ତୋରାଣି, ପାଣି ପିଇ ରାସ୍ତା ଉପରେ ବିଶ୍ରାମ ନିଏ । ଏମିତି ବାରବୁଲା ଜୀବନ କାଟିବା ଭିତରେ ଗାଈଟି ଧିରେ ଧିରେ ବୁଲାଗୋରୁ ପରିଚୟ ପାଇଯାଏ ।

ରାଜ୍ୟ ରାଜପଥ, ଜାତୀୟ ରାଜପଥ ଅବା ଗଳିକନ୍ଦି ରାସ୍ତା ହେଉନା କାହିଁକି; ସବୁଠି ବୁଲାଗୋରୁ ବୁଲାକୁକୁର ରାଜୁତି । ଦିନରେ ରାସ୍ତା ଉପରେ ଗାଡ଼ିମଟର ଚଳାଚଳ କରୁଥିବା ସମୟରେ ବୁଲାକୁକୁର, ବୁଲାଗୋରୁ, ବୁଲାଷଣ୍ଢ ଅଚାନକ ରାସ୍ତା ଅତିକ୍ରମ କରିବାକୁ ଯାଇ ଦୁର୍ଘଟଣାର କାରଣ ହୋଇଥାନ୍ତି ।

ରାତିରେ ବୁଲାଗୋରୁ ବୁଲାକୁକୁର ବୁଲାଷଣ୍ଢ ରାସ୍ତା ଉପରେ ବିଶ୍ରାମ କରନ୍ତି । ସେହି ସମୟରେ ତୀବ୍ର ବେଗରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକର ଦୃଷ୍ଟି ହଠାତ୍‌ ବୁଲାଗୋରୁ ବୁଲାକୁକୁର ଓ ବୁଲାଷଣ୍ଢ ଉପରେ ପଡ଼ି ପାରେନା ।

ଦେଖୁ ଦେଖୁ ଆଖି ପିଛୁଳାକେ ଦୁର୍ଘଟଣା ଘଟିଯାଏ; ଦୁର୍ଘଟଣାରେ କେବଳ ଗାଡ଼ି ଆରୋହୀ ମୃତାହତ ହୁଅନ୍ତି ନାହିଁ । ଭାରୀଯାନ ଧକ୍କାରେ ବୁଲାଗୋରୁ ବୁଲାକୁକୁର ବୁଲାଷଣ୍ଡ ମଧ୍ୟ ଜୀବନ ହରାଇଥାନ୍ତି ।

ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଉପରେ ଏଭଳି ଦୁର୍ଘଟଣାର ମାତ୍ରା ସର୍ବାଧିକ ।

ଦୁର୍ଘଟଣା ପାଇଁ କେବଳ ବୁଲାଗୋରୁ ବୁଲାକୁକୁର ବୁଲାଷଣ୍ଡ ନୁହନ୍ତି, ବେଆଇନ ଗାଡ଼ି ପାର୍କିଂକୁ ମଧ୍ୟ ଦାୟୀ କରାଯାଉଛି । ରାସ୍ତାକଡ଼ରେ ଗାଡ଼ି ଠିଆ କରି ହାଟ ବଜାର, ଚା’ ଜଳଖିଆ ସେବନ, ସାଙ୍ଗସୁଖ କରିବା ଏକ ଅଭ୍ୟାସରେ ପଡ଼ିଗଲାଣି ।

‘ଆରେ ବାବୁ ରାସ୍ତାକଡ଼ରେ ଗାଡ଼ି ଠିଆ କରି ଅନ୍ୟମାନଙ୍କୁ କାହିଁକି ଅସୁବିଧାରେ ପକାଉଛ?’ ଟିପ୍ପଣୀରେ ଯୁବଗୋଷ୍ଠୀ ଅଚାନକ ରାଗିପାଚି ଲାଲ ହୋଇଯାନ୍ତି । ‘ରାସ୍ତା କ’ଣ ଆପଣଙ୍କ ବାପାର’ ଏମିତି କଡ଼ା ଶବ୍ଦ ଶୁଣିବା ଅପେକ୍ଷା ନିରବ ରହିବା ଉଚିତ ବୋଲି ବୁଦ୍ଧିଜୀବୀ ବା ଶିକ୍ଷିତ ଗୋଷ୍ଠୀ ଆପଣା ମହତ ରକ୍ଷା କରନ୍ତି ।

ଓଡ଼ିଶାରେ ବେପରୁଆ ଗାଡ଼ିଚାଳନା, ବେଆଇନ ଗାଡ଼ି ପାର୍କିଂ କାରଣରୁ ଦୁର୍ଘଟଣା ହାର ବୃଦ୍ଧି ପାଉଛି । ଯାଜପୁର, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲା ଭିତର ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି । ଉକ୍ତ ଜାତୀୟ ରାଜପଥ ଉପରେ ଦୈନିକ ୬/୭ଟି ଦୁର୍ଘଟଣା ଘଟୁଛି ।

ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ତାଲିକାର ଏକନମ୍ବରଟି ଭାରୀଯାନ ଚାଳକଙ୍କ ଭାଗରେ ପଡ଼ିଛି । ରାତି ଅବା ଦିନ, ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଟ୍ରକ ଛିଡ଼ା ହେବା ଫଳରେ ହାଲୁକା ଯାନ ଚଳାଚଳରେ ବାଧା ଉପୁଜୁଛି, ଦୁର୍ଘଟଣା ଘଟୁଛି ।

ବୁଲାଗୋରୁ ଷଣ୍ଢ ରାସ୍ତା ଉପରେ ବିଶ୍ରାମ କରୁଥିବା ସମୟରେ ମାଲବାହୀ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଉଛି । ଜାତୀୟ ରାଜପଥ ଉପରେ ଚକାତଳେ ଗୋରୁ ମରିବା ଦେହସୁହା ହୋଇଗଲାଣି ।

ତେଣୁ ଏସବୁ ରୋକିବା ପାଇଁ ପୁଲିସକୁ ଚୟନ କରାଯାଇଛି । ଟ୍ରାଫିକ ପୁଲିସ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବେ, ପୁଲିସ କର୍ମଚାରୀ ରାସ୍ତା ଉପରୁ ଗାଈଗୋରୁ ହଟାଇବେ । ରାଜ୍ୟରେ ଏବେ ବିଜେପି ସରକାର କ୍ଷମତାସୀନ । ବିଜେପିର କିଛି ଛାମୁଆ ସଂଗଠନ ଗୋରକ୍ଷକ ଭାବେ ଗୁରୁଦାୟିତ୍ୱ ତୁଲାଉଛନ୍ତି ।

ସେମାନଙ୍କୁ ଜାତୀୟ ରାଜପଥ ଉପରୁ ବୁଲାଗୋରୁ ହଟାଇବା କାମରେ ନିଯୁକ୍ତ କରା ଯାଇପାରନ୍ତା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ମୁଣ୍ଡରେ ସେକଥା ଜୁଟିବା କଥା ।

ଗୋରକ୍ଷକମାନେ କେବଳ ବେଆଇନ ଗୋରୁଚାଲାଣ ଟ୍ରକ ଅଟକାଇ ସେଥିରେ ଯାଉଥିବା ଗୋରୁଙ୍କ ଜୀବନ ରକ୍ଷା କରିବା ପାଇଁ ସଂକଳ୍ପବଦ୍ଧ ।

ରାଜ୍ୟ ରାଜପଥ ଅବା ଜାତୀୟ ରାଜପଥ ଉପରୁ ବୁଲାଗୋରୁ ହଟାଇ ସେମାନଙ୍କ ଜୀବନ ରକ୍ଷା କରିବା ଦାୟିତ୍ୱ ସେମାନଙ୍କର ନୁହେଁ ।

ଜଣେ ଗୋରକ୍ଷକ କହନ୍ତି ଯେ ସେମାନଙ୍କ ନିକଟକୁ ଉପରୁ ନିର୍ଦ୍ଦେଶ ଆସିଥାଏ, ନିର୍ଦ୍ଦେଶ ପାଇ ସେମାନେ ଏକଜୁଟ ହୋଇ ଜାତୀୟ ରାଜପଥ ଅବରୋଧ କରି ବେଆଇନ ଗୋରୁଚାଲାଣ ଟ୍ରକ ଅଟକାଇଥାନ୍ତି ଯାହାର ଆଭିମୁଖ୍ୟ କେବଳ ମିଡିଆ ଜରିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ।

ଏମିତି ବି ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ନିଯୁକ୍ତ ବହୁ ପୁଲିସ କର୍ମଚାରୀ ରାସ୍ତା ଉପରେ ବୁଲାଗୋରୁଙ୍କ ଅବାଧ ବିଚରଣକୁ ଅଟକାଇ ନଥାନ୍ତି; ଗାଡ଼ିଚାଳକ ଅତି ସତର୍କତାର ସହିତ ଗାଡ଼ି ଚଳାଇ ସେମାନଙ୍କ ବାଟରେ ଚାଲିଯାନ୍ତି । କିଛି ଟ୍ରାଫିକ ପୁଲିସ ବୁଲାଗୋରୁ ଜରିଆରେ ଟ୍ରାଫିକ ନିୟନ୍ତ୍ରଣ କରିଥାନ୍ତି ଯାହା ଟ୍ରାଫିକ ଆଇନକୁ ଉଲ୍ଲଙ୍ଘନ କରିଥାଏ; ମାତ୍ର ଉତୁପାତିଆ ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ବୁଲାଗୋରୁଙ୍କ ଅବାଧ ବିଚରଣ ଜରୁରୀ ବୋଲି କେହି କେହି ଯୁକ୍ତି କରନ୍ତି ।

ନିଶାସକ୍ତ ଗାଡ଼ିଚାଳକଙ୍କୁ ସାବାଡ୍‌ କରିବା ପାଇଁ ରାସ୍ତା ଉପରେ ବୁଲାଗୋରୁ ବିଚରଣ ଅବା ବିଶ୍ରାମକୁ ଆଇନ ସଂଗତ କରାଯିବା ଉଚିତ୍‌ । ରାଜ୍ୟର ମୋହନ ସରକାରଙ୍କ କ୍ୟାବିନେଟ୍‌ ଏମିତି ଏକ ଐତିହାସିକ ନିଷ୍ପତି ଦେବାର ଦୁଃସାହସ ଦେଖାଇବ ।