ନୂଆଦିଲ୍ଲୀ: ଆଜି ପୁଣିଥରେ ପାକିସ୍ତାନ ସେନା ସୀମା ଉଲ୍ଲଙ୍ଘନ କରି ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଗୁଳି ଗୁଳି ଚଳାଇଛନ୍ତି। ପାକିସ୍ତାନ ଏହି ଗୁଳିମାଡ଼ରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ପରେ ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।
ସେନା ପକ୍ଷରୁ କୁହାଯାଇଛି ଯେ ଆଜି ସକାଳୁ ପାକିସ୍ତାନ ପକ୍ଷରୁ ରଜୌରି ଜିଲ୍ଲା ସୁନ୍ଦରେବନି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକିସ୍ତାନର ଯବାନମାନେ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନା ଆଉଟ ପୋଷ୍ଟକୁ ଟାର୍ଗେଟ କରିଥିଲେ।ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ନାଏକ ପ୍ରେମ ବାହାଦୂର ଖତ୍ରୀ ଓ ରାଇଫଲ ମ୍ୟାନ୍ ସୁଖବୀର ସିଂହ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।
ଅନ୍ୟପଟେ ଗତକାଲି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଆର୍ମି ଜେସିଓ ପ୍ରାଣ ହରାଇଥିଲେ। ସେହିପରି ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ।