କଙ୍ଗନଙ୍କୁ କ୍ଷତିପୂରଣ ଦେବ ବିଏମସି-ବମ୍ବେ ହାଇକୋର୍ଟ-shaksi news

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଲିହିଲ ସ୍ଥିତ ଅଫିସକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି ) ଯେଉଁ ଭଳି ଢଙ୍ଗରେ ଭାଙ୍ଗିଛି, ତାହା ବେଆଇନ ବୋଲି କୋର୍ଟ କହିଛନ୍ତି। ଯେହେତୁ ତାଙ୍କ ଅଫିସ ଭାଙ୍ଗିବା ଉଦ୍ଦେଶ୍ୟ ପ୍ରଣୋଦିତ ତେଣୁ ବିଏମସିକୁ କ୍ଷତି ପୂରଣ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟର ଏହି ନିଷ୍ପତି ପରେ ବଡ଼ ଆଶ୍ୱସ୍ତି ମିଳିଛି ।

ମାମଲାରରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଜେ କଥୱାଲା ଓ ଜଷ୍ଟିସ ରିୟାଜ ଛଗଲାଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଫଟୋ ସବୁ ଦେଖିଛୁ। ପୂର୍ବରୁ ମଧ୍ୟ ସେଠାରେ ଏହି ଅଫିସ ଥିଲା। ଆମେ ଏଠି ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ କୋର୍ଟ ବେଆଇନ ନିର୍ମାଣକୁ କେବେ ହେଲେ ପ୍ରଶୟ ଦେଉନାହାନ୍ତି। ସେହିପରି ଆବେଦନକାରୀ ରାଜ୍ୟର ପରିବେଶକୁ ନେଇ ଦେଇଥିବା ବୟାନ ସହ ମଧ୍ୟ ଆମେ ଏକମତ ନାହୁଁ। ବରଂ ସେ ଏଭଳି ବୟାନର ଦୂରରେ ରୁହନ୍ତୁ ବୋଲି କୋର୍ଟ କହିଛି ।

ସବିଠାରୁ ବଡ଼କଥା ହେଲା ଆଇନକୁ ଏଠାରେ ଆଦୌ ପାଳନ କରାଯାଇ ନାହିଁ। ଯେହେତୁ ଉଚ୍ଛେଦ ବେଆଇନ, ତେଣୁ ଆବେଦନକାରୀ ମଧ୍ୟ କ୍ଷତିପୂରଣ ପାଇବାକୁ ଯୋଗ୍ୟ। କୋର୍ଟ କ୍ଷୟକ୍ଷତିର ଆକଳନ ପାଇଁ ଗୋଟିଏ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ରିପୋର୍ଟ ଦେବ। ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୋର୍ଟ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ସେପ୍ଟେମ୍ବର ୯ରେ ବିଏମସି ପକ୍ଷରୁ ବାନ୍ଦ୍ରା ସ୍ଥିତ କଙ୍ଗାନଙ୍କ ଅଫିସକୁ ଭଙ୍ଗା ଯାଇଥିଲା। ଭଙ୍ଗା ଆରମ୍ଭ ହେବା କ୍ଷଣି କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଏହା ଉପରେ ରୋକ ଲଗାଇଥିଲେ। ତେବେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଏମସି ଅଫିସର ୬୦ରୁ ୭୦% ଅଂଶ ଭାଙ୍ଗି ସାରିଥିଲା। ସେପ୍ଟେମ୍ବର ୧୫ରେ କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇ କ୍ଷୟକ୍ଷତି ବାବଦରେ ୨ କୋଟି ଟଙ୍କା ବିଏମସି ଠାରୁ ଆଦାୟ କରିବାକୁ କହିଥିଲେ। ଯାହାର ଶୁଣାଣି ଆଜି ହୋଇଛି।

ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ମତାମତର ପ୍ରତିକ୍ରିୟା ସ୍ୱରୂପ ତାଙ୍କ କାର୍ଯ୍ୟାଳୟକୁ ଆଂଶିକ ଭାଙ୍ଗି ଦିଆଯାଇଛି ବୋଲି କଙ୍ଗନା କରିଥିବା ଅଭିଯୋଗ ଉପରେ ମଧ୍ୟ ଅଦାଲତ ମନ୍ତବ୍ୟ ଦେଇଥିଲେ।

ଅଦାଲତଙ୍କ ରାୟ ପରେ କଙ୍ଗନା ତାଙ୍କ ଅନୁଗାମୀମାନଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, ସରକାରଙ୍କ ବିରୁଦ୍ଧାଚରଣ କରି ବ୍ୟକ୍ତିବିଶେଷ ବିଜୟ ହାସଲ କଲେ, ତାହା ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିଜୟ ନୁହେଁ ଗଣତନ୍ତ୍ରର ବିଜୟ। ମତେ ସାହସ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଏବଂ ମୋ ଭଗ୍ନସ୍ୱପ୍ନର ତାତ୍ସଲ୍ୟକାରୀଙ୍କୁ ବି ଧନ୍ୟବାଦ। ଆପଣମାନେ ଖଳନାୟକ ସାଜିବା କାରଣରୁ ମୁଁ ‘ହିରୋ’ ହୋଇ ପାରିଲି।