ମେଘାଳୟ ହନିମୁନ ହତ୍ୟା ମାମଲା

ହନିମୁନ୍ ଟ୍ରିପ୍‌ରେ ଯାଇଛନ୍ତି? ବରକନ୍ୟା ଏକାଠି ଗୋଟିଏ ହେଲେ ଫଟୋ ଉଠାଇ ନାହାନ୍ତି? କାରଣ କ’ଣ? ଏମିତି କିଛି ପ୍ରଶ୍ନର ଜବାବ ଖୋଜୁଛି ପୁଲିସ । ମେଘାଳୟ ପୁଲିସର ଏସ୍‌ଆଇଟି ଟିମ୍ କହିଛି, ନବବିବାହିତ ରାଜା ଓ ସୋନମ ରଘୁବଂଶୀ ହନିମୁନ ଟ୍ରିପରେ ଯାଇଛନ୍ତି, ମାତ୍ର ସେମାନଙ୍କ ସୋସିଆଲ ମିଡିଆ ଆକାଉଂଟରେ ଗୋଟିଏ ବି ହନିମୁନ୍ ଟ୍ରିପ୍ ଫଟୋ ସେୟାର କରାଯାଇନି । ଆଜିକାଲି ଲୁଚାଛପାରେ ହନିମୁନ୍ ବୁଲାବୁଲି! ପୁଲିସ ଦୃଷ୍ଟିକୁ ଏଡାଇବା ପାଇଁ ଏଭଳି ଉଦ୍ୟମ କରାଯାଇଛି? ହତ୍ୟାକାଣ୍ଡରେ ସାମିଲ ଚରିତ୍ରମାନେ ଭଲ ଭାବରେ ଜାଣନ୍ତି, ସେମାନଙ୍କ ଅପରାଧ ଦିନେ ନା ଦିନେ ପୁଲିସ ଦୃଷ୍ଟିରେ ପଡ଼ିବ ।

ଇନ୍ଦୋର ନିବାସୀ ରାଜା ରଘୁବଂଶୀ (୨୮)ଙ୍କୁ ଜୁନ ୨ ତାରିଖରେ ମେଘାଳୟର ପୂର୍ବ ଖାସି ଅନ୍ତର୍ଗତ ପାହାଡିଆ ଇଲାକାରେ ପ୍ରବାହିତ ଝରଣା ତଟରେ ମୃତ ଅବସ୍ଥାରେ ଠାବ କରାଯାଇଥିଲା । ରାଜା ତାଙ୍କ ନବବିବାହିତ ପତ୍ନୀ ୨୪ ବର୍ଷୀୟା ସୋନମଙ୍କୁ ଧରି ହନିମୁନ୍ ଟ୍ରିପରେ ଯାଇଥିଲେ । ମେ’ ୨୩ ତାରିଖରେ ହଠାତ୍ ସେମାନଙ୍କର ଦେଖା ମିଳି ନଥିଲା । ଜୁନ ୯ ତାରିଖରେ ୟୁପି ଅନ୍ତର୍ଗତ ଗାଜିପୁର ସ୍ଥିତ ଏକ ଢାବାରେ କେବଳ ସୋନମଙ୍କୁ ଦେଖିବାକୁ ପାଇଥିଲା ପୁଲିସ । ମେଘାଳୟ ପୁଲିସ ସୋନମଙ୍କୁ ଗିରଫ କରି ଆଜି (ବୁଧବାର) କୋର୍ଟରେ ହାଜର କରିବ ।

ମେ’ ୧୧ ତାରିଖରେ ରାଜା ଓ ସୋନମଙ୍କର ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା ।  ଦୁହେଁ ପରିବାର ଲୋକଙ୍କୁ କହିଥିଲେ ଯେ ସେମାନେ କାମାକ୍ଷା ପୀଠକୁ ବୁଲିବାକୁ ଯାଉଛନ୍ତି । ମେ’ ୨୦ ତାରିଖରେ ସେମାନେ ମେଘାଳୟରେ ପହଂଚିଥିଲେ । ତିନିଦିନ ପରେ ସେମାନେ ଗାଏବ! ମେ’ ୨୪ ତାରିଖ ଦିନ ଶିଲଂ-ଚେରାପୁଞ୍ଜି ରାସ୍ତାକଡ଼ରେ ସେମାନେ ଭଡା ସୂତ୍ରରେ ବ୍ୟବହାର କରିଥିବା ସ୍କୁଟରଟିକୁ ପରିତ୍ୟକ୍ତ ଅବସ୍ଥାରେ ଠାବ କରିଥିଲା ପୁଲିସ ।

ନିଖୋଜ ହେବାର ପ୍ରାୟ ୯ ଦିନ ପରେ ରାଜାଙ୍କ ମୃତଦେହକୁ ଠାବ କରିଥିଲା ପୁଲିସ । ମୃତଦେହ ନିକଟରୁ କିଛି ଦୂରରେ ରକ୍ତଲଗା ରେନ୍‌କୋର୍ଟ ମିଳିଥିଲା । ପୁଲିସ ହାତରେ ଲାଗିଥିବା କିଛି ଭିଡିଓ ଫୁଟେଜରୁ ଜଣାପଡ଼େ, ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ନିକଟରୁ ପ୍ରାୟ ୧୦ କିମି ବ୍ୟବଧାନ ଭିତରେ ସୋନମ ଓ ଅପରାଧିଙ୍କ ଭିତରେ କିଛି ଗୋଟିଏ ଆଲୋଚନା ଚାଲିଛି । ରାଜାଙ୍କ ମୃତ୍ୟୁ ପରେ ତାଙ୍କ ସୋସିଆଲ ଆକାଉଂଟରୁ ଶେଷଥର ପାଇଁ ରାତି ୨ଟା ୧୫ ମିନିଟ୍‌ରେ ଏକ ପୋଷ୍ଟ୍ କରାଯାଇଛି ଯାହା ପୁଲିସ ମନରେ ନାନା ସନ୍ଦେହ ସୃଷ୍ଟି କରିଥିଲା ।

ପୁଲିସ ତଦନ୍ତରୁ ଜାଣିପାରିଛି, ମେ’ ୧୫ ତାରିଖରେ ସୋନମ ବାପଘରକୁ ଯାଇଥିଲେ । ସେଠାରେ ତାଙ୍କ ପ୍ରେମିକ ରାଜ କୁଶୱାଙ୍କୁ ଭେଟିଥିଲେ । ରାଜ ତା’ର ବାଲ୍ୟ ସାଙ୍ଗ ଆକାଶ ରାଜପୁତ, ବିଶାଲ ସିଂ ଚୌହ୍ୱାନ ଓ ଆନନ୍ଦ କୁର୍ମୀଙ୍କ ସହିତ ମିଶି ରାଜାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ।

ଯୋଜନା ମୁତାବକ ରାଜ ଇନ୍ଦୋରରେ ରହିଥିଲା । ତା’ର ତିନିଜଣ ସାଙ୍ଗ ଦିଲ୍ଲୀ ଭାୟା ଦେଇ ଗୁଆହାଟୀ ଅଭିମୁଖେ ଯାଉଥିବା ଟ୍ରେନ ଧରି ମେ’ ୨୧ ତାରିଖରେ ଶିଲଂରେ ପହଂଚିଥିଲେ । ତିନିଜଣ ଯାକ ସୋନମଙ୍କ ସହ ନିୟମିତ ସଂପର୍କରେ ଥିଲେ ।  ରାଜାଙ୍କ ହତ୍ୟା ପଛରେ ସୋନମଙ୍କ ସଂପୃକ୍ତି ଜଳଜଳ ହୋଇ ଦିଶୁଛି । ପୁଲିସ ହାତରେ ଲାଗିଥିବା ରେନକୋର୍ଟଟି ପ୍ରକୃତରେ ସୋନମଙ୍କର । ହତ୍ୟାକାଣ୍ଡ ପରେ ସୋନମ ରେନକୋର୍ଟଟିକୁ ଶରୀରରୁ କାଢ଼ି ଆକାଶକୁ ଦେଇଥିଲେ ।