ବିଜେପି ପାଇଁ ଏବେ ଅଲୋଡ଼ା ପ୍ରାୟ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ବହୁତ କମ୍ ଲୋକ ବିଜେପି ନେତା ଧନଖଡ଼ଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ଅଙ୍ଗେ ନିଭାଇଛନ୍ତି । ବହୁତ କମ୍ ଲୋକ ଅଦାଲତରେ ଧନଖଡ଼ଙ୍କ ବଳିଷ୍ଠ ଯୁକ୍ତି ଶୁଣିଛନ୍ତି । ବହୁ ସାଂଘାତିକ ମାମଲାକୁ ବିଚକ୍ଷଣତାର ସହିତ ଉପସ୍ଥାପନ କରି ଅଭିଯୁକ୍ତଙ୍କ ପାଇଁ ଦେବଦୂତ ଭୂମିକା ଗ୍ରହଣ କରିଥିଲେ ଧନଖଡ଼ ।
ଯୋଉ ଧନଖଡ଼ ଆଖିବୁଜି ସଂଘ ପରିବାରର ଗୁଣଗାନ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକନମ୍ବର ଚାଟୁକାର ଥିଲେ । ତାଙ୍କୁ ବିଜେପି ଓ ଆର୍ଏସ୍ଏସ୍ ଏଭଳି ହିନସ୍ତା କଲା ।
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କୋର୍ଟରୁମ୍ରେ ଧନଖଡ଼ ପାଦ ପକାଇଲେ ପ୍ରତିପକ୍ଷ ଓକିଲ ପାଟିରୁ ଭାଷା ବାହାରେନି । ଅଭିନେତା ସଲମାନ ଖାନଙ୍କୁ କୃଷ୍ଣସାର ଶିକାର ମାମଲାରୁ ଜାମିନ କରାଇଥିବା ଓକିଲ ହେଉଛନ୍ତି ଜଗଦୀପ ଧନଖଡ଼ ।
ମନେପକାନ୍ତୁ, ୧୯୯୮ ମସିହାରେ ରାଜସ୍ଥାନର ଯୋଧପୁର ନିକଟ କଙ୍କଣି ଗାଁ ନିକଟରେ ଗୋଟିଏ ସିନେମା ସୁଟିଂ କରିବାକୁ ଯାଇଥିଲା ନିର୍ଦ୍ଦେଶକ ସୂରଜ ବରଜାତ୍ୟାଙ୍କ ଟିମ୍ । ସେହି ଟିମରେ ଥିଲେ ଅଭିନେତା ସଲମନ, ଶୈଫ ଅଲ୍ଲୀ ଖାନ, ତବୁ, ନିଲମ ଓ ସୋନାଲି ବେନ୍ଦ୍ରେ । କୃଷ୍ଣସାର ଶିକାର ମାମଲାରେ ସଲମନ ଓ ତାଙ୍କ ସହ କଳାକାରଙ୍କୁ ଅଭିଯୁକ୍ତ କରାଯାଇଥିଲା ।
ସଲମନଙ୍କ ମାମଲା ଲଢ଼ିବାକୁ କୌଣସି ରାଜସ୍ଥାନୀ ଓକିଲ ରାଜି ହେଲେନି । ସେହି ସମୟରେ ଏକମାତ୍ର ଧନଖଡ଼ ସଲମନଙ୍କ ମାମଲା ଲଢ଼ିଥିଲେ ଓ ତାଙ୍କୁ ଜେଲରୁ ମୁକୁଳାଇ ଥିଲେ । ଅତୀତର ଏହି କଥାକୁ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ଧନଖଡ଼ଙ୍କ ସହିତ କାମ କରିଥିବା ଓକିଲ ପ୍ରବୀଣ ବାଲ୍ୱାଡା ।