ରଣପୁର( ଏସ୍ ନ୍ୟୁଜ ): ପୁଣି ଚର୍ଚ୍ଚାରେ ନୟାଗଡ଼। ଜିଲ୍ଲାରୁ ଆଉ ଜଣେ ଶିଶୁକନ୍ୟା ନିଖୋଜ । ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ବର୍ତ୍ତମାନ ଚାଲିଥିବା ବେଳେ ନୟାଗଡ଼ରେ ଆଉ ଏକ ଶିଶୁକନ୍ୟା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ରାଜସୁନାଖଳା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ସମାନ ଢଙ୍ଗରେ ୩ ବର୍ଷର ଏହି ଶିଶୁକନ୍ୟା ଘର ବାଡ଼ିପଟେ ଖେଳୁଥିବା ସମୟରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଦଧିପାଟଣା ଗାଁର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଛି। ଏନେଇ ସୁନାଖଳା ଫାଣ୍ଡିରେ ଗତକାଲି ଏତଲା ଦେଇଥିଲେ।ଅଭିଯୋଗ ମିଳିବା ପରେ ପୁଲିସ୍, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ଟ ଟିମ୍ ଗାଁରେ ଥିବା ତିନିଟି ପୋଖରୀ ଓ ନିକଟସ୍ଥ ଜଙ୍ଗଲ ଖୋଜାଖୋଜି କରିଥିଲେ। ମାତ୍ର କେଉଁଠାରେ ହରପ୍ରିୟାଙ୍କ ପତ୍ତା ମିଳି ନଥିବା ଜଣାଯାଇଛି। ତେଣୁ ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଶିଶୁକନ୍ୟା ଗତକାଲି ଅପରାହ୍ଣ ୩ଟା ବେଳେ ନିଖୋଜ ହୋଇଥିବା ସୂଚନା ମିଳିଛି ।