ଦ୍ୱିତୀୟ ପାଳି ଜି ଏସ୍ ଟି ଛାଟ: ୧୪୩ କୋଟି ଜନତାଙ୍କୁ ତ୍ରାହି ନାହିଁ

ଦ୍ୱିତୀୟ ପାଳି ଜି ଏସ୍ ଟି ନୀତିର ଗୁଣଗାନ କରି ମୋଦିଜୀ ୧୪୩ କୋଟି ଜନତାଙ୍କ ପାଇଁ ବିରାଟ ବଡ଼ ଉପକାର କରିଛନ୍ତି ବୋଲି ଯାହା ଦାବି କରୁଛନ୍ତି, ତାହା ଆଦୌ ସତ ନୁହେଁ ।

ମୋଦୀଙ୍କ ଅଭିଭାଷଣର ପ୍ରତ୍ୟେକ ବାକ୍ୟକୁ ଭଲ ଭାବରେ ଅନୁଧ୍ୟାନ କଲେ, ତା’ରି ଭିତରେ ନରେନ୍ଦ୍ର ମୋଦୀ, ଅମିତ ଶାହ, ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ହୀନ କାରସାଦି ବାହାରି ଆସିବ ।

ବସାଦହି ଭିତରେ ଚରଖା ବୁଲାଇଲେ କିଛି ସମୟ ଭିତରେ ସେଥିରୁ ଯେପରି ଲହୁଣୀ ବାହାରି ଆସେ । ଠିକ୍ ସେମିତି ମୋଦୀଙ୍କ ଜି ଏସ୍ ଟି ସଂସ୍କାର ନୀତିର ଅସଲ ଚେହେରା ପଛରେ ରହିଛି ତାଙ୍କ କଳଙ୍କିତ କାରନାମାକୁ ଲୁଚାଇବାର ପ୍ରୟାସ ।

୨୦୧୭ ମସିହାରୁ ସାରା ଭାରତରେ ଜି ଏସ୍ ଟି ଲାଗୁ କରି ମୋଦିଜୀ ବିଜେପି ପାଇଁ କଳା ଇତିହାସ ଲେଖିଛନ୍ତି । ଦୀର୍ଘ ୮ ବର୍ଷ ଧରି ୧୪୩ କୋଟି ଲୋକଙ୍କ ରକ୍ତ ହାଡ଼ ମାଂସ ଝୁଣି ଚାଲିଛନ୍ତି ମୋଦୀ ସରକାର, ଦେଶରେ ପ୍ରତିଷ୍ଠିତ ସବୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ।

ସେପ୍ଟେମ୍ବର ୨୧ ତାରିଖ ଅପରାହ୍ଣ ୫ଟାରେ ମୋଦିଜୀ ଦେଶବାସୀଙ୍କୁ ଅଭିଭାଷଣ ଦେବା ଛଳରେ ୩୩ ଜୀବନ ରକ୍ଷାକାରୀ ଔଷଧକୁ ଟିକସ ମୁକ୍ତ କରିଛନ୍ତି ।

୨୦୧୭ ମସିହାରୁ ମୋଦିଜୀଙ୍କ ଟିକସ ମାଡ଼ରେ ଘାଇଲା ହୋଇ ଯୋଉ ଲୋକମାନେ ଚଢ଼ା ଦରରେ ଜୀବନ ରକ୍ଷାକାରୀ ଔଷଧ କିଣି ନପାରି ଆଖି ବୁଜି ସାରିଛନ୍ତି, ସେମାନଙ୍କ କ୍ଷତସ୍ଥାନରେ ମୋଦିଜୀ ଟିକସ ଔଷଧ ଲେପନ କରିବେ କିପରି?