ନୋବେଲ ଶାନ୍ତି ପୁରସ୍କାର ପାଇଗଲେ, ଡୋନାଡ ଟ୍ରମ୍ପଙ୍କର ଜନ୍ମଟା ସାର୍ଥକ ହୋଇଯିବ । ତାଙ୍କୁ ଆଉ ମଣିଷ ଜନ୍ମ ନେବାକୁ ପଡ଼ିବନି ।
ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଆଜି ସୁଦ୍ଧା କୌଣସି ଗୋଟାଏ କ୍ଷେତ୍ରରେ ସଫଳତା ହାସଲ କରି ନଥିବା ଗୋଟିଏ ଚରିତ୍ର ଆଜିକାଲି ନୋବେଲ ଶାନ୍ତି ପୁରସ୍କାର ପଛରେ ପାଗଳଙ୍କ ପରି ଧାଇଁଛନ୍ତି ।
ସାରା ବିଶ୍ୱକୁ କବଳିତ କରିବା ଯୋଉ ଦେଶର ମୂଳ ଉଦ୍ଦେଶ୍ୟ । ସେ ଦେଶର ରାଷ୍ଟ୍ରପତି ପଦବୀ ମଣ୍ଡନ କରିଥିବା ଅହଂକାରୀ ଚରିତ୍ର ନିଜକୁ ଶାନ୍ତିଦୂତ ଦାବି କରିବା ନିହାତି ହାସ୍ୟାସ୍ପଦ ପ୍ରସଙ୍ଗ ।
ଜଣେ ବ୍ୟକ୍ତି ଉଭୟ ଯୁଦ୍ଧ ସୂତ୍ରଧର ଓ ଶାନ୍ତିଦୂତ ବୋଲାଇବା କେମିତି ଟିକିଏ ଅଜବ ଲାଗୁଛି । ସାତୋଟି ଯୁଦ୍ଧ ରୋକିଥିବା ଚରିତ୍ର ସାତୋଟି ନୋବେଲ ପୁରସ୍କାର ପାଇବାକୁ ହକଦାର?
ଏକ ନୈଶଭୋଜିରେ ଯୋଗଦାନ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ଅମଳରେ ଆମେରିକା ଅଧିକରୁ ଅଧିକ ସମ୍ମାନ ପାଉଛି ।
ୟେ ସେହି ଆମେରିକା, ଯିଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ପକାଇ ସାରା ବିଶ୍ୱକୁ ଥରାଇ ଦେଇଥିଲା ।
ମାନବର ହିତସାଧନ ପାଇଁ ବିଜ୍ଞାନକୁ ପ୍ରୟୋଗ କରିବା ବଦଳରେ ମାନବର ଚିହ୍ନବର୍ଣ୍ଣକୁ ଧରାପୃଷ୍ଠରୁ ଲୋପ କରିଦେବାର ନିଶା ଯୋଉ ଦେଶକୁ ଘାରିଛି, ସେହି ଦେଶର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ନୋବେଲ ଶାନ୍ତି ପୁରସ୍କାର ପାଇଁ ଡହଳ ବିକଳ ହେଉଛନ୍ତି ।
ଏମିତି ଗୋଟିଏ ଚରିତ୍ର ଆମ ଭାରତରେ ଅଛନ୍ତି ।
ଭାରତ-ପାକିସ୍ତାନ, ଥାଇଲାଣ୍ଡ-କାମ୍ବୋଡ଼ିଆ, ଆର୍ମେନିୟା-ଆଜର ବାଇଜାନ, କୋସାଭୋ-ସର୍ବିୟା, ଇସ୍ରାଏଲ-ଇରାନ, ଇଜିପ୍ଟ-ଇଥିଓପିୟା, ରୁଆଣ୍ଡା-କଙ୍ଗୋ ଯୁଦ୍ଧକୁ ଅଟକାଇବା ପଛରେ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଥାଟି ପ୍ରଥମ ଥର ପାଇଁ ଡୋନାଡ୍ ଟ୍ରମ୍ପଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।
ଭାରତ-ପାକିସ୍ତାନ ଯୁଦ୍ଧରେ ମାତିଲେ ସେମାନଙ୍କ ସହ ବାଣିଜ୍ୟ କାରବାର କରିବ ନାହିଁ ବୋଲି ଆମେରିକା କୁଆଡ଼େ ଧମକ ଦେଇଥିଲା ଓ ସେହି ଧମକରେ ନରେନ୍ଦ୍ର ମୋଦୀଙ୍କ ଶରୀରରେ ବହୁଥିବା ରକ୍ତ ବରଫ ହୋଇଯାଇଥିଲା ।
ଟ୍ରମ୍ପ ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ଏକାଧିକ ଉପାୟ ଖୋଜୁଛନ୍ତି । ହମାସକୁ ଲୋପ କରିବା ଆଳରେ ଗାଜାକୁ କବରଖାନାରେ ପରିଣତ କରିସାରିଲାଣି ଇସ୍ରାଏଲ୍ ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବେକରେ ଘଂଟି ପକାଇ ପାରୁନାହାନ୍ତି ଟ୍ରମ୍ପ, ସେ ପୁଣି ପୁଟିନଙ୍କ ବେକରେ ଘାଗୁଡ଼ି ଝୁଲାଇବେ, ନୋବେଲ ଶାନ୍ତି ପୁରସ୍କାର ନେବେ ।
ନୋବେଲ ପୁରସ୍କାର ପଛରେ ଧାଇଁବା କ’ଣ ଦରକାର? ଟମ୍ପ ଚାହିଁଲେ, ଗୋଟିଏ ଟ୍ରଷ୍ଟ ଗଠନ କରିପାରିବେ ଓ ସେହି ହାତଗଢ଼ା ଟ୍ରଷ୍ଟ ନିକଟରୁ ନୋବେଲ ପୁରସ୍କାର ସମକକ୍ଷ ପୁରସ୍କାର ପାଇ ଆତ୍ମତୃପ୍ତି ପାଇଯିବେ ।