ବିପଦଜନକ ସ୍ଥିତିରେ କାବୁଲରୁ ଦିଲ୍ଲୀକୁ ଉଡ଼ିଆସିଲା ଆଫଗାନ୍ ନାବାଳକ
ବିପଦଜନକ ପରିବେଶରେ ଆଫଗାନିସ୍ତାନ ରାଜଧାନୀ କାବୁଲରୁ ନୂଆଦିଲ୍ଲୀ ଅଭିମୁଖେ ବିମାନ ଯାତ୍ରା କରିଛି ମାତ୍ର ୧୩ ବର୍ଷ ବୟସର ନାବାଳକ ।
ରବିବାର ଦିନ ସକାଳେ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।
କାମ୍ ଯାତ୍ରୀବାହୀ ବିମାନଟିର ଅବତରଣ ଗିୟର ନିକଟରେ କୌଣସି ମତେ ନିଜକୁ ଲୁଚାଇ ରଖିଥିଲା ପିଲାଟି ।
ଆଶ୍ଚର୍ଯ୍ୟର ବିଷୟ, କାବୁଲ ବିମାନ ଘାଟିର କଡ଼ା ସୁରକ୍ଷାବଳୟକୁ ଭେଦ କରି ନାବାଳକ ଜଣକ ବିମାନଟିର ବାହାର ପାଶ୍ୱର୍ରେ ମରଣଦାୟକ ସ୍ଥିତିରେ ଲୁଚି ଯାଇଥିଲା ।
ବିମାନଟି ଆକାଶରେ ପ୍ରାୟ ଦୁଇଘଂଟା କାଳ ଉଡ଼ାଣ କରିବା ପରେ ନୂଆଦିଲ୍ଲୀରେ ଅବତରଣ କରିଥିଲା । ଉଡ଼ାଣ ସମୟରେ ପିଲାଟି ଯେକୌଣସି ମୁହୂର୍ତ୍ତରେ ଖସି ପଡ଼ିବାର ଆଶଙ୍କା ଥିଲା ।
ମାତ୍ର ଭଗବାନଙ୍କର କରୁଣାରୁ ପିଲାଟି ଅକ୍ଷତ ଅବସ୍ଥାରେ ଦିଲ୍ଲୀରେ ପହଂଚିଥିଲା ।
ତେବେ ପିଲାଟିକୁ ଯୋଉ ବିମାନରୁ ଉଦ୍ଧାର କରା ଯାଇଥିଲା, ସେହି ବିମାନରେ ବସାଇ କାବୁଲକୁ ପଠାଇ ଦିଆଯାଇଥିଲା । ପିଲାଟି କୁର୍ତ୍ତା ଓ ପାଇଜାମା ପିନ୍ଧିଥିଲା ।
ଦିଲ୍ଲୀ ବିମାନ ଘାଟିର ଜଣେ କର୍ମଚାରୀଙ୍କ ନଜର ପିଲାଟି ଉପରେ ପଡ଼ିଥିଲା । ସଂପୃକ୍ତ କର୍ମଚାରୀ ଜଣକ ସିଆଇଏସଏଫ୍ ଯବାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ପିଲାଟି ଇରାନକୁ ଯିବାକୁ ଚେଷ୍ଟା କରୁଥିଲା । ମାତ୍ର ଭୁଲବଶତଃ ଦିଲ୍ଲୀରେ ପହଂଚିଗଲା ବୋଲି କହିଛି ।
ନାବାଳକ ଜଣକ କୌତୁହଳ ବଶତଃ ଏପରି କାଣ୍ଡ କରିଥିବା ମାନିଛି ।