ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ସୁନା ଚୋରୀ-shaksi news

ଗୁଜୁରାଟ: ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ପରେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।

ତେବେ ଏହି ସୁନା ଚୋରିକୁ ନେଇ ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି ଯେ ,ଏହି ସୁନାଗୁଡିକ ଭୂଜ କଷ୍ଟମ ବିଭାଗର ଥିଲା । ଯାହାକି ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୂୁନା ନେବାକୁ ପହଂଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା କୁଆଡେ ଉଭାନ ହୋଇ ଯାଇଛି ।

ସେହିପରି ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଭୁଜ କଷ୍ଟମ ବିଭାଗର କୋଠା ଭାଙ୍ଗିପଡିବାରୁ ୩.୧୪୯.୩୯୮ ଗ୍ରାମର ଜବତ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଅଧିକାରୀ କହିଛନ୍ତି । ଏହି ସମୟରେ ସୁନାକୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଜାମନଗର କଷ୍ଟମ ବିଭାଗକୁ ଦିଆଯାଇଥିଲା । ୨୦୧୬ ମସିହରେ ଭୁଜ କଷ୍ଟମ କାର୍ଯ୍ୟାଳୟ ପୁନନିର୍ମାଣ ସରିବା ପରେ ଜାମନଗର କାର୍ଯ୍ୟାଳୟରେ ଥିବା ସୁନା ନେବାକୁ ସେମାନେ ଜାମନଗର କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରୁ ସେମାନେ ଯେଉଁ ସୁଟକେସରେ ସୁନା ଦେଇଥିଲେ ସେହି ସୁଟକେସ୍ ନେବା ବେଳେ ସୁଟକେସର ଚାବି ମାଗିଥିଲେ । ହେଲେ ସେତେବେଳେ ଜଣାପଡିଥିଲା କି ସୁଟକେସ୍ ର ଚାବି ହଜି ଯାଇଛି । ଏହା ପରେ ସୁଟକେସ୍ ର ତାଲା ଭାଙ୍ଗାଗଲା । ଏହା ପରେ ଭୂଜ କଷ୍ଟମ ବିଭାଗ ତରଫରୁ ସୁନାର ଯାଂଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ୨.୧୫୬.୭୨୨ ସୁନା କମ୍ ରହିଛି ।

ଏଠାରେ ପ୍ରକାଶ ଥାଉକି ୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା ।