ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ଘର ମାଲିକ

ପୀଡିତାଙ୍କୁ ହସ୍ପିଟାଲରେ ଭେଟିଲେ ରାଜ୍ୟ ମହିଳା ଆୟୋଗ

ରାଜଧାନୀରେ ଛାତି ଥରାଇ ଦେବା ଭଳି ଘଟଣା । ପୁଣି ଲଜ୍ଜା। ୧୧ ବର୍ଷିୟା ନାବାଳିକାକୁ ଘର ମାଲିକ ଦୁଷ୍କର୍ମ କରି ଗୁରୁତର କରିବା ଘଟଣା ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି। ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି ଜଣେ ଘର ମାଲିକ। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅଧିକ ରକ୍ତସ୍ରାବ ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା କ୍ୟାପିଟାଲ ହସ୍ପିଟାଲ ଡାକ୍ତର କହିଛନ୍ତି। ଏନେଇ ପୀଡିତାଙ୍କ ପରିବାର ଲୋକେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଳିଙ୍ଗନଗରରେ ରହୁଥିବା ନରେଶ ରାଉତ ବୋଲି ଜଣାପଡିଛି। ଅନ୍ୟ ପଟେ ନାବାଳିକା ଜଣକ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛି। ଡାକ୍ତରୀ ମାଇନା ସହ ସାଇଣ୍ଟିଫିକ ଟିମ୍‍ ଘଟଣାସ୍ଥଳକୁ ଯାଇ ଛାନଭିନ୍‍ ଆରମ୍ଭ କରିଛି । ଅଭିଯୁକ୍ତ ନରେଶକୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ମହିଳା ଥାନା ପୁଲିସ।

ସୂଚନାଯୋଗ୍ୟ ଯେ, ଗଞ୍ଜାମରୁ ଆସି ଭରତପୁର ଥାନା ନିକଟସ୍ଥ କଳିଙ୍ଗନଗରରେ ପରିବାର ସହ ଜୈନିକ ବ୍ୟକ୍ତି ରହୁଥିଲେ। ପରିବାର ପ୍ରତିପୋଷଣ ପାଇଁ ବାପା-ମା’ ସବୁ ବେଳେ ୧୧ ବର୍ଷର ଝିଅକୁ ଛାଡି ଯାଉଥିଲେ । ଗତ ୪ ତାରିଖ ଦିନ ପୀଡିତାଙ୍କ ପରିବାର ଲୋକେ ଘରେ ନଥିବା ସମୟରେ ସେ ଏକା ରହୁଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଘର ମାଲିକ ନରେଶ ୧୧ ବର୍ଷର ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ପୀଡିତା ଚିତ୍କାର କରିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଖସି ପଳାଇଥିଲେ। ପୀଡିତା ସଂଗେ ସଂଗେ ତାଙ୍କ ବାପାଙ୍କୁ ଜଣାଇବା ପରେ ସେ ଘରକୁ ଆସିଥିଲେ। ଆସି ଦେଖିବା ବେଳକୁ ପୀଡିତାଙ୍କ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏନେଇ ବାପା ଝିଅକୁ ଘଟଣା ବିଷୟରେ କହିବାରୁ ସେ ସମସ୍ତ କଥା କହିଥିଲେ। ସଂଗେ ସଂଗେ ପୀଡିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆସିୟୁରେ ମଧ୍ୟ ଭର୍ତ୍ତି କରିବାକୁ ପଡିଥିଲା। ଏନେଇ ପୀଡିତାଙ୍କ ପରିବାର ଲୋକେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା ସତ ହେଲେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଥିଲା। ଅଭିଯୁକ୍ତ ଜଣଙ୍କ କୌଶଳ କ୍ରମେ ଫେରାର ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ସାଇଣ୍ଟିଫିକ୍‍ ଟିମ୍‍ ଓ ମହିଳା ଥାନା ପୁଲିସ। ଶୁକ୍ରବାର ଦିନ ଅଭିଯୁକ୍ତ ଘର ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ପୀଡ଼ିତାକୁ ମେଡ଼ିକାଲରେ ଭେଟିଛନ୍ତି ।

ସରକାର ଏଥିପ୍ରତି ଯତ୍ନଶୀଳ ଏବଂ ସମ୍ବେଦନଶୀଳ ଅଛନ୍ତି । ଦୋଷୀ ଯିଏ ବି ଥାଉ ତାକୁ ଘଣ୍ଟ ଘୋଡ଼ା ଯିବ ନାହିଁ । ଆଇନରୁ ଊର୍ଦ୍ଧ୍ବରେ କେହି ନୁହଁନ୍ତି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମହିଳା ଆୟୋଗ ସଦସ୍ୟା ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟ ପଟେ ମହିଳା ଥାନା ପୁଲିସ ହସ୍ପିଟାଲକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡକରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟ ପଟେ ପୀଡିତାଙ୍କ ବାପା କହିଛନ୍ତି ଯେ, ବଡ ଝିଅ ସହ ଯାହା ଘଟିଲା, ତାପରେ ସାନ ଝିଅଟି ଏବେ କେତେ ଯେ, ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠାଇଲା ପରିବାର । ଆଉ ନୁହେଁ, ସିଧା ଭୁବନେଶ୍ୱର ଛାଡି ଗାଁକୁ ପଳାଇବାକୁ ନିଷ୍ପତି ନେଇଛନ୍ତି ପୀଡିତାଙ୍କ ପରିବାର ।