ରାଷ୍ଟ୍ରପତି ଦମ୍ପତି ଅପହୃତ, ଦେଶରେ ଜରୁରୀ ପରିସ୍ଥିତି

ନୂଆବର୍ଷ ଆରମ୍ଭ ନ ହେଉଣୁ ….

କାରାକାସ୍‌: ନୂଆବର୍ଷ ଆରମ୍ଭ ନ ହେଉଣୁ, ଆନ୍ତର୍ଜାତିକ ସ୍ତରରେ ହଲଚଲ ସୃଷ୍ଟି ହୋଇଛି। ଆମେରିକା ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଲାଟିନ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲା ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି। ଆମେରିକା ବାୟୁସେନାର ଏକାଧିକ ଲଢୁଆ ବିମାନ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିଥିବାବେଳେ ଆକ୍ରମଣରେ ରାଜଧାନୀ କାରାକାସ୍‌ ଥରିଉଠିଥିଲା।
ଆକ୍ରମଣ ଜାରି ରହିଥିବା ବେଳେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଅପହରଣ କରାଯାଇ ଅନ୍ୟତ୍ର ନିଆଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସାମାଜିକ ଗଣମାଧ୍ୟମ ଆକାଉଂଟ୍‌ ‘ଟ୍ରୁଥ୍‌ ସୋସିଆଲ’ରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଦମ୍ପତିଙ୍କ ଅପହରଣକୁ ଭେନେଜୁଏଲା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗ୍‌ବେଜ ଜାତୀୟ ଟେଲିଭିନ ଚ୍ୟାନେଲରେ ସ୍ୱୀକାର କରିଛନ୍ତି। ତେବେ ମାଡୁରୋ ଓ ସିଲିଆ କେଉଁଠାରେ ଅଛନ୍ତି, ତାହା ସରକାରଙ୍କୁ ଜଣାନାହିଁ ବୋଲି ଡେଲସି କହିଛନ୍ତି। ଅପରପକ୍ଷରେ ରାଷ୍ଟ୍ରପତି ଦମ୍ପତିଙ୍କ ଅପହରଣକୁ ନେଇ ପ୍ରମାଣ ଦେବାକୁ ଭେନେଜୁଏଲା ସରକାର ଆମେରିକା ନିକଟରେ ଦାବି କରିଛନ୍ତି। ଆମେରିକା ପକ୍ଷରୁ କୌଣସି ଲାଟିନ ଆମେରିକୀୟ ରାଷ୍ଟ୍ର ଉପରେ ଏହା ଦ୍ୱିତୀୟ ସିଧାସଳଖ ଆକ୍ରମଣ ଘଟଣା। ୧୯୮୯ରେ ପାନାମାର ତତ୍କାଳୀନ ରାଷ୍ଟ୍ରପତି ମାନୁଏଲ ନୋରିଏଗାଙ୍କୁ ଗାଦିଚ୍ୟୁତ କରିବାକୁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଭେନେଜୁଏଲାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନକୁ ଭେନେଜୁଏଲା ସରକାର ପ୍ରତ୍ୟାଖ୍ୟାନ କରିଥିବାବେଳେ ଆମେରିକାର ଦୁଇଟି ଟେଲିଭିଜନ ସଂସ୍ଥା ସ୍ୱୀକାର କରିଛନ୍ତି। ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଆମେରିକା ବାୟୁସେନା ପକ୍ଷରୁ କାରାକାସ୍‌ ଉପରେ ପ୍ରବଳ ବୋମାମାଡ କରାଯାଇଥିଲା। ଏଥିଯୋଗୁଁ ସହରର ଅଧିକାଂଶ ଅଟ୍ଟାଳିକାରେ ବିସ୍ଫୋରଣ ଘଟିବା ସହ ସମଗ୍ର ସହର କିଛି ସମୟ ପାଇଁ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇ ପଡିବାରୁ ସହରଟି ଅନ୍ଧକାରାଚ୍ଛନ୍ନ ହୋଇପଡିଥିଲା। କାରାକାସ୍‌ ବ୍ୟତୀତ ଭେନେଜୁଏଲାର ଅନ୍ୟ କେତେକ ସହର ଯଥା ମିରାଣ୍ଡା, ଆରାଗୁଆ ଏବଂ ଲା ଗୁଏରା ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡିଛି।

ଭେନେଜୁଏଲା ଉପରେ ଆକ୍ରମଣ ନେଇ ଟ୍ରମ୍ପ ଦୀର୍ଘ ଦିନରୁ ଯୋଜନା ଚଳାଇ ଆସୁଛନ୍ତି। ଭେନେଜୁଏଲାରେ ସକ୍ରିୟ ଡ୍ରଗ୍‌ସ କାର୍ଟଲଗୁଡିକୁ ନିଷ୍କ୍ରିୟ କରିବା ଟ୍ରମ୍ପଙ୍କର ମୂଳ ଲକ୍ଷ୍ୟ ରହିଥିଲା। ଏଥିପାଇଁ ଗତ ସେପ୍‌ଟେମ୍ବରରୁ ଆମେରିକା କ୍ୟାରିବିୟାନ ସାଗର ଓ ପ୍ରଶାନ୍ତ ମହାସାଗରର ପୂର୍ବଭାଗରେ ନୌସେନାର ବିମାନବାହୀ ଯୁଦ୍ଧ ଜାହାଜ ୟୁଏସଏସ ଜେରାଲ୍ଡ ଫୋର୍ଡ ସମେତ ଏକାଧିକ ଯୁଦ୍ଧପୋତ ମୁତୟନ କରିଥିଲା। ଆମେରିକା ସେନା ଭେନେଜୁଏଲାର ଦୁଇଟି ତୈଳ ଟ୍ୟାଙ୍କରକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଧ୍ୱଂସ କରିଥିବାବେଳେ ଡ୍ରଗ୍‌ସ କାରବାର କରୁଥିବା ବୋଟଗୁଡିକ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଏଥିରେ ଶତାଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା।