ଫରିଦାବାଦ: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଫରିଦାବାଦସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବହୁ ଚାଂଚଲ୍ୟକର ତଥ୍ୟ ପ୍ରକାଶ କରିଛି। ଆତଙ୍କବାଦୀ ଡାକ୍ତର କ୍ୟାମ୍ପସ୍କୁ ଏକ ଆଧାର ଭାବରେ ବ୍ୟବହାର କରିଥିଲେ। ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟ ଉପରେ କଡା ନଜର ରଖାଯାଇଥିଲା।
କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ବହୁ ନିୟାମକର ଉଲ୍ଲଂଘନ, ନିଯୁକ୍ତିରେ ଜାଲିଆତି ଓ ଆର୍ଥିକ ଅନିୟମିତତା ଚିହ୍ନଟ ହୋଇଛି। କୋର୍ଟ ଏ ପର୍ଯ୍ୟନ୍ତ ଚାର୍ଜସିଟ୍ ଉପରେ ବିଚାର କରିନାହାନ୍ତି। ଇଡି ତଦନ୍ତରେ ୬ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ପ୍ରତିଷ୍ଠିତ ମେଡିକାଲ କଲେଜରେ ଲାଲକିଲ୍ଲା ବିସ୍ଫୋରଣ ସହିତ ଜଡିତ ତିନିଜଣ ଡାକ୍ତରଙ୍କୁ ପୁଲିସ ଯାଂଚ ବିନା ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଡାକ୍ତର ମୁଜାମ୍ମିଲ ଗନାଇ ଓ ଡାକ୍ତର ଶାହିନ ସଇଦଙ୍କୁ ଏନ୍ଆଇଏ ଗିରଫ କରିଥିଲା। ତୃତୀୟ ଡାକ୍ତର ଉମର ନବି ଲାଲକିଲ୍ଲା ନିକଟ ବିସ୍ଫୋରଣରେ ଜଡିତ ଗାଡ଼ିରେ ଥିବା ବ୍ୟକ୍ତି ଥିଲେ।
ଜାତୀୟ ଚିକିତ୍ସା କମିସନ (ଏନ୍ଏମ୍ସି)ରୁ ଅନୁମୋଦନ ପାଇବା ପାଇଁ କେବଳ କାଗଜପତ୍ରରେ ଡାକ୍ତର ବୋଲି ଦର୍ଶାଯାଉଥିଲା। ଡାକ୍ତରଙ୍କୁ ନିୟମିତ ଅଧ୍ୟାପକ ଭାବରେ ପ୍ରଦର୍ଶିତ କରିବା ପାଇଁ ୨୨ ଦିନ ଉପସ୍ଥିତି ଅବା ବା ସପ୍ତାହରେ ଦୁଇଦିନ ଉପସ୍ଥିତି ଧାରା ଅନୁଯାୟୀ କେବଳ ଡକ୍ୟୁମେଂଟରେ ନିଯୁକ୍ତି ଦିଆଯାଇଥିଲା। ଏହି ଡାକ୍ତରମାନେ ନିୟମିତ ଭାବରେ କଲେଜକୁ ଯାଉ ନଥିଲେ କି ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ପଢ଼ାଉ ନଥିଲେ। ସେମାନେ ରୋଗୀଙ୍କ ଚିକିତ୍ସା କରୁ ନଥିଲେ। ଏହି ବ୍ୟବସ୍ଥା କେବଳ ଏନ୍ଏମ୍ସି ଅନୁମୋଦନ ପାଇବା ପାଇଁ ଓ ମେଡିକାଲ କଲେଜ କିପରି ବିନା ବାଧାରେ ଚାଲିବ, ସେଥିପାଇଁ କରାଯାଇଥିଲା। ଇଡି ଚାର୍ଜସିଟ୍ ସହ ସଂଲଗ୍ନ ଟେକ୍ସଟ୍ ମେସେଜ୍ ଓ ଭିଡିଓ ଚାଟ୍କୁ ମଧ୍ୟ ଯାଂଚ୍ କରିଛି। ଏହା ଦର୍ଶାଇଛି, ନିୟାମକ ଯାଂଚ୍ ପୂର୍ବରୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲ ପ୍ରାୟତଃ କାର୍ଯ୍ୟକ୍ଷମ ନଥିଲା। ଏକ କାର୍ଯ୍ୟକ୍ଷମ ସ୍ୱାସ୍ଥ୍ୟସେବା ଭାବନା ସୃଷ୍ଟି କରିବା ପାଇଁ ଯାଂଚ୍ର କିଛି ଦିନ ପୂର୍ବରୁ ନକଲି ରୋଗୀମାନଙ୍କୁ ଭର୍ତି କରାଯାଇଥିଲା।
ଯାଂଚ୍ ୍ ସମୟରେ ନିୟାମକ ଆବଶ୍ୟକତା ପୂରଣ କରିବା ପାଇଁ ଡାକ୍ତରମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଥିଲା। ଏନ୍ଏମ୍ସି ଯାଂଚର ତିନି ସପ୍ତାହ ପୂର୍ବରୁ କୌଣସି ରୋଗୀ, କର୍ମଚାରୀ ଅବା ଡାକ୍ତର ହସ୍ପିଟାଲ ପରିସରରେ ଉପସ୍ଥିତ ନଥିଲେ।
ଆତଙ୍କବାଦୀ ଡାକ୍ତରଙ୍କୁ ନିଯୁକ୍ତି
ଅକ୍ଟୋବର ୨୦୨୧ରୁ ସାଧାରଣ ଔଷଧ ବିଭାଗର ଜୁନିଅର ରେସିଡେଂଟ୍ ଭାବେ ଡାକ୍ତର ଗଣାଇ ଓ ଔଷଧ ବିଜ୍ଞାନରେ ସହଯୋଗୀ ପ୍ରଫେସର ଡାକ୍ତର ସଇଦ ତଥା ମେ’ ୨୦୨୪ରୁ ସାଧାରଣ ଔଷଧରେ ସହାୟକ ପ୍ରଫେସର ଡାକ୍ତର ଭାବେ ନବିଙ୍କୁ ନିଯୁକ୍ତ କରାଯାଇଥିଲା। ନିଯୁକ୍ତି ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ମୁଖ୍ୟଙ୍କ ସୁପାରିସ୍ରେ କରାଯାଇଥିଲା। ଏହାକୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକି ଅନୁମୋଦିତ କରିଥିଲେ।
ଠକେଇରୁ ୪୯୩.୨୪ କୋଟି ଆୟ ହୋଇଥିବା ଆକଳନ କରାଯାଇଛି। ଏନ୍ଏଏସି ମାନ୍ୟତା ଓ ମିଥ୍ୟା ୟୁଜିସି ମାନ୍ୟତାର ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରତାରିତ କରି ବାର୍ଷିକ ଶିକ୍ଷା ଓ ପରୀକ୍ଷା ଫି ବାବଦରେ ପାଣ୍ଠି ସଂଗ୍ରହ କରାଯାଇଥିଲା।
ଇଡି ସିଦ୍ଦିକିଙ୍କ ପିଲାମାନଙ୍କ ସହିତ ସମ୍ଭାବ୍ୟ ବିଦେଶୀ ଲିଙ୍କ୍ ମଧ୍ୟ ଚିହ୍ନଟ କରିଛି। ତାଙ୍କ ପୁଅ ଅଫହାମ ଅହମ୍ମଦ ଓ ଝିଅ ଅଫିଆ ସିଦ୍ଦିକାଙ୍କ ନିକଟରେ ଦ୍ୱୈତ ନାଗରିକତା ଥିବାର ସନ୍ଦେହ କରାଯାଉଛି। କିଛି ବିଦେଶୀ ସଂସ୍ଥା ଫାଇଲିଂରେ ସେମାନଙ୍କୁ ବ୍ରିଟିଶ ନାଗରିକ ଭାବରେ ଦର୍ଶାଯାଇଛି। ଏହାର ଏବେ ଯାଂଚ୍ ଜାରି ରହିଛି।