ଆମେରିକାଠୁ ତେଲ କିଣିବ ଭାରତ; ରୁଷିଆ ସହମତ

ରୁଷିଆ ନିକଟରୁ ଭାରତ ଆଉ ତୈଳ କ୍ରୟ କରିବ ….

ମସ୍କୋ: ରୁଷିଆ ନିକଟରୁ ଭାରତ ଆଉ ତୈଳ କ୍ରୟ କରିବ ନାହିଁ, ଆମେରିକାଠୁ ତେଲ କିଣିବ ଭାରତ। ଆମେରିକା ସହ ଭାରତର ବାଣିଜ୍ୟ ଚୁକ୍ତି ପରେ କିଛି ଏହିଭଳି ଦାବି ଉଠାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ବୟାନ ପରେ ସମସ୍ତଙ୍କ ନଜର ମସ୍କୋ ଉପରେ ରହିଥିଲା।

ପ୍ରଶ୍ନ ଉଠୁଥିଲା କି, କ’ଣ ଋଷ-ଭାରତ ସମ୍ପର୍କରେ ଫାଟ ସୃଷ୍ଟି ହେବ? ନା ଆମେରିକା ଚାପରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୁରୁଣା ବନ୍ଧୁଙ୍କ ହାତ ଛାଡ଼ିଦେଲେ? ଏଭଳି ଅନେକ ପ୍ରଶ୍ନ ଉପୁଜି ଥିବାବେଳେ ବୁଧବାର ରୁଷ ତରଫରୁ ଯେଉଁ ବୟାନ ଆସିଛି, ତାହା ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଦେଇଛି। ରୁଷ ସ୍ପଷ୍ଟ କରି କହିଛି, ଯଦି ତେଲ କିଣିବା ପାଇଁ ଭାରତ କୌଣସି ବିକଳ୍ପ ଆପଣାଉଛି ତା’ହେଲେ ଏଥିରେ କୌଣସି ଆପତି ନାହିଁ, କି ଏହା କୌଣସି ନୂଆ କଥା ବି ନୁହେଁ।
କ୍ରେମଲିନ୍‌ ମୁଖପାତ୍ର ଦିମିତ୍ରୀ ପେସକୋଭ୍‌ ବୁଧବାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “କେବଳ ଆମେ ନୁହେଁ, ବରଂ ଅନ୍ତର୍ଜାତୀୟ ଶକ୍ତି ପ୍ରସଙ୍ଗରେ ସମସ୍ତ ବିଶେଷଜ୍ଞ ଭଲ ଭାବରେ ଜାଣନ୍ତି ଯେ ରୁଷ ଭାରତକୁ ତୈଳ ଓ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ନୁହେଁ। ଭାରତ ସବୁବେଳେ ଏହି ଉତ୍ପାଦଗୁଡ଼ିକୁ ଅନ୍ୟ ଦେଶଗୁଡ଼ିକରୁ ମଧ୍ୟ କିଣିଛି। ତେଣୁ, ଆମେ ଏଥିରେ କିଛି ନୂଆ କଥା ଦେଖୁନାହୁଁ।

ତେବେ ରୁଷର ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତିକୁ ମୋହର ଲଗାଇଲା ଭଳି ମନେ ହେଉଛି। ରୁଷ ଏହା ସ୍ୱୀକାର କରିଛି ଯେ ଭାରତ ଭଳି ଏକ ବିଶାଳ ଦେଶ କୌଣସି ଗୋଟିଏ ଦେଶ ଉପରେ ନିର୍ଭର କରିପାରିବ ନାହିଁ।

ରୁଷର ଏହି ବୟାନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ, ଯେତେବେଳେ କୌଣସି ଦେଶ ତାର ସହଯୋଗୀ ଦେଶଠାରୁ ଦୂରେଇ ଯାଏ ଏବଂ ତା’ର ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହିତ ବାଣିଜ୍ୟ ବୃଦ୍ଧି କରେ, ସେତେବେଳେ ଉତେଜନା ସୃଷ୍ଟି ହୁଏ, କିନ୍ତୁ ରୁଷର ପ୍ରତିକ୍ରିୟା ରୁଷ ଓ ଭାରତ ମଧ୍ୟରେ ଗଭୀର ବିଶ୍ୱାସକୁ ଦର୍ଶାଉଛି, ଏବଂ ମସ୍କୋ ବିଶ୍ୱାସ କରେ ଯେ ଭାରତ ଆମେରିକାର ଚାପ ଆଗରେ କେବେବି ନଇଁବ ନାହିଁ। ରୁଷ ଜାଣେ ଯେ ଭାରତ ବିଶ୍ୱର ତୃତୀୟ ବୃହତମ ତୈଳ ଗ୍ରାହକ। ଭାରତର ଭୋକ ଏତେ ବିଶାଳ ଯେ କେବଳ ରୁଷ ଏହାକୁ ପୂରଣ କରିପାରିବ ନାହିଁ। ଯଦି ଭାରତ ଆମେରିକା କିମ୍ବା ଉପସାଗରୀୟ ଦେଶଗୁଡ଼ିକରୁ ତେଲ କିଣେ, ତେବେ ତାହା ଏକ ବଜାର ନିୟମ।
ଟ୍ରମ୍ପ୍‌ ଏହା ଦେଖାଇବାକୁ ଚେଷ୍ଟା କରୁଛନ୍ତି କି, ସେ ଭାରତକୁ ରୁଷଠାରୁ ଅଲଗା କରିଦେଇଛନ୍ତି, କିନ୍ତୁ ଏଥିରେ କୌଣସି ବାସ୍ତବତା ନାହିଁ। ଭାରତ ଆମେରିକାଠୁ ତେଲ କିଣିବାରେ ବି କିଛି ସମସ୍ୟା ନାହିଁ। ରୁଷ ଏହାକୁ ଏକ ସାଧାରଣ ବ୍ୟବସାୟ ପ୍ରକ୍ରିୟା ବୋଲି ଭାବୁଛି।

ଗତ ଦୁଇ ବର୍ଷ ମଧ୍ୟରେ, ୟୁକ୍ରେନ ଯୁଦ୍ଧ ସତ୍ୱେ ଭାରତ ପାଶ୍ଚାତ୍ୟ ଧମକକୁ ଅଣଦେଖା କରି ରୁଷଠାରୁ କମ୍‌ ମୂଲ୍ୟରେ ତେଲ କିଣିଛି। ଯାହା ଭାରତର ଅର୍ଥନୀତିକୁ ମଜଭୁତ କରିବାରେ ସାହାୟକ ମଧ୍ୟ ହୋଇଛି। ବର୍ତମାନ, ଯଦି ଭାରତ ଆମେରିକାଠୁ ତେଲ କିଣେ, ଏହା ଏକ ସନ୍ତୁଳନମୂଳକ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଦେଶିକ ନୀତିର ମୂଳ ଉଦ୍ଦେଶ୍ୟ ହେଉଛି “ପ୍ରଥମେ ରାଷ୍ଟ୍ର’। ଭାରତ ନା ଆମେରିକାର ଗୁଲାମ ନା ଋଷର ଏକ ଗ୍ରାହକ। ଭାରତ ଏକ ସ୍ୱାଧୀନ ଶକ୍ତି। ଭାରତ ସେହି ବଜାରରୁ ସାମଗ୍ରୀ କିଣିବ ଯେଉଁଠାରେ ସେ ସର୍ବୋତମ ଓ ଶସ୍ତା ଡିଲ୍‌ ପାଇବ। ଏବେ ପ୍ରଶ୍ନ ଉଠୁଛି, ଭାରତ ରୁଷ ନିକଟରୁ ଯୋଉ ଦରରେ ତେଲ କିଣୁଥିଲା, ଆମେରିକା ନିକଟରୁ ସେହି ଦରରେ ତେଲ କିଣିବ?