କେସିଙ୍ଗା: ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି। ବଲାଙ୍ଗୀର ଜିଲ୍ଲାରୁ ବହୁ ଲୋକ ଦାଦନରେ ଯାଉଛନ୍ତି। ଏବେ ସେହି ରୋଗ କଳାହାଣ୍ଡିକୁ ଗ୍ରାସ କରିଛି। କଳାହାଣ୍ଡିର କେସିଙ୍ଗା ବ୍ଲକ ଅଧିନସ୍ଥ ଗୋକୁଲେଶ୍ୱର୍ ଓ କେରୋକୁଡ଼ା ଗ୍ରାମର ଦାଦନ ଶ୍ରମିକମାନେ କାଣ୍ଡେଲ ରୋଡ୍ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବିଷୟ ଦୃଷ୍ଟିକୁ ଆସିଛି।
ଏବେ ରବି ଫସଲ ସମୟ। ସମ୍ବଲପୁର, ବରଗଡ଼ ଜିଲ୍ଲାରେ ଧାନରୁଆ ପାଇଁ ଶ୍ରମିକଙ୍କ ଆବଶ୍ୟକତା ପଡୁଛି। ଦଲାଲ ମାଧ୍ୟମରେ ନିରୀହ ଗରିବଙ୍କୁ ଅଧିକ ମଜୁରୀ, ଭଲ ରହଣି ପ୍ରଲୋଭନ ଦେଖାଇ ଦାଦନ ଖଟିବାକୁ ଦୈନିକ କାଣ୍ଡେଲ ଓ କେସିଙ୍ଗା, କଂଟାବାଞ୍ଜି ରେଳଷ୍ଟେସନରେ ଦେଖିବାକୁ ମିଳୁଛି।
ଶ୍ରମିକମାନେ ନିଜ ପରିବାରକୁୁ ସାଙ୍ଗରେ ନେଇ ଦାଦନ ଖଟିବାକୁ ଯାଉଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ସବୁ ଜାଣି ନିରବ ରହୁଛନ୍ତି। ରାଜ୍ୟ ସରକାର ଦାଦନ ସମସ୍ୟାକୁ ରୋକିବାକୁ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା କିଛି ବଖାଣୁଛି।
କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, କୋକସରା, ଜୟପାଟଣା, କେସିଙ୍ଗା, କାର୍ଲାମୁଣ୍ଡା, ଏମ. ରାମପୁର ଆଦି ବ୍ଲକରୁ କେସିଙ୍ଗା ରେଳ ଷ୍ଟେସନରୁ ରାଜ୍ୟ ବାହାର ବିଶାଖାପାଟଣା, ହାଇଦ୍ରାବାଦ, ଦିଲ୍ଲୀ, କର୍ଣ୍ଣାଟକ, ଚେନ୍ନାଇ ଆଦି ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଶ୍ରମିକମାନେ ସୁରକ୍ଷିତ ଭାବେ ଘରକୁ ଫେରୁନାହାନ୍ତି। ଅନେକ ଶ୍ରମିକ ଦାଦନରେ ଯାଇ ଦଲାଲ ଓ ମାଲିକଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଦାଦନ ଶ୍ରମିକମାନେ ବାହାର ରାଜ୍ୟରେ ସୁରକ୍ଷିତ ନୁହନ୍ତି। ଶ୍ରମିକମାନେ ନିର୍ଯାତନାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଜିଲ୍ଲା ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣରେ ଦାବି ହେଉଛି।