ରାଜନଗର: ଉପମୁଖ୍ୟମନ୍ତ୍ରୀଙ୍କ ଭାଷାରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ଚାଷୀଙ୍କ ନୌଟଙ୍କି ଦେଖିବାକୁ ମିଳିଛି। ସରକାରଙ୍କ କଟନୀ ଛଟନି ହେବ ନାହିଁ କଥାଟିକୁ ଅଡ଼ି ଧରିଛନ୍ତି ଚାଷୀ। ଅଭିଯୋଗ କରାଯାଉଛି, ରାଜନଗର ବ୍ଲକରେ ଖୁଲମଖୁଲା ମଣ୍ଡିରେ ଓ ମିଲରେ ଚାଷୀଙ୍କୁ ଶୋଷଣ କରାଯାଉଛି। କେହି ଚାଷୀ ପ୍ରତିବାଦ କଲେ ଟାର୍ଗେଟ ନହିଁ କହି ଚାଷୀଙ୍କୁ ହଇରାଣ କରାଯାଉଛି। ମଣ୍ଡିରେ ସେବା ସମବାଯ ସମିତିର ସମ୍ପାଦକମାନେ ଚାଷୀଙ୍କୁ ଜୁଲମ କରି କୁଇଂଟାଲ ୫ କେଜି କାଟୁଥିବା ବେଳେ ମିଲରେ ୫ କେଜି ପରେ ମନଇଛା ଆଉ କୁଇଂଟାଲ ପିଛା ୨ରୁ ୩ କେଜି କାଟୁଛନ୍ତି। ଚାଷୀଙ୍କ ସମସ୍ୟା ବୁଝିବାକୁ ଓ ମଣ୍ଡିରେ ପହଂଚି ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ କମିଟି ଗଠନ କରିଥିଲେ ମଧ୍ୟ କୌଣସି ଅଧିକାରୀଙ୍କୁ ମଣ୍ଡିରେ ଦେଖିବାକୁ ମିଳୁନି।
ରାଜନଗର ବ୍ଲକର ୧୩ଟି ସେବା ସମବାୟ ସମିତିରେ ଧାନ ବିକିବାକୁ ୭୧୬୮ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ୧୩ଟି ସେବା ସମବାୟ ସମିତି ଚାଷୀଙ୍କ ଠାରୁ ପ୍ରଥମ ଦଫାରେ ୮୦ ହାଜର ୧୯୫ କୁଇଂଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି। ମାତ୍ର ଅଧିକାଂଶ ମଣ୍ଡି ନାଁକୁ ମାତ୍ର ଖୋଲିଥିବା ବେଳେ ଚାଷୀ ସିଧାସଳଖ ଧାନମିଲକୁ ନେଇ ଦେଉଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଜାନୁଆରି ୧୦ ତାରିଖରୁ ମଣ୍ଡି ଖୋଲାଯାଇଥିବା ସରକାରୀ ଭାବେ ଦେଖାଯାଉଥିଲେ ମଧ୍ୟ ରାଜନଗର ବ୍ଲକରେ ଜାନୁଆରି ୨୦ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ରାଜନଗର ବ୍ଲକରେ ଚାଷୀମାନଙ୍କୁ ଧାନ କିଣିବା ନାଁରେ ଶୋଷଣ ଚରମ ସୀମାରେ ପହଂଚିଛି। ଏହି ବ୍ଲକ ଅନ୍ତର୍ଗତ ସାନଓଲରା ଗାଁର ଯାମିନୀକାନ୍ତ ସ୍ୱାଇଁଙ୍କ କହିବା କଥା ହେଲା ଭାଇଙ୍କ ନାଁରେ ଟୋକନ ଥିଲା, ଆମେ ଆମ ଖର୍ଚ୍ଚରେ ଗାଡି କରି ପଦ୍ମାବତୀ ମିଲକୁ ଧାନ ନେଇ ଯାଇଥିଲୁ। କୁଇଂଟାଲ ପିଛା ୨ କିଲୋ ହିସାବରେ ଧାନ କାଟିବାକୁ ଅଡି ବସିଥିଲେ। ନେହୁରା ହେବା ପରେ ୫୯ କୁଇଂଟାଲ ୮୦ କିଲୋ ଧାନରୁ ୮୦ କିଲୋ କାଟି ରଖି ୫୯ କୁଇଂଟାଲ ଧାନ ରିସିଭ କରିଥିବା କାଗଜ ଦେଲେ। ବାଲିସାହିପାଟଣା ସେବା ସମବାଯ ସମିତିରେ କୁଇଂଟାଲ ପିଛା ୫ କେଜି ଧାନ କାଟି ଆମକୁ ଟଙ୍କା ଛଡାଯାଇଛି ବୋଲି କହିଛନ୍ତି। ମିଲର ଜାଣିଶୁଣି ମଣ୍ଡିକୁ ଆସୁନାହାନ୍ତି। ଆମେ ନିଜ ଖର୍ଚ୍ଚରେ ମିଲକୁ ଧାନ ନେଇ ଶୋଷଣର ଶିକାର ହେଉଥିବା କହିଛନ୍ତି।
ସେହିପରି ଜଗନ୍ନାଥପୁର ଶାସନ ଗାଁର ରଜନୀକାନ୍ତ ରଥଙ୍କ କହିବା କଥା ହେଲା ନିଜ ଖର୍ଚ୍ଚରେ ମିଲକୁ ଧାନ ନେଇଥିଲୁ। ମିଲରେ କୁଇଂଟାଲ ପିଛା ୨ କିଲୋ ଲେଖାଏଁ କାଟିକି ଚିଠା ଧରାଇଲେ। ଏବେ ସେବା ସମବାଯ ସମିତିରେ କୁଇଂଟାଲ ପିଛା ୫ କିଲୋ ଲେଖାଏଁ କାଟୁଛନ୍ତି। ଆମେ ୧ ନମ୍ବର ମାନର ଧାନ ଦେଇ ମଧ୍ୟ ଶୋଷଣର ଶିକାର ହେଉଛୁ ବୋଲି କହିବା ସହ କଟନୀ ଛଟନି ବନ୍ଦ କରିବା ସହ ଆମଠାରୁ କାଟି ନିଆଯାଇଥିବା ଧାନର ମୂଲ୍ୟ ଦିଆଯାଉ କହିଛନ୍ତି। ଏ ସମ୍ପର୍କରେ ବାଲିସାହିପାଟଣା ସେବା ସମବାୟ ସମିତିର ସମ୍ପାଦକ ଅମର କୁମାର ବଳଙ୍କୁ ପଚାରିବାରୁ ଆମେ କାଟୁନୁ ଚାଷୀ ମିଲର ଯାହା ନିଷ୍ପତି ନେଇଛନ୍ତି ସେହି ଅନୁସାରେ କଟାଯାଉଛି କହିଛନ୍ତି।