ଗଞ୍ଜାମ (ଏସ୍ ନ୍ୟୁଜ): ଜାନୁଆରୀ ୩ରୁ ଖୋଲିବ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କରୋନା କଟକଣା ପାଇଁ ବନ୍ଦ ରହିଥିଲା ମନ୍ଦିର । ଏବେ ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପାଉଥିବାରୁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ତହସିଲଦାରଙ୍କ ସହ ବୈଠକ ପରେ ଜିଲ୍ଲାର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ପୂର୍ବରୁ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ଧୀରେ ଧୀରେ ରାଜ୍ୟର ଅନେକ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଛନ୍ତି ରାଜ୍ୟ ସରକାର ।ତେଣୁ ସ୍ଥାନୀୟ ପ୍ରଶାସନ ନିଜ ଅଞ୍ଚଳର ସ୍ଥିତିକୁ ଦେଖି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲୁଛନ୍ତି ।