ଆମ ଦୈନନ୍ଦିନ ଭୋଜନର ଅଂଶ ଯେମିତି କି ରିଫାଇନ୍ଡ ବା ଧଳା ଚାଉଳ, ମଇଦା, ଚିନି, ଲୁଣ ଓ ଦୁଗ୍ଧକୁ ପାଂଚ ‘ହ୍ୱାଇଟ୍ ଡେଭିଲ’ ବା ‘ଧବଳ ସୈତାନ’ ରୂପେ ଅଭିହିତ କରିଥିଲେ। ପ୍ରକାଶ ଥାଉ କି ସାମାଜିକ ଗଣମାଧ୍ୟମର ଅନୁପସ୍ଥିତିରେ ସୂଚନାର ବିସ୍ଫୋରଣ ଘଟି ନ ଥିବା ସେହି ସମୟରେ ଉପରୋକ୍ତ ଦ୍ରବ୍ୟଗୁଡିକ ବିଶେଷ ସନ୍ଦେହର ପାତ୍ର ହୋଇ ନ ଥିଲେ; ବରଂ ସ୍ୱାଦିଷ୍ଠ ଭୋଜନର ପ୍ରତିଶ୍ରୁତି ବହନ କରି ଅହରହ ଲୋଡା ଯାଉଥିଲେ। ତେବେ ମେନକା ଗାନ୍ଧୀଙ୍କ ବର୍ଣ୍ଣିତ ସମସ୍ତ ପାଂଚଟି ଯାକ ଭୋଜନ ଉପାଦାନର ଖଳ ଚରିତ୍ର ନେଇ ମତାନୈକ୍ୟ ରହିଥିଲେ ହେଁ ଚିନି, ମଇଦା ଓ ଲୁଣର ପ୍ରାଦୁର୍ଭାବ ନେଇ ଜନ-ଧାରଣାରେ ଅନେକ ପରିବର୍ତନ ଆସିଛି।
ଏହି ପରିପ୍ରେକ୍ଷୀରେ ନିକଟରେ ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ଗଲା ଦୁଇ ବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସମୃଦ୍ଧ ୟୁରୋପୀୟ ରାଷ୍ଟ୍ରଗୁଡିକରେ ଚିନିର ବ୍ୟବହାରରେ ଯଥାକ୍ରମେ ୪.୪% ଓ ୬.୭% ହ୍ରାସ ଘଟିଲାଣି, ଯାହା ବିଶେଷ ପ୍ରଣିଧାନ ଯୋଗ୍ୟ। କାରଣ ଏହି ସବୁ ରାଷ୍ଟ୍ରଗୁଡିକର ନାଗରିକମାନେ ମୁଣ୍ଡ ପିଛା ସର୍ବାଧିକ ପରିମାଣର ଚିନି ବ୍ୟବହାର କରିଥାଆନ୍ତି। ଏବଂ ତା’ ସହିତ ଆଉ ଯାହା ଆଲୋଚନାର ବ୍ୟାପାର ହେବା ଉଚିତ ତାହା ହେଲା ଆମ ଦେଶରେ ଚିନିର ଚାହିଦା, ବ୍ୟବହାର ଓ ତତ୍ ସମ୍ବନ୍ଧୀୟ ସଚେତନତାର ସ୍ଥିତି; କାରଣ ସଂପ୍ରତି ପ୍ରାୟ ୭.୫ କୋଟି ଭାରତୀୟ ମଧୁମେହ ଏବଂ ଦେଶର ଜନସଂଖ୍ୟାର ପ୍ରାୟ ୪୫% ପୃଥୁଳକାୟତାର ଶିକାର, ଯହିଁରେ ନିହିତ ପ୍ରମୁଖ କାରଣଟି ହେଉଛି ଚିନି ସହିତ ଭାରତୀୟମାନଙ୍କ ଅପୂର୍ବ ପ୍ରୀତି!
ଭାରତରେ ମୁଣ୍ଡ ପିଛା ଚିନିର ବ୍ୟବହାର ଦିନକୁ ପ୍ରାୟ ୫୫ ଗ୍ରାମ, ଯାହା ଅନ୍ତର୍ଜାତୀୟ ହାରାହାରି ହାର ଦେନିକ ୬୫ ଗ୍ରାମ ଠାରୁ କମ୍ ହୋଇଥିଲେ ହେଁ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ପରାମର୍ଶ ଅନୁସାରେ ଆଦର୍ଶସ୍ଥାନୀୟ ଦୈନିକ ହାରାହାରି ୨୫ ଗ୍ରାମର ପ୍ରାୟ ଦୁଇଗୁଣ। ଏଣେ, ଏକ ବିଡମ୍ବନା ହେଲା, ଭାରତୀୟ ସଂସ୍କୃତିରେ ସଫଳତା ବା ସିଦ୍ଧି ପ୍ରାପ୍ତି, ସନ୍ତାନ ଲାଭ ନୂଆ ମଟର ଗାଡି କ୍ରୟ ଠାରୁ ନେଇ ପ୍ରେମର ପରିପ୍ରକାଶ, ମାନ ଭଂଜନ ଓ ବିଶେଷ ଦିବସ ଓ ପର୍ବପର୍ବାଣି ପାଳନ ପର୍ଯ୍ୟନ୍ତ ଉତ୍ସବାୟନର ସାମାନ୍ୟତମ ସୁଯୋଗରେ ‘ମୁହଁ ମିଠା’ କରିବା ଠାରୁ ଘେନି ମନ ଖୋଲା ମିଷ୍ଟାନ୍ନ ବାଂଟିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ସାଧାରଣ ବ୍ୟାପାର ହୋଇଥାଏ।
ଯଦିଓ, ସାମାଜିକ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ସଚେତନତା ଓ ଉଚ୍ଚାଟ ଦ୍ୱାରା ଭାରତରେ ମଧ୍ୟ ଚିନି ବ୍ୟବହାରରେ ହ୍ରାସ ଘଟିଛି, କିନ୍ତୁ ଉପଯୁକ୍ତ ସଚେତନତାର ଅଭାବରୁ ଶର୍କରା ପ୍ରିୟ ଭାରତୀୟମାନେ କେଉଁଠି ଚିନିର ଏକ ନିରୀହ ବିକଳ୍ପକୁ ଗୁଡରେ ଆବିଷ୍କାର କଲେଣି ତ ଆଉ କେଉଁଠି ନିର୍ଦ୍ଦୟ ନିଦାଘରେ ତୃଷା ନିବାରଣ ସକାଶେ ମଧ୍ୟ ପାନୀୟ ଜଳ ତୁଳନାରେ ମିଠା ଓ ସୁରଭିତ ମୃଦୁ ପାନୀୟକୁ ଅଧିକ କାତରତାର ସହିତ ଲୋଡିଲେଣି। ପ୍ରକାଶ ଥାଉ କି ଚିନିରେ ଶର୍କରାର ପରିମାଣ ୧୦୦% ହୋଇଥିବା ବେଳେ ଗୁଡରେ ତା’ର ପରିମାଣ ୮୫ ପ୍ରତିଶତ, ଅର୍ଥାତ୍ ମଧୁମେହ ଓ ପୃଥୁଳକାୟତାର ବିପଦ ବଳବତର ରହେ। ଏହା ସତ ଯେ ସିଧାସଳଖ ଚିନି ଖାଇବାରେ ଘଟିଥିବା ହ୍ରାସ କାରଣରୁ ଦେଶରେ ଚିନି ଉତ୍ପାଦନ ନିମ୍ନଗାମୀ(କୋଭିଡ୍ ପୂର୍ବବର୍ତୀ ଉତ୍ପାଦନ ଅଭିବୃଦ୍ଧି ହାର ୪.୮%ରୁ ଖସି ସଂପ୍ରତି ୨.୧%ରେ ପହଂଚିଛି) ହୋଇଛି। କିନ୍ତୁ ‘ଫେଡେରେସନ ଅଫ କୋ-ଅପରେଟିଭ ସୁଗାର ଫାକ୍ଟ୍ରିଜ’ ପକ୍ଷରୁ ଆଶା କରାଯାଇଥାଏ ଯେ ଚିନି ନ ଖାଇବା ଜନିତ ଚାହିଦା ସଂକୋଚନରେ ଯଥେଷ୍ଟ ଭରଣା ଘଟାଇବ ମୃଦୁ ପାନୀୟ ଏବଂ ପ୍ରକ୍ରିୟାକୃତ ସୁମିଷ୍ଟ ଖାଦ୍ୟ ଦ୍ରବ୍ୟ ପ୍ରତି ଭାରତୀୟମାନଙ୍କ ଦୁର୍ବାର ମୋହ!
ଉଲ୍ଲେଖଯୋଗ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ବିତଶାଳୀ ୟୁରୋପୀୟ ଦେଶଗୁଡିକର ନାଗରିକମାନେ ମୁଣ୍ଡ ପିଛା ସର୍ବାଧିକ ପରିମାଣର ଚିନି ବ୍ୟବହାର କରନ୍ତି, ଯାହା ଯଥାକ୍ରମେ ଦୈନିକ ପ୍ରାୟ ୧୨୫ ଗ୍ରାମ ଓ ୯୦ ଗ୍ରାମ। ତେଣୁ ଗଲା ଦୁଇ ବର୍ଷ ଭିତରେ ସେହି ସବୁ ଅଂଚଳରେ ଚିନି ବ୍ୟବହାରରେ ସଂକୋଚନ ଗଣମାଧ୍ୟମର ଶିରୋନାମା ହୋଇଛି। ତେବେ, ଖାଦ୍ୟାଭ୍ୟାସରେ ଏଭଳି ପରିବର୍ତନ ପଛରେ ଦୁଇ ମୁଖ୍ୟ କାରଣ ନିହିତ ବୋଲି କୁହାଯାଉଛି, ଯହିଁରୁ ଗୋଟିଏ ହେଲା, ଚିନିଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟ ଦ୍ରବ୍ୟ ଉପରେ ଅଧିକ ଶୁଳ୍କ ବ୍ୟବସ୍ଥା ଏବଂ ଦ୍ୱିତୀୟଟି ହେଲା ଓଜନ ଲାଘବ କରିବା ସକାଶେ ଅସଂଖ୍ୟ ବ୍ୟକ୍ତି ବ୍ୟବହାର କରୁଥିବା
‘ଓଜେମ୍ପିକ’ ଭଳି କେତେକ ଔଷଧ, ଯାହା କ୍ଷୁଧା ଲୋପ କରିବା ସହିତ ମିଠା ପ୍ରତି ଅରୁଚି ସୃଷ୍ଟି କରେ। ତେବେ, ତା’ ସହିତ ଆଉ ଦୁଇଟି କାରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ହେଲା ଖାଉଟି ସଚେତନତା ଏବଂ କୌଣସି ପ୍ରକ୍ରିୟାକୃତ ଖାଦ୍ୟ ପ୍ୟାକେଟ ଉପରେ ଉପାଦାନଗୁଡିକର ଭାଗମାପର ସ୍ପଷ୍ଟ ଉଲ୍ଲେଖ। କହିବା ଅନାବଶ୍ୟକ ଯେ ସୂଚନାକୁ ଉହ୍ୟ ରଖିବାର ଛଳ ଉଦ୍ୟମକୁ ପ୍ରତିହତ କରିବା ପାଇଁ ସେଠାରେ କଠୋର କାନୁନୀ ବ୍ୟବସ୍ଥା ଅଛି। କିନ୍ତୁ ଆମ ଦେଶରେ ଅଧିକାଂଶ ଖାଉଟି ସଚେତନ ନୁହନ୍ତି; ସେମାନେ ଜାଣି ନ ଥାନ୍ତି ଯେ ବଜାରରେ ଉପଲବ୍ଧ ସମସ୍ତ ପ୍ରକ୍ରିୟାକୃତ ଖାଦ୍ୟରେ ଚିନି ବା ଶର୍କରାର ଉପସ୍ଥିତି ଅଛି; ଏପରିକି ଟମାଟୋ କେଚଅପ ବା ସାଲାଡ ଡ୍ରେସିଂ ଅଥବା ଶୂନ୍ୟ ଶର୍କରା ଓ ଶୂନ୍ୟ କ୍ୟାଲୋରିର ପ୍ରତିଶ୍ରୁତି ବହନକାରୀ ତଥାକଥିତ ‘ହେଲଥି ଡ୍ରିଙ୍କ’ ବା ‘ସ୍ୱାସ୍ଥ୍ୟପ୍ରଦ ପାନୀୟ’ରେ ମଧ୍ୟ! କିନ୍ତୁ ଏ ସମ୍ବନ୍ଧରେ ଅନେକ ପ୍ୟାକେଟରେ ସ୍ପଷ୍ଟ ଉଲ୍ଲେଖ ନ ଥାଏ। କେବଳ ସେତିକି ନୁହେଁ, ଭାରତୀୟମାନଙ୍କ ଶର୍କରା-ଆସକ୍ତି ସକାଶେ ଏଠାରେ ନିୟମରେ ମଧ୍ୟ କୋହଳତା ଦେଖିବାକୁ ମିଳିଥାଏ। ଉଦାହରଣ ସ୍ୱରୂପ କେବଳ ‘ଡାର୍କ ଚକୋଲେଟ୍’ ବ୍ୟତୀତ ଏଠାକାର ବଜାରରେ ଉପଲବ୍ଧ ଅନ୍ୟ ସମସ୍ତ ଚକୋଲେଟରେ ତା’ର ମୁଖ୍ୟ ଉପାଦାନ ‘କୋକଆ’ର ତୀବ୍ର ତିକ୍ତତା ହ୍ରାସ କରିବା ଲାଗି ମାତ୍ରାତିରିକ୍ତ ଚିନିର ବ୍ୟବହାର କରାଯାଏ; ଯେଉଁ କାରଣରୁ ଆମ ଦେଶରେ ଚକୋଲେଟ ମଧ୍ୟ ହେଉଛି ମିଷ୍ଟାନ୍ନର ଏକ ପ୍ରତିରୂପ।
ପାଶ୍ଚାତ୍ୟ ଦେଶର ନିୟମାନୁସାରେ ଚକୋଲେଟ ପଦବାଚ୍ୟ ହେବା ଲାଗି କୋକଆର ପରିମାଣ ସର୍ବନିମ୍ନ ୨୦% ହେବା ଅନିବାର୍ଯ୍ୟ, କିନ୍ତୁ ଆମ ଦେଶରେ ତାହା ମାତ୍ର ୨ ପ୍ରତିଶତ। ତେଣୁ ଅନେକ ସ୍ୱାସ୍ଥ୍ୟ ବିଜ୍ଞାନୀ ମତ ଦିଅନ୍ତି ଯେ ମିଠା ଖାଇବାର ଅଭ୍ୟାସରେ ପରିବର୍ତନ ଘଟାଇବା ଲାଗି ଭାରତ ସରକାର ପ୍ରକ୍ରିୟାକୃତ ଖାଦ୍ୟ ସଂଦର୍ଭରେ କେତେକ ନୂତନ ନିୟମ (ପାଶ୍ଚାତ୍ୟ ଦେଶଗୁଡିକ ଭଳି) ଆଣିବା ଜରୁରି।
ବୈଜ୍ଞାନିକ ଭାବେ ଏହା ପ୍ରମାଣିତ ହୋଇ ସାରିଛି ଯେ ଚିନି ପ୍ରତି ଆସକ୍ତି ଯେ କୌଣସି ମାଦକ ଦ୍ରବ୍ୟ ପ୍ରତି ଆସକ୍ତି ଭଳି ଅତ୍ୟନ୍ତ ତୀବ୍ର ହୋଇପାରେ, ଯାହା ଦୁର୍ନିବାର ଅଭ୍ୟାସକୁ ଜନ୍ମ ଦେଇପାରେ। କଥିତ ଅଛି ଯେ ମାତ୍ରାତିରିକ୍ତ ଚିନି ଖାଉଥିବା ଜଣେ ବାଳକର ବ୍ୟତିବ୍ୟସ୍ତ ମା’ ସେହି ଅଭ୍ୟାସ ଛଡାଇବା ଲାଗି ମହାତ୍ମା ଗାନ୍ଧୀଙ୍କ ଶରଣ ନେଇଥିଲେ। ତାଙ୍କ ଇଚ୍ଛା ଥିଲା ଯେ ଗାନ୍ଧୀ ପିଲାଟିକୁ ସ୍ନେହବୋଳା ଆକଟ କରନ୍ତେ। ଗାନ୍ଧୀ, କିନ୍ତୁ, ତତ୍କ୍ଷଣାତ୍ ପିଲାଟିକୁ କିଛି ନ କହି ସପ୍ତାହେ ସମୟ ମାଗିଥିଲେ; କାରଣ ସେ ନିଜେ ଚିନି ଠାରୁ ଦୂରେଇ ରହିବାର ଅପ୍ରିୟ ଅନୁଭୂତି ଅଙ୍ଗେ ନିଭେଇବାକୁ ଚାହିଁଥିଲେ।
ପୂର୍ବ କାଳରେ ଦରିଦ୍ର ଓ ଶାରୀରିକ ଶ୍ରମରେ ଲିପ୍ତ ଭାରତୀୟଙ୍କ ସକାଶେ ଶର୍କରା (ଗୁଡ ଏବଂ ପରେ ଚିନି) ଥିଲା ଶକ୍ତିର ଏକ ମୁଖ୍ୟ ସ୍ରୋତ, କିନ୍ତୁ ବର୍ତମାନ ଶାରୀରିକ ଶ୍ରମ କୁଣ୍ଠ ବା ମୁକ୍ତ ଓ ସଂପନ୍ନ ଭାରତୀୟମାନଙ୍କ ସକାଶେ ମିଷ୍ଟାନ୍ନ ଭୁଂଜନ ହେଉଛି ଏକ ବିଳାସ, ଯହିଁରୁ ମଧୁମେହ, ହୃଦ୍ରୋଗ, ପୃଥୁଳତା ଭଳି ଜୀବନ ଶୈଳୀଜନିତ ବ୍ୟାଧିଗୁଡିକ ସକାଶେ ଭୂମିକା ପ୍ରସ୍ତୁତ ହୁଏ। ତେଣୁ ଚିନି ପ୍ରତି ମାତ୍ରାତିରିକ୍ତ ଦୁର୍ବଳତାରେ ହ୍ରାସ ଘଟିବା ଯେ ନିତାନ୍ତ ଜରୁରି, ତହିଁରେ ଦ୍ୱିମତ ହେବାର ନାହିଁ। ତେବେ, ଭାରତ ସକାଶେ ଆଉ ଏକ ବିଡମ୍ବନା ହେଲା ଭାରତ ହେଉଛି ପୃଥିବୀର ଅନ୍ୟତମ ବୃହତମ ଚିନି ଉତ୍ପାଦନକାରୀ ଦେଶ। ସୁତରାଂ, ଏଭଳି ସ୍ଥିତିରେ ଚିନି ଉତ୍ପାଦକ ଓ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ, ଚିନିର ଚାହିଦା ହ୍ରାସରେ ଆଖୁ ରସରୁ ଇଥାନଲ ପ୍ରସ୍ତୁତି ନେଇ ନୂଆ ଦିଗନ୍ତ ଖୋଲିପାରେ!
ଅନେକ ଖାଦ୍ୟ ରସିକ, ବିଭିନ୍ନ ବ୍ୟାଧି କାରଣରୁ ଚିନି ବା ମିଠା ଛାଡିବାକୁ ବାଧ୍ୟ ହୋଇ ଜୀବନକୁ ମଧୁରତା ଶୂନ୍ୟ ବୋଲି ଅଭିହିତ କରନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଯେଉଁ କତିପୟ ଚିନିର ବ୍ୟବହାରକୁ ନିୟନ୍ତ୍ରଣରେ ରଖି ବ୍ୟାଧିକୁ କାୟା ବିସ୍ତାର କରିବାକୁ ନ ଦେଇ ସୁସ୍ଥ ଜୀବନ ନିର୍ବାହ କରିପାରନ୍ତି, ସେମାନଙ୍କ ଲାଗି ଶର୍କରା ରହିତ ଜୀବନ ମଧ୍ୟ କମ୍ ମଧୁମୟ ହୋଇ ନ ଥାଏ।