ଯାଜପୁର: ଯାଜପୁର ସହରର ଅନ୍ୟତମ ଆକର୍ଷଣ କୁସୁମା ପୋଖରୀ। ଉକ୍ତ ପୋଖରୀକୁ ବିବାଦରୁ ମୁକ୍ତି ମିଳୁନି। ପ୍ରକଳ୍ପରୁ କୋଟିକୋଟି ଟଙ୍କା ଚାଲାଣ, ଏବେ ପୋଖରୀରୁ ମାଛ ଚାଲାଣ। ମାତ୍ର ଦେଖିବାକୁ ମିଳେ, ପୋଖରୀରେ ମାଛକୁ ନେଇ ଏକ ଅନିୟମିତତା ସାମନାକୁ ଆସିଛି। ବିଗତ ୮ ବର୍ଷ ହେଲା ଏହି ପୋଖରୀରୁ ମାଛଧରା ହୋଇନାହିଁ, ଅଥଚ ମାଛ ସବୁ ରହସ୍ୟଜନକ ଭାବେ ଗାଏବ ହୋଇଯାଉଛି।
୮ ବର୍ଷ ଭିତରେ ଯାଜପୁର ପୌରସଂସ୍ଥା ପ୍ରାୟ କୋଟିଏ ଟଙ୍କାର ରାଜସ୍ୱ ହରାଇଲାଣି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ନିଲାମଧାରୀ ମାଛ ଧରିନି କିନ୍ତୁ ପୋଖରୀରୁ ପ୍ରାୟ ୧୦ ଟନ୍ ମାଛ କୁଆଡେ ଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ମୁତାବକ, କୁସୁମା ପୋଖରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ସେଥିରେ ମାଛ ଚାଷ କରାଯାଇଥିଲା। ଏଥିପାଇଁ ଯାଜପୁର ପୌରସଂସ୍ଥା ବାର୍ଷିକ ୧୨ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ଡାକିଥିଲା। ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଯାଜପୁର ପୌରପାଳିକା ସାନସାହିପୁର ଅଂଚଳର ଦିଲ୍ଲୀପ କୁମାର ଜେନା ନିଲାମ ନେଇଥିଲେ। ପ୍ରଥମ ବର୍ଷ ଶ୍ରୀ ଜେନା ୧୦ ଟନ୍ ମାଛ ଉଠାଇବା ବାବଦରେ ଯାଜପୁର ପୌରପାଳିକାକୁ ସର୍ତ ମୁତାବକ ୧୨ ଲକ୍ଷ ୫୦ ହଜାର ଟଙ୍କା ପୈଠ କରିଥିଲେ। ମାତ୍ର ସେ ମାଛ ଧରି ନଥିଲେ।
ପୁନର୍ବାର ୨୦୨୧ ମସିହାରେ ପୌରପାଳିକା ପକ୍ଷରୁ ନିଲାମ ଡକାଯାଇ ଶ୍ରୀ ଜେନାଙ୍କୁ ୧୪ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଥିଲା। ପ୍ରଥମ ଥର ମାଛ ଧରି ନଥିବା ଶ୍ରୀ ଜେନା ଦ୍ୱିତୀୟ ଥର ୧୪ ଲକ୍ଷ ଟଙ୍କାର ଟେଣ୍ଡର ପାଇଥିଲେ ବି ଅର୍ଥ ପୈଠ କରି ନଥିଲେ। ପ୍ରଥମେ ଜମା କରିଥିବା ୧୨ ଲକ୍ଷ ୫୦ ହଜାର ଟଙ୍କା ଶ୍ରୀ ଜେନା ଏ ପର୍ଯ୍ୟନ୍ତ ଫେରିପାଇ ନଥିବା କହିଛନ୍ତି। ପୌର ସଂସ୍ଥା କାହା ଚାପରେ କୁସୁମାରୁ ମାଛ ଧରୁ ନଥିଲା ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏ ବାବଦରେ ଯାଜପୁର ପୌରନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତଙ୍କୁ ପଚରାଯିବାରୁ ସେ ଏ ସଂପର୍କରେ କିଛି କହିବାକୁ ମନା କରି ଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ୨୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୨ କୋଟି ଟଙ୍କା ବ୍ୟୟରେ କୁସୁମା ପ୍ରକଳ୍ପ ଉଦ୍ଘାଟନ କରିଥିଲେ।
୨୦୧୯-୨୦ରେ ଏହି ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ୍ ଫାଉଂଡେସନ୍ ପାଇଁ ୬ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପ୍ରକଳ୍ପ ସହରର ଅନ୍ୟତମ ଆକର୍ଷଣ ଥିଲେ ମଧ୍ୟ ପ୍ରକଳ୍ପ ନାମରେ ହୋଇଥିବା କେଳେଙ୍କାରୀ ଚର୍ଚ୍ଚାରେ ଥିଲା।
ବିନା କୌଣସି ଫଳକ ଓ ସାଧାରଣରେ ତଥ୍ୟ ପ୍ରକାଶ ନକରି ଦୁଇ ମହଲା ବିଶିଷ୍ଟ ୯ଟି ଭବ୍ୟ କଟେଜ୍ ସହିତ ଏହି ବିଶାଳ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ହୋଇଥିବାରୁ ଏହା ବିବାଦ ଘେରକୁ ଆସିଥିଲା।