ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକାମ୍ର ହଲରେ ଭୁବନେଶ୍ୱର ବିଧାନସଭା କ୍ଷେତ୍ରର -ଏକାମ୍ର, ଉତର, ମଧ୍ୟ ଓ ଜଟଣୀ ବିଧାନସଭା କ୍ଷେତ୍ରର ବୁଥ୍ସ୍ତରୀୟ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ଯୋଡ଼ା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ, ତଥ୍ୟ ସତ୍ୟାପନ ଓ ଘରେ-ଘରେ ଯାଂଚ କାର୍ଯ୍ୟ, ତ୍ରୁଟି ଶୂନ୍ୟ ଭୋଟର ଲିଷ୍ଟ ସମ୍ପର୍କରେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜରମାନଙ୍କୁ ଅବଗତ କରାଇଥିଲେ।
ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର କହିଥିଲେ ଯେ ଘରଘର ବୁଲି ଭୋଟର ମାନଙ୍କ ତଥ୍ୟ ଯାଂଚ କରି ସ୍ୱତନ୍ତ୍ର ସଘନ ସଂଶୋଧନ ମ୍ୟାପିଂ ଶତ ପ୍ରତିଶତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତିଦିନ ବୁଥ ସ୍ତରରୁ ସମୀକ୍ଷା କରି ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କୁ ଅଗ୍ରଗତି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ। ଯେଉଁ ବୁଥ ସ୍ତରରେ କମ ପ୍ରତିଶତ ମ୍ୟାପିଂ ହୋଇଛି ସେ ଅଂଚଳରେ କିପରି ଶତପ୍ରତିଶତ ହୋଇପାରିବ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଏଲଓ ଓ ସୁପରଭାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଅଂଚଳରେ ଏକ କ୍ୟାମ୍ପ କରି ଆଶା, କର୍ପୋରେଟରମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନତା କରି ସେମାନଙ୍କ ମ୍ୟାପିଂକୁ ତ୍ୱରାନ୍ୱିତକରିବା ଦିଗରେ ଆଲୋଚନା କରିଥିଲେ।
ଏସଆଇଆର ସମ୍ଭନ୍ଧରେ ଅଧିକରୁ ଅଧିକ ଭୋଟର ମାନଙ୍କ ମଧ୍ୟରେ ସଚେତନତା, ଇସିଆଇ ନେଟ ଆପ ଡାଉନଲୋଡ କରି ବୁକ ଏ କଲ ୍ଉଇଥ୍ ବିଏଲଓ ମାଧ୍ୟମରେ ଭୋଟରମାନେ କିପରି ନିଜର ମ୍ୟାପିଂ ଓ ନିଜର ଭୋଟର ତାଲିକା ବିଷୟରେ ସନ୍ଦେହ ଦୂର କରିବା ବିଷୟରେ ସଚେତନତା ବୃଦ୍ଧି କରିବା ଉପରେ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅଧିକାରୀମାନେ ବିଏଲଓମାନଙ୍କୁ ସତର୍କତା, ପାରଦର୍ଶିତା ଓ ନିଷ୍ପକ୍ଷତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଜୋର ଦିଆଯାଇଥିଲା।