କୋକସରା: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପୁଣି ଜଣେ ଓଡିଆ ଶ୍ରମିକ ଜୀବନ ହରାଇଛନ୍ତି। ସଂପୃକ୍ତ ଯୁବକଙ୍କ ମୃତଦେହ ବାହୁଡୁଛି। ମୃତ ଯୁବକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚିଲିଗୁଡା ଗ୍ରାମର ବାପଛେଉଣ୍ଡ ବସନ୍ତ ବାଗ (୨୨)। ହାଇଦ୍ରାବାଦର ଜଣେ ଠିକାଦାରଙ୍କ ନିକଟରେ ଦିନ ମଜୁରିଆ ଭାବେ କାମ କରୁଥିଲେ ବସନ୍ତ। ମଙ୍ଗଳବାର ସନ୍ଧ୍ୟାରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା। ସାଥି ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଗଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁଃଖଦ ଖବର ଶୁଣିବା ପରଠାରୁ ମୃତ ବସନ୍ତଙ୍କ ମା’ଙ୍କର ମାନସିକ ସ୍ଥିତି ଠିକ ନାହିଁ। ଖାଲି ବାଉଳି ହେଉଛନ୍ତି। ମୃତ ବସନ୍ତଙ୍କର କିଛି ସଂପର୍କୀୟ ହାଇଦ୍ରାବାଦ ଯାଇ ଏକ ଆମ୍ବୁଲାନ୍ସ ଜରିଆରେ ମୃତଦେହକୁ ଆଣୁଛନ୍ତି। ଏକମାତ୍ର ରୋଜଗାରିଆ ପୁଅକୁ ବଳ କରି ମା’ କୌଣସି ମତେ ଦିନ କାଟୁଥିଲେ। ଆଉ କେତୋଟି ଦାଦନଙ୍କ ମୃତଦେହ ଭିଟାମାଟିକୁ ଫେରିଲେ, ରାଜ୍ୟର ବିଜେପି ସରକାରଙ୍କ ମୁଣ୍ଡରେ ଚେତା ପଶିବ। ନିର୍ବାଚନ ପୂର୍ବରୁ ଦାଦନ ବ୍ୟବସ୍ଥାର ମୂଳୋତ୍ପାଟନ କରିବେ ବୋଲି ଛାତିରେ ହାତପିଟି କହୁଥିଲେ। ମାତ୍ର ସରକାର ଗଠନ କରିବା ପରେ କେବଳ ଦଳ କଥା ଚିନ୍ତା କରୁଛନ୍ତି।
ସୁଭଦ୍ରା ଟଙ୍କା ଧରାଇ ଦେଇ ରାଜ୍ୟର ଖଣିଖାଦାନ, ଜମି, ଜଳ, ଜଙ୍ଗଲ ଲୁଟିବାର ଯୋଜନା ଚାଲିଛି। ମାତ୍ର ଦାଦନମୁକ୍ତ ଓଡ଼ିଶା ଗଠନ କରିବା ଦିଗରେ ମୋହନ ସରକାର ସଂପୂର୍ଣ୍ଣ ଚୁପ।