ବୌଦ୍ଧ ଜିଲାରୁ ସ୍ଥାନୀୟ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନିଜର ସମସ୍ତ ରାଜନୈତିକ ପ୍ରତିନିଧିଙ୍କୁ ହଟାଇବା ପରେ ବୌଦ୍ଧ ଜିଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ସାଂସଦଙ୍କ ଅଚାନକ ଏଭଳି ପଦକ୍ଷେପ ଯୋଗୁଁଁ ଜିଲା ବିଜେପି ନେତା ଓ କର୍ମୀମାନଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଛି। ଅଧିକାଂଶ ପ୍ରତିନିଧି ସାମାଜିକ ଗଣମାଧ୍ୟମରୁ ବିଦା ହୋଇଥିବା ବିଷୟ ଜାଣିବାକୁ ପାଇଥିଲେ। ତେବେ ସାଂସଦ ମହୋଦୟ କେଉଁ ପରିସ୍ଥିତିରେ ଏବଂ କାହିଁକି ସେମାନଙ୍କୁ ଦାୟିତ୍ୱରୁ ଅନ୍ତର କଲେ କାହା ପାଖରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ବୌଦ୍ଧ ଜିଲା ରାଜନୀତିରେ ପ୍ରଥମଥର ପାଇଁ ଏଭଳି ଘଟଣା ଗାଁ ଗାଁରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।
ଏ ବିଷୟରେ ସ୍ଥାନୀୟ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ଦୁଇବର୍ଷ ପରେ ତାଙ୍କର ପ୍ରତିନିଧି ଭାବେ ବ୍ଲକ ଓ ଏନ୍ଏସିସ୍ତରରେ ହୋଇଥିବା ନିଯୁକ୍ତିକୁ ରଦ୍ଦ କରାଯିବା ପଛରେ କୌଣସି କାରଣ ନାହିଁ।
ଶୀଘ୍ର ଦଳୀୟ ସଂଗଠନର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ପରେ ନୂତନ ପ୍ରତିନିଧି ନିଯୁକ୍ତି କରାଯିବ ବୋଲି ସେ ସୂଚନା ଦେଇଥିଲେ।
୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ଶ୍ରୀ ପାଣିଗ୍ରାହୀଙ୍କ ବିଜୟ ପରେ ବୌଦ୍ଧ ଜିଲାର ବୌଦ୍ଧ ବ୍ଲକ ପାଇଁ ସରୋଜ କୁମାର ମେହେର, ହରଭଙ୍ଗା ପାଇଁ ରବିନାରାୟଣ ପ୍ରଧାନ, କଂଟାମାଳ ବ୍ଲକ ପାଇଁ ଦୀପକ ବେହେରା ଓ ବୌଦ୍ଧ ଏନ୍ଏସି ପାଇଁ ସୌମିତ୍ରୀ କୁମାର ନାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଥିଲେ। ହଠାତ୍ ଜାନୁଆରୀ ୨୯ ତାରିଖ ରାତିରେ ପ୍ରତିନିଧିମାନଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା। ଗତ ଦେଢବର୍ଷ ଧରି ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ପ୍ରତିନିଧିଙ୍କ ଜରିଆରେ ଜନସେବା ଜାରି ରଖିଥିଲେ। ତାଙ୍କ ଅନୁପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁଥିଲା। ତେବେ ସାଂସଦଙ୍କ ପ୍ରତିନିଧିମାନଙ୍କ ନିଯୁକ୍ତି ରଦ୍ଦ ପତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ଜିଲାର ରାଜନୈତିକ ବାତାବରଣ ଉଷ୍ମ ପାଲଟି ଯାଇଛି । ସାଂସଦ ପ୍ରତିନିଧି ମାନଙ୍କ ବିଦା ହେବାର କାରଣ କ’ଣ ହୋଇପାରେ ସେନେଇ ବିଭିିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା।
ଶାସକ ବିଜେପି ଓ ବିରୋଧୀ ଦଳର କର୍ମୀମାନେ ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ ମତ ପ୍ରକାଶ କରୁଥିବା ଦେଖାଯାଉଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିନିଧି ପଦରୁ ଦାୟିତ୍ୱମୁକ୍ତ ହୋଇଥିବା ଶାସକ ଦଳର କାର୍ଯ୍ୟକର୍ତାଙ୍କ ସହ ଯୋଗାଯୋଗ କରାଯାଇ ଏହାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ଏନେଇ ବୌଦ୍ଧ ଏନ୍ଏସି ଓ ବ୍ଲକ ପ୍ରତିନିଧିମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ସେମାନେ ନିଯୁକ୍ତି ରଦ୍ଦ ପଛର କାରଣ ଜାଣିନାହାନ୍ତି ଏବଂ ଏହି ନିଷ୍ପତି ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ପ୍ରଭାବିତ କରିବ। ଅନ୍ୟପଟେ ଜିଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର କହିଛନ୍ତି, ଏହା ଦଳରେ ସାଂଗଠନିକ ବିଶୃଙ୍ଖଳା ସୃଷ୍ଟି କରିବ। ଯଦିଓ ଜିଲାରେ, ନିର୍ବାଚନ ମଣ୍ଡଳୀରେ କିମ୍ବା ବ୍ଲକସ୍ତରରେ କାହାକୁ ପ୍ରତିନିଧି ଭାବେ ଦାୟିତ୍ୱ ଦେବେ ତାହା ନିର୍ବାଚିତ ସାଂସଦଙ୍କ ବ୍ୟକ୍ତିଗତ କ୍ଷମତା ଓ ନିଷ୍ପତି ଉପରେ ନିର୍ଭର କରେ, ତେବେ ଦଳର ବିଚାରଧାରା ସହ ସମ୍ପୃକ୍ତ, ସାଂଗଠନିକ ଦକ୍ଷତା ଓ ଶୃଙ୍ଖଳିତ କାର୍ଯ୍ୟକର୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଗଲେ ଦଳୀୟ ସଙ୍ଗଠନ ସୁଦୃଢ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଜିଲା ସଂଗଠନ ପକ୍ଷରୁ ଅବଗତ କରାଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ସାଂସଦ ପ୍ରତିନିଧିଙ୍କ ନିଯୁକ୍ତି ରଦ୍ଦର କାରଣ ଯାହା ହେଉନା କାହିଁକି ଏହି ନିଷ୍ପତି ପରେ ବୌଦ୍ଧ ଜିଲା ବିଜେପିରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏହି ଖବର ଜଣାପଡ଼ିବା ପରେ ବୌଦ୍ଧ ଓ କଂଟାମାଳ ବିଧାୟକଙ୍କୁ ବହୁ ଦଳୀୟକର୍ମୀ ଭେଟି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଂସଦଙ୍କ ନୂତନ ପ୍ରତିନିଧି ନିଯୁକ୍ତିପତ୍ର ଅନୁଯାୟୀ ଜିଲାରେ ଜିଲା ପ୍ରତିନିଧି ଭାବେ ଯୁଗଳ କିଶୋର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ପଂଚାୟତରୁ ଜିଲା ପର୍ଯ୍ୟନ୍ତ ସମ୍ପୃକ୍ତ ପ୍ରତିନିଧି ସରକାରୀ ଓ ବେସରକାରୀ ସ୍ତରରେ ଏବଂ ଦଳୀୟ ସଂଗଠନ ପାଇଁ ସାଂସଦଙ୍କ ଅଭାବ ପୂରଣ କରିବାରେ କେତେ ସମର୍ଥ ହୋଇପାରିବେ ତାହା ସମୟ କହିବ !