ରୁଷରେ ବିଦେଶୀ ସାମାଜିକ ମିଡିଆ ବ୍ୟବହାର ନିଷେଧ

ରୁଷରେ ଏକ ବଡ଼ ଧରଣର ସୋସିଆଲ ମିଡିଆ …

ମସ୍କୋ: ରୁଷରେ ଏକ ବଡ଼ ଧରଣର ସୋସିଆଲ ମିଡିଆ ଷ୍ଟ୍ରାଇକ୍‌ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ପୁଟିନ ସରକାର ହ୍ୱାଟସଆପ୍‌, ୟୁଟ୍ୟୁବ୍‌ ଏବଂ ଇନଷ୍ଟାଗ୍ରାମ ସମେତ ବହୁ ବିଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷେଧ କରିଛନ୍ତି।

ପ୍ରାୟ ୧୦୦ ନିୟୁତ ବ୍ୟବହାରକାରୀଙ୍କୁ ବ୍ଲକ କରାଯାଇଛି ଏବଂ ନାଗରିକମାନଙ୍କୁ ଘରୋଇ ସୋସିଆଲ ନେଟୱାର୍କିଂ ସାଇଟ୍‌ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମକୁ ନିଷେଧ କରିବାର ନିଷ୍ପତି ଜନସାଧାରଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଏବଂ ଅପବ୍ୟବହାର ହୋଇପାରୁଥିବା ବ୍ୟକ୍ତିଗତ ତଥ୍ୟର ଲିକ୍‌କୁ ରୋକିବା ପାଇଁ ନିଆଯାଇଛି।

ରୁଷୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଖୁବ୍‌ ଶୀଘ୍ର ଲଂଚ କରିବା ପାଇଁ ସର୍ବେକ୍ଷଣ ଶେଷ ହୋଇଛି। ରୁଷର ପୁଟିନ ସରକାର ଦେଶୀୟ ସୋସିଆଲ ନେଟୱାର୍କିଂ ସାଇଟ୍‌ ପରୀକ୍ଷଣ ସମାପ୍ତ କରିଛନ୍ତି ଏବଂ ଏହାକୁ ଖୁବ୍‌ ଶୀଘ୍ର ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ସରକାର କହିଛନ୍ତି ଯେ ସ୍ଥାନୀୟ ମେସେଜିଂ ଏବଂ ମନୋରଞ୍ଜନ ଆପ୍‌ ଅଧିକ ସୁରକ୍ଷିତ ଏବଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ। ଏହା ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବା ରୋକିବ ଏବଂ ଗୋପନୀୟତା ବଜାୟ ରଖିବ। ତେଣୁ, ଦେଶର ଜାତୀୟ ଡୋମେନ୍‌ ନେମ୍‌ ସିଷ୍ଟମ୍‌ (ଊଘଝ) ରୁ ବିଦେଶୀ ସୋସିଆଲ ନେଟୱାର୍କିଂ ସାଇଟର ଡୋମେନ୍‌ଗୁଡ଼ିକୁ ହଟାଇ ଦିଆଯାଇଛି।
ଇଂଟରନେଟ୍‌ ସେବା ପ୍ରଦାନକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ ଜାରି କରାଯାଇଛି। ହ୍ୱାଟ୍‌ସଆପ୍‌, ୟୁଟୁବ୍‌ ଏବଂ ଇନଷ୍ଟାଗ୍ରାମ ବ୍ୟତୀତ, ରୁଷରେ ବିବିସି, ଡଚେ ୱେଲେ, ରେଡିଓ ଫ୍ରି ୟୁରୋପ, ରେଡିଓ ଲିବର୍ଟି ଏବଂ ଅଜ୍ଞାତ ଟୋର୍‌ ବ୍ରାଉଜରକୁ ମଧ୍ୟ ବ୍ଲକ କରାଯାଇଛି। ସରକାର ସମସ୍ତ ଇଂଟରନେଟ୍‌ ପ୍ରଦାନକାରୀଙ୍କୁ ଜାତୀୟ ଡୋମେନ୍‌ ନାମ ସିଷ୍ଟମ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦେଶର ‘ସାର୍ବଭୌମ ଇଂଟରନେଟ୍‌’ ଆଇନ ଅନୁଯାୟୀ ଏକ ଆବଶ୍ୟକତା।
୨୦୨୧ ମସିହାରେ, ଗୁଗୁଲ୍‌ ଡିଏନଏସ୍‌ ସମେତ ଅନ୍ୟାନ୍ୟ ଡିଏନଏସ୍‌ ସିଷ୍ଟମର ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲା। ଏହା ଉଲ୍ଲେଖନୀୟ ଯେ ରୁଷର ପୁଟିନ୍‌ ସରକାର ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି, ଯେତେବେଳେ ଡେନମାର୍କ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିଛନ୍ତି।

ସ୍ପେନିସ୍‌ ସରକାର ମଧ୍ୟ ୧୬ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ନିଷେଧ ଘୋଷଣା କରିଛନ୍ତି। ଭାରତରେ ମଧ୍ୟ, ପିଲା ଏବଂ ନାବାଳକମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିବା ପାଇଁ ଦାବି ଉଠୁଛି, କାରଣ ଏହା ସେମାନଙ୍କ ଭବିଷ୍ୟତକୁ ବିପଦରେ ପକାଇଥାଏ।