ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ….

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ ଥିବାରୁ ଆମେରିକାର ପ୍ରଶାନ୍ତ ମହାସାଗରୀୟ ରଣନୀତି ପାଇଁ ଭାରତ ଅପରିହାର୍ଯ୍ୟ ହୋଇଛି। ଆମେରିକାର ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ଶାସନର ଲଗାତର ୫ଟି ପ୍ରଶାସନ ସେମାନଙ୍କ ଭାଗୀଦାରିକୁ ଦୃଢ଼କରିବା ସକାଶେ ଅତ୍ୟଧିକ ନିବେଶ କରିଛନ୍ତି। ସେମାନେ ଭାରତକୁ କେବଳ ଏକ ମାର୍କେଟ ଭାବେ ଦେଖିନାହାନ୍ତି, ବରଂ ଏହାକୁ ଏକ ଦୀର୍ଘମିଆଦୀ ରଣନୀତିକ ଭାଗୀଦାରି ଭାବେ ଚୟନ କରିଛନ୍ତି। ହେଲେ ସେହି ସମୟରେ ଭାରତ ସହ ଆମେରିକାର ଯେଉଁ ସଦ୍‌ଭାବନା ଗଢ଼ିଉଠିଛି, ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ରାଷ୍ଟ୍ରପତି ହେବା ପରେ ତାହା ଦ୍ରୁତଗତିରେ ଅବକ୍ଷୟ ହେବାରେ ଲାଗିଛି। ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାପରେ ସାର୍ବଜନୀନ ସ୍ତରରେ ଅପମାନ କରାଯିବାର ପଦକ୍ଷେପ ଓ ଏକ କଷ୍ଟଦାୟକ ବାଣିଜ୍ୟିକ ଯୁଦ୍ଧ ସାମ୍ନାକୁ ଆସିଛି। ଆମେରିକା ଭୂରାଜନୈତିକ ଚାପର ସାଧନ ଭାବେ ଟାରିଫ୍‌କୁ ପ୍ରୟୋଗ କରୁଛି। ଫେବୃଆରୀ ୨ରେ ଘୋଷଣା କରାଯାଇଥିବା ମଧ୍ୟବର୍ତିକାଳୀନ ବାଣିଜ୍ୟିକ ଚୁକ୍ତି ଅର୍ଥନୈତିକ ଯୁଦ୍ଧକୁ ରୋକିପାରେ, କିନ୍ତୁ କୌଣସି ରଣନୀତିକ ଭାଗୀଦାରି ପାଇଁ ଆବଶ୍ୟକ ବିଶ୍ୱସନୀୟତା ଶୀଘ୍ର ପୁନଃ ସ୍ଥାପନ ହେବାର କୌଣସି ସମ୍ଭାବନା ନାହିଁ।

ଭାରତ ଉପରେ ଆମେରିକା ଲାଗୁ କରିଥିବା ଅତ୍ୟନ୍ତ ପ୍ରଭାବୀ ଟାରିଫ୍‌କୁ ୫୦%ରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇ ନୂତନ ଭାବେ ଘୋଷଣା ହୋଇଥିବା ଚୁକ୍ତି ଭାରତକୁ ସ୍ୱଳ୍ପମିଆଦୀ ଆଶ୍ୱସ୍ତି ଦେଇପାରେ। କିନ୍ତୁ ଆମେରିକାର ଶିଳ୍ପ ଉତ୍ପାଦ ଓ ବ୍ୟାପକ କୃଷିଭିତିକ ସାମଗ୍ରୀ ଉପରେ ଭାରତ ପାଖାପାଖି ଶୂନ ଟାରିଫ୍‌ ଦିଗରେ ଆଗକୁ ବଢ଼ିବା ସହ ଅନେକ ସର୍ତ ଏଥିରେ ଜଡ଼ିତ ରହିଛି। ଦେଖିବାକୁ ଗଲେ ଦେଶରେ ସବୁଠୁ ଅଧିକ ନିଯୁକ୍ତି ସୃଷ୍ଟି କରୁଛି କୃଷିକ୍ଷେତ୍ର। ଏଭଳି ଏକ ସମ୍ବେଦନଶୀଳ କ୍ଷେତ୍ରକୁ ମୁକ୍ତ କରିଦେଇ ଆମେରିକାରୁ ପ୍ରଚୁର ଆମଦାନୀ କରିବା ପାଇଁ ଭାରତ ନେଇଥିବା ନିଷ୍ପତିକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଗଲାଣି। ଏତିକିରେ ଶେଷ ହୋଇନାହିଁ। ଭାରତ ମଧ୍ୟ ଆଗାମୀ ୫ ବର୍ଷ ମଧ୍ୟରେ ୫୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ କିଣିବାକୁ ରାଜିହୋଇଛି। ରିହାତିରେ ପାଉଥିବା ରୁଷିଆ ତେଲ ପରିବର୍ତେ ବଜାର ଦରରେ ଆମେରିକାରୁ ଶକ୍ତି କ୍ରୟ କରିବ, ଯେଉଁଥିରେ ଅତିରିକ୍ତ ପରିବହନ ଖର୍ଚ୍ଚ ସାମିଲ ରହିଛି। ଏହି ସମୟରେ ଭାରତ ପ୍ରତି ଆମେରିକା କୌଣସି ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିନାହିଁ। ଏହି ଏକତରଫା ମୂଲଚାଲରେ ଏକ ସ୍ଥାୟୀ, ପାରସ୍ପରିକ ଓ ନିୟମ ଆଧାରିତ ଭାଗୀଦାରି ଥିବା ଭଳି ଦେଖାଯାଉନାହିଁ। ବରଂ ଆମେରିକାର ବାଣିଜ୍ୟ ନୀତି କେତେ ମାତ୍ରାରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ ନିୟମରୁ ଦୂରେଇଯାଇଛି ତାହା ଏହି ଚୁକ୍ତିରୁ ସାମ୍ନାକୁ ଆସିଛି। ଭଲ ଭାବରେ ବୁଝାପଡ଼ୁଛି ଯେ ସମ୍ଭବତଃ ଏହା ଏକ ରଣନୀତିକ ବୁଝାମଣା ନୁହେଁ, ବରଂ ଉତେଜନା ହ୍ରାସକରିବା ସକାଶେ କରାଯାଇଥିବା ଚୁକ୍ତି।

ଯେଉଁ ପ୍ରକାରେ ଏହି ଚୁକ୍ତି ଘୋଷଣା କରାଗଲା ତାହା ଏହି ବିଷୟକୁ ଅଧିକ ଦୃଢ଼ କରେ-ବିଶେଷକରି, ସମାନ ଭାଗୀଦାରିର ସଙ୍କେତ ଦେବାକୁ ଉଭୟ ଦେଶର ରାଜଧାନୀରେ ଦ୍ୱିପାକ୍ଷିକ ବୁଝାମଣା କିମ୍ବା ମିଳିତ ଘୋଷଣାନାମା ଏକାବେଳକେ ଘୋଷଣା କରାଯାଇଥିଲା। ଭାରତ ନିକଟରେ ୟୁରୋପୀୟ ସଂଘ ସହ ମୁକ୍ତ-ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ବୈଶ୍ୱିକ ଜିଡିପିର ପ୍ରାୟ ୨୫% ଏବଂ ବିଶ୍ୱ ବାଣିଜ୍ୟର ଏକ ତୃତୀୟାଂଶକୁ ନେଇ ବାଣିଜ୍ୟିକ କରିଡର ସୃଷ୍ଟି କରୁଥିବା ଏହି ଚୁକ୍ତିକୁ ଉଭୟପକ୍ଷ ‘ମଦର ଅଫ୍‌ ଅଲ୍‌ ଡିଲ୍ସ’ ବା ସବୁ ଚୁକ୍ତିର ଜନନୀ ଭାବେ ପ୍ରଚାର କରିଥିଲେ। ଅପରପଟେ, ଆମେରିକା- ଭାରତ ଚୁକ୍ତି ପ୍ରଥମେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ଟ୍ରମ୍ଫ୍‌ ଚୁକ୍ତିକୁ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ଦର୍ଶାଇଥିଲେ ଯେ, ବନ୍ଧୁତ୍ୱ ଓ ସମ୍ମାନ ଦୃଷ୍ଟିରୁ ଚୁକ୍ତି ପାଇଁ ମୋଦିଙ୍କ ଅନୁରୋଧକୁ ସେ ସ୍ୱୀକୃତି ଦେଇଛନ୍ତି। କିଛିଦିନ ପରେ ଭାରତୀୟ ସମୟ ସକାଳ ୫ଟାରେ ଚୁକ୍ତିର ସର୍ତକୁ ଦର୍ଶାଇ ହ୍ୱାଇଟ ହାଉସ ଏକ ମିଳିତ ବିବୃତି ଜାରି କଲା। ତା’ପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ରୁଷିଆ ତେଲ ଆମଦାନୀ ବନ୍ଦ କରିବାର ପ୍ରତିଶ୍ରୁତିକୁ ଭାରତ ଉଲ୍ଲଂଘନ କରିଥିବା ଯଦି ଆମେରିକା ଜାଣିବ ତେବେ ଦଣ୍ଡସ୍ୱରୂପ ଟାରଫ୍‌ ପୁଣି ଲାଗୁ କରିବ ବୋଲି ରାଷ୍ଟ୍ରପତିଙ୍କ ଏକ ଆଦେଶ ଟ୍ରମ୍ପ୍‌ ପ୍ରଶାସନ ଜାରି କଲା, ଯାହା ସ୍ଥିତିକୁ ଆହୁରି ଖରାପ କରିଦେଲା। ଭାରତୀୟ ଶକ୍ତି ଆମଦାନୀକୁ ଆମେରିକାର ଜାତୀୟ ସୁରକ୍ଷା ପ୍ରସଙ୍ଗ ଭାବେ ଦର୍ଶାଇ ପ୍ରଶାସନ ଆର୍ଥିକ ବୁଝାମଣାକୁ ଏକ ଅନୁପାଳନର ପରୀକ୍ଷାରେ ପରିଣତ କରିଦେଇଛି। ଭାରତକୁ ଏହା ସ୍ପଷ୍ଟ ବାର୍ତା ଦେଇଛି ଯେ, କେବଳ ଆମେରିକା ଦ୍ୱାରା ଅନୁମୋଦିତ କଟକଣା ମଧ୍ୟରେ ସ୍ୱାୟତତାକୁ ସହ୍ୟ କରାଯିବ।
ଭାରତୀୟ ନେତାମାନେ ଚୁକ୍ତିକୁ ଏକ ବିଜୟ ଭାବେ ଉପସ୍ଥାପିତ କରିଛନ୍ତି। ଦର୍ଶାଇଛନ୍ତି ଯେ, ଭାରତ ଏବେ ଚାଇନା ଏବଂ ଭିଏତ୍‌ନାମ ତୁଳନାରେ କମ୍‌ ଟାରିଫ୍‌ର ସମ୍ମୁଖୀନ ହୋଇଛି। କିନ୍ତୁ ଏକ ସମ୍ପର୍କ ପାଇଁ ଏହା ଏକ ନିମ୍ନସ୍ତରର ମାନଦଣ୍ଡ, ଯାହାକୁ ଲଗାତର ଭାବେ ଆମେରିକା ପ୍ରଶାସନଗୁଡ଼ିକ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଆସିଛନ୍ତି। ସମ୍ଭବତଃ ସେସବୁ ଭଲ ଭାବେ ସଚେତନ ଥିଲେ ଯେ, ଟ୍ରମ୍ପ୍‌ ଏହାକୁ ସମର୍ଥନ କରି ନ ପାରନ୍ତି। ସବିଶେଷ ବୁଝାମଣା ଏଯାବତ ଚୂଡ଼ାନ୍ତ ହୋଇନାହିଁ ଏବଂ ଟ୍ରମ୍ପ୍‌ ତାଙ୍କ ମାନସିକତାରେ ପରିବର୍ତନ କରିବା, ଚୁକ୍ତିକୁ ରଦ୍ଦ କରିବା ଏବଂ ନୂଆ ଦାବି ଉପସ୍ଥାପନ କରିବାର ଏକ ଲମ୍ବା ଇତିହାସ ରହିଛି। ଆଗକୁ ଯାହା ବି ଘଟୁ, ଭାରତ କେବେ ବି ଟ୍ରମ୍ପ୍‌ଙ୍କ ଅତୀତର ବିଶ୍ୱାସଘାତକତାକୁ ଶୀଘ୍ର ଭୁଲିପାରିବ ନାହିଁ। କେବଳ ଏତିକି ନୁହେଁ , ଭାରତର ଅଭିବୃଦ୍ଧି ଅନ୍ୟ ସବୁ ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ଟପି ଯାଇଥିଲେ ବି ସେ ଗତ ଜୁଲାଇରେ ଭାରତକୁ ‘ମୃତ ଅର୍ଥ ବ୍ୟବସ୍ଥା’ ବୋଲି ଦର୍ଶାଇ ଦେଇଥିବା ଅପମାନକୁ ମଧ୍ୟ ଭାରତ ଏଡ଼ାଇ ଯାଇପାରିବ ନାହିଁ।

ଦେଖିବାକୁ ଗଲେ, ଟ୍ରମ୍ପ୍‌ଙ୍କ କୃପାଦୃଷ୍ଟି ଭାରତକୁ ଲାଭ ଦେଇପାରେ। ଟ୍ରମ୍ପ୍‌ ବୈଦେଶିକ ନୀତିରେ ନେଣଦେଶ ଭାବନାକୁ ପ୍ରକାଶକରି ସେ ଦର୍ଶାଇଛନ୍ତି, ତାଙ୍କ ନେତୃତ୍ୱରେ ଆମେରିକା ଏକ ବିଶ୍ୱସ୍ତ ରଣନୀତିକ ଭାଗୀଦାରି ନୁହେଁ। ଫଳରେ ଭାରତ ସରକାର ଦେଶର ଆର୍ଥିକ ସମ୍ପର୍କକୁ ଆମେରିକାଠାରୁ ଦୂରେଇନେଇ ଅନ୍ୟତ୍ର ମୁହାଁଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ଇୟୁ ସହ ଏଫ୍‌ଟିଏ ଏବଂ ଇଂଲଣ୍ଡ ସହ ହୋଇଥିବା ଚୁକ୍ତିରୁ ସାମ୍ନାକୁ ଆସିଛି। ଆମେରିକା ସହ ନୂଆ ବାଣିଜ୍ୟ ଚୁକ୍ତି ହେଲେ ମଧ୍ୟ ଏହି ପଦକ୍ଷେପ ଆଗକୁ ଜାରି ରହିବା ସମ୍ଭାବନା ରହିଛି। ମାର୍କେଟଗୁଡ଼ିକ ମଧ୍ୟ ଆମେରିକା ଉପରେ ଅତ୍ୟଧିକ ବିଶ୍ୱାସ ରଖିବା ସମ୍ଭାବନା କମ୍‌। ବାଣିଜ୍ୟ ଚୁକ୍ତି ଖବର ଭାରତରେ ଶେୟାର ବଜାରରେ ବୃଦ୍ଧି ଘଟାଇଲା, କିନ୍ତୁ ଲାଭ ସ୍ୱଳ୍ପକାଳୀକ ହୋଇପାରେ।

ଟାରିଫ୍‌ କିମ୍ବା ଧମକ ଦ୍ୱାରା ରଣନୀତିକ ଭାଗୀଦାରି ବଜାୟ ରଖାଯାଇପାରେ ନାହିଁ; ଏହା କେବଳ ପୂର୍ବାନୁମାନଶୀଳତା, ପାରସ୍ପରିକ ସମ୍ପର୍କ ଓ ସଂଯମ ଯୋଗୁ ସମ୍ଭବ ହୁଏ , ଯାହା ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ସମୟରେ ସ୍ପଷ୍ଟରୂପେ ଦେଖିବାକୁ ମିଳୁନାହିଁ। ଆମେରିକା ସାବଧାନ ରହିବା ଉଚିତ। ଧମକ ଓ ଚାପରେ ଟ୍ରମ୍ପ୍‌ ଯାହା ବି ସ୍ୱଳ୍ପମିଆଦୀ ସୁବିଧା ବା ଲାଭ ହାସଲ କରନ୍ତୁ ନା କାହିଁକି , ପୂର୍ବ ପ୍ରଶାସନଗୁଡ଼ିକ ଦ୍ୱାରା ସ୍ୱୀକୃତ ଭାଗୀଦାରିତାକୁ ଅସ୍ଥିର କରିବାର ଦୀର୍ଘକାଳୀକ କ୍ଷତି ଯୋଗୁ ତାହା ହ୍ରାସ ପାଇବ। ଏଭଳି ଭାଗୀଦାରି କେବଳ ଭାରତ-ପ୍ରଶାନ୍ତସାଗରୀୟ ଅଂଚଳ ନୁହେଁ ବରଂ ଅନ୍ୟଠାରେ ମଧ୍ୟ ଆମେରିକାର ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ।