ଟୋକନ୍‌ ଥାଇ ଚାଷୀଙ୍କ ପରିବାର ବିକି ପାରିଲେନି ଧାନ

ବଲାଙ୍ଗିର ଜିଲ୍ଲାରେ ଚାଷୀଙ୍କ ସମସ୍ୟା ସୁଧୁରିବା …

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଚାଷୀଙ୍କ ସମସ୍ୟା ସୁଧୁରିବା ନାଁ ଧରୁ ନାହିଁ। ଖରିଫ ଧାନ ବିକ୍ରି ପୂର୍ବରୁ ପ୍ୟାକ୍ସରେ ପଞ୍ଜୀକୃତ ଚାଷୀଙ୍କ ମୃତ୍ୟୁ ପରେ ଟୋକନ ମିଳିଥିଲେ ହେଁ ପରିବାର ଲୋକେ କଷ୍ଟ ଉପାର୍ଜିତ ଧାନ ପ୍ୟାକ୍ସରେ ବିକ୍ରି କରି ନ ପାରି କ୍ଷତିଗ୍ରସ୍ତ ହୋଇଛନ୍ତି। ଟୋକନ ଅବଧି ସରିଯିବା ପରେ ବାଧ୍ୟ ହୋଇ କମ୍‌ ଦରରେ ଦଲାଲ ହାତରେ ଟେକି ଦେଇ ୨.୫ ଲକ୍ଷ ଟଙ୍କା କ୍ଷତି ସହିଥିବା ଅଭିଯୋଗ ହୋଇଛି।

ଆଗଲପୁର ବ୍ଲକ ବକଟି ଗାଁରେ ଏଭଳି ଏକ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି। ଏହାକୁ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରକାଶ ଯେ ବକଟି ଗାଁର ବିପିନ ବିହାରୀ ହୋତାଙ୍କ ପୁଅ ସୁଧାଂଶୁ ଶେଖର ହୋତା (୪୭) ପ୍ରାୟ ୧୦ ଏକର ଜମିରେ ଧାନଚାଷ କରିଥିଲେ। ୧୮୦ କ୍ୱିଂଟାଲ ଧାନ ବିକିବା ପାଇଁ ନିର୍ଦ୍ଧାରିତ ସମୟରେ ବକଟି ପ୍ୟାକ୍ସରେ ପଞ୍ଜୀକରଣ କରିଥିଲେ। ଗତ ଅଗଷ୍ଟ ୧୧ରେ ହୃଦଘାତରେ ସୁଧାଂଶୁଙ୍କ ପରଲୋକ ହୋଇଯାଇଥିଲା। ଶୁଦ୍ଧିକ୍ରିୟା ପରେ ପରିବାର ଲୋକେ ଅମଳ ଧାନ ବିକିବା ପାଇଁ ବକଟି ପ୍ୟାକ୍ସ ସମ୍ପାଦକଙ୍କ ଦ୍ୱାରସ୍ଥ ହୋଇଥିଲେ। ଟୋକନ ଆସିବା ପରେ ପ୍ୟାକ୍ସରେ ଧାନ ବିକ୍ରି କରିପାରିବେ ବୋଲି କୁଆଡେ଼ ପ୍ୟାକ୍ସ ସମ୍ପାଦକ ବିପିନଙ୍କୁ କହିଥିଲେ। ଇତି ମଧ୍ୟରେ ୧୮୦ କ୍ୱିଂଟାଲ ଧାନ ବିକ୍ରି ପାଇଁ ଯୋଗାଣ ବିଭାଗ ପକ୍ଷରୁ ସୁଧାଂଶୁଙ୍କ ନାମରେ ୩ଟି ଟୋକନ ଆସିଥିଲା। ପ୍ୟାକ୍ସରେ ବ୍ୟବସ୍ଥା ଅନୁଯାୟୀ ମୃତ ଚାଷୀ ସୁଧାଂଶୁଙ୍କ ବାପା ଓ ପତ୍ନୀଙ୍କ ଆଧାର ଯାଂଚରେ ଧାନ ବିକ୍ରି ପାଇଁ ଅନୁମତି ମିଳି ନ ଥିଲା। ପରିବାର ଲୋକେ ପ୍ୟାକ୍ସ ସମ୍ପାଦକଙ୍କଠାରୁ ଏଆର୍‌ସିଏସ୍‌, ଡିଆର୍‌ସିଏସ୍‌, ଜିଲ୍ଲା ଯୋଗାଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଟୋକନ ଅନ୍ୟ ବ୍ୟକ୍ତିଙ୍କ ନାଁରେ ସ୍ଥାନାନ୍ତର ବ୍ୟବସ୍ଥା ନ ଥିବାରୁ ସୁଧାଂଶୁଙ୍କ ନାଁରେ ମିଳିଥିବା ଟୋକନରେ ପରିବାର ଲୋକେ ଧାନ ବିକ୍ରି କରିପାରି ନ ଥିଲେ।

ଥରେ ଟୋକନ ଅବଧି ବାତିଲ ହେବାପରେ ଏହାକୁ ୧୫ ଦିନ ପାଇଁ ଅବଧି ବୃଦ୍ଧି କରାଯାଇଥିଲା। ସମସ୍ୟା ସମାଧାନ ପାଇଁ ମୃତଚାଷୀଙ୍କ ପରିବାର ଭୁବନେଶ୍ୱର ଯୋଗାଣ ବିଭାଗ ନିର୍ଦ୍ଦେଶାଳୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ସମସ୍ୟା ସମାଧାନ ନ ହେବାରୁ ଶେଷରେ ବୃଦ୍ଧ ବିପିନ ବିହାରୀ ଓ ମୃତ ଚାଷୀ ସୁଧାଂଶୁଙ୍କ ସ୍ତ୍ରୀ ବାଧ୍ୟ ହୋଇ ନିଜ ବର୍ଷକର ପରିଶ୍ରମ, କଷ୍ଟ ଉପାର୍ଜିତ ୧୮୦ କ୍ୱିଂଟାଲ ଧାନ ଦଲାଲ ହାତରେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି। ପ୍ୟାକ୍ସରେ ସରକାରୀ ଦର ପ୍ରାୟ ୩୧ ଶହ ଟଙ୍କା ହୋଇଥିବା ବେଳେ ମୃତ ସୁଧାଂଶୁଙ୍କ ପରିବାର କ୍ୱିଂଟାଲ ପିଛା ୧୭ରୁ ୧୮ଶହ ଟଙ୍କା ଦରରେ ଦଲାଲ୍‌ ହାତରେ ଧାନ ଟେକିଦେବାକୁ ବାଧ୍ୟ ହୋଇଥିବାରୁ ପ୍ରାୟ ୨.୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଥିବା ବିପିନ ବିହାରୀ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ପରିବାର ଧାର କରଜ କରି ଚାଷ କରିଥିଲେ। ପୁଅର ଅଚାନକ ମୃତ୍ୟୁପରେ ଶୁଦ୍ଧିକ୍ରିୟାରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥିଲା। ଘରେ ବୃଦ୍ଧ ବାପା-ମା’ଙ୍କ ସହ ସୁଧାଂଶୁଙ୍କ ସ୍ତ୍ରୀ ଓ ୨ ପିଲାଙ୍କ ଭରଣପୋଷଣ କିପରି ହେବ ସେ ନେଇ ବୃଦ୍ଧ ବିପିନଙ୍କୁ ଚିନ୍ତା ଘାରିଥିଲା। ଗୋଟିଏ ପଟେ ପୁଅକୁ ହରାଇ ପରିବାର ଶୋକାକୁଳ ଅବସ୍ଥାରେ ଥିବାବେଳେ ସରକାରଙ୍କ ଏପରି ବ୍ୟବସ୍ଥାରେ ଅତିଷ୍ଠ ହୋଇପଡ଼ିଥିବା ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି। ଆଉ କୌଣସି ଚାଷୀଙ୍କ କ୍ଷେତ୍ରରେ ଏଭଳି ଘଟଣା ନ ଘଟୁ ବୋଲି ମୃତ ଚାଷୀ ସୁଧାଂଶୁଙ୍କ ବାପା ବିପିନ ପ୍ରକାଶ କରିଛନ୍ତି। ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଚାଷୀ ନେତା ଆକାଶ ମିଶ୍ର ସମାଲୋଚନା କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ବକଟି ପ୍ୟାକ୍ସ ସମ୍ପାଦକ ତୀର୍ଥରାଜ ମହଲାଙ୍କୁ ପଚାରିବାରୁ ମୃତ ଚାଷୀ ସୁଧାଂଶୁଙ୍କ ଆଧାର କାର୍ଡ଼ରେ ନୋମିନି ରେଜିଷ୍ଟ୍ରେସନ୍‌ ହୋଇପାରି ନଥିଲା। ବିଭିନ୍ନ ସ୍ତରରେ ଉଦ୍ୟମ ପରେ ବି ରେଜିଷ୍ଟ୍ରେସନ୍‌ ହୋଇ ନ ପାରିବାରୁ ଧାନ କିଣା ଯାଇ ପାରି ନଥିଲା ବୋଲି ସେ କହିଥିଲେ।