ବଲାଙ୍ଗିର: ସଦର ଓ ଲୋଇସିଂହା ବ୍ଲକ ଅଂଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଂଟ ଖୋଲି ପ୍ରାୟ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ସାଇବର ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଚୁଡ଼ାପାଲି ଗାଁର ଦେବାଶିଷ କାଂଟି ଓ ସୌମ୍ୟରଞ୍ଜନ କବାଟ।
ଗିରଫ ଦେବାଶିଷ ଏହି ଠକେଇ ଘଟଣାର ମାଷ୍ଟରମାଇଣ୍ଡ ଜଣାପଡ଼ିଛି। ଏମାନେ ବୟସ୍କ ଓ ଯୁବବର୍ଗର ସରଳ ଲୋକଙ୍କୁ ଟାର୍ଗେଟ କରି ହଜାରେ, ଦୁଇହଜାର ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଂଟ ଖୋଲିଥିଲେ। ପାସ୍ବହି ଓ ଏଟିଏମ୍ କାର୍ଡ ଆସିବା ପରେ ସେସବୁ ନେଇ ପଶ୍ଚିମବଙ୍ଗର ଏକ ସାଇବର ଠକ ଦଳଙ୍କୁ ଦେଉଥିଲେ। ଏ ବାବଦରେ ଦୁଇଜଣ ଆକାଉଂଟ୍ ପିଛା ୫ରୁ ୭ ହଜାର ଟଙ୍କା ପାଉଥିଲେ। ପଶ୍ଚିମବଙ୍ଗର ସାଇବର ଠକ ରାକେଟ, ଏହି ଆକାଉଂଟଗୁଡ଼ିକରେ ଠକେଇ କରି ଆଣୁଥିବା କୋଟି କୋଟି ଟଙ୍କା ନେଣଦେଣ କରୁଥିଲେ। ଠକେଇରେ ୟୁକୋ ବ୍ୟାଙ୍କର ଏକ ଆକାଉଂଟରେ ୬ ମାସ ମଧ୍ୟରେ ୫ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଜଣା ପଡିଥିଲା। ଏ ନେଇ ବଲାଙ୍ଗିର ସାଇବର ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ୫ରୁ ଅଧିକ ଆକାଉଂଟ୍ ସମ୍ପର୍କରେ ପଚରା ଉଚୁରା କଲାପରେ ଏହା ସାଇବର ଠକଙ୍କ କାମ ବୋଲି ଜଣାପଡିଥିଲା। ବଲାଙ୍ଗିର ସାଇବର ଥାନା ଅଧିକାରୀ ଭାରତୀ ନାଏକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରି ଦେବାଶିଷ ଓ ସୌମ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ପ୍ରାୟ ୨୯ଟି ପାସବୁକ୍, ୧୫ଟି ଚେକ ବହି, ଗୋଟିଏ ସ୍ୱାଇପ ମେସିନ, ୮ଟି ମୋବାଇଲ, ଗୋଟିଏ କାର ସହ ୨ଟି ବାଇକ ଜବତ କରାଯାଇଛି। ପଶ୍ଚିମବଙ୍ଗ ସାଇବର ଠକ ରାକେଟ ସହ ଏମାନଙ୍କ ସଂପୃକ୍ତି ରହିଥିବାରୁ ରାକେଟର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍ପି ଅଭିଳାଷ ଜି ଏସପି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତା’ ସହିତ ସାଇବର ଠକେଇରୁ ସୁରକ୍ଷିତ ରହିବାକୁ ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି।