ସାବଧାନ ଯୁବ ନେପାଳ

ଏହି ୩୫ ବର୍ଷ ଭିତରେ ୩୨ ଥର ସରକାର ଗଠନ …

୧୯୯୦ରୁ ୨୦୨୫। ଏହି ୩୫ ବର୍ଷ ଭିତରେ ୩୨ ଥର ସରକାର ଗଠନ କରାଯାଇଛି; ଭଙ୍ଗା ଯାଇଛି। କୌଣସି ଗୋଟିଏ ସରକାର ୫ ବର୍ଷ ପୂରଣ କରିନାହାନ୍ତି। ବାରମ୍ବାର ସରକାର ପରିବର୍ତନ ଯୋଗୁ ସେଠାକାର ସାମାଜିକ ଜୀବନ ଓ ଅର୍ଥନୀତି ଅନେକ ସମୟରେ ପ୍ରଭାବିତ ହୋଇଛି। ସେପ୍‌ଟେମ୍ବର ୨୦୨୫ରେ ଜେନ୍‌ ଜି ବିପ୍ଳବ ନେପାଳ ଇତିହାସକୁ ଏକ ଉଲ୍ଲେଖନୀୟ ମୋଡ଼ରେ ରଖି ଦେଇଥିଲା। ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ଯୁବବର୍ଗ ଶାସନ ଓ ବ୍ୟବସ୍ଥାରେ ଅସଙ୍ଗତି ଦେଖିବା ପରେ ରାସ୍ତାକୁ ଓହ୍ଲାଇଥିଲେ। ଏହାର ପ୍ରଭାବ ସିଧାସଳଖ କେ. ପି. ଶର୍ମା ଓଲିଙ୍କ ସରକାରକୁ ଗାଦିଚ୍ୟୁତ କରିଥିଲା। ପରେ ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ସୁଶୀଳାଙ୍କ ତତ୍ୱାବଧାନରେ ୫ ମାର୍ଚ୍ଚ ୨୦୨୬ରେ ଦେଶର ପାର୍ଲାମେଂଟ୍‌ ପାଇଁ ସାଧାରଣ ନିର୍ବାଚନ ହୋଇଥିଲା। ସିଧାସଳଖ ନିର୍ବାଚନ ହୋଇଥିବା ୧୬୫ ଆସନ ମଧ୍ୟରୁ ଅଦ୍ୟାବଧି ୧୬୧ର ଫଳାଫଳ ପ୍ରକାଶ ପାଇସାରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଏହି ନିର୍ବାଚନରେ ୪ ବର୍ଷ ତଳେ ଗଠିତ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ୧୨୪ ଆସନ ଅକ୍ତିଆର କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ୩୫ ବର୍ଷୀୟ ବାଲେନ ଶାହା ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନେପାଳୀ ଯୁବାଙ୍କ ପ୍ରିୟ ଭାବେ ବାଲେନ ପରିଚିତ। ସଙ୍ଗୀତଜ୍ଞ ବା ରାପର୍‌ ଭାବେ କ୍ୟାରିୟର ଗଢ଼ିଥିବା ବାଲେନ ୨୦୨୨ରେ କାଠମାଣ୍ଡୁର ମେୟର ହେବାର ଗୌରବ ଅର୍ଜନ କରି ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଚଳିତ ସାଧାରଣ ନିର୍ବାଚନରେ ୪ ଥର ପ୍ରଧାନମନ୍ତ୍ରୀ ରହି ଆସିଥିବା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ (ୟୁନିଫାଏଡ୍‌ ମାର୍କସିଷ୍ଟ ଲେନିନିଷ୍ଟ) ବା ସିପିଏନ୍‌-ୟୁଏମ୍‌ଏଲ୍‌ ନେତା କେ. ପି. ଶର୍ମା ଓଲିଙ୍କୁ ଝାପା ନିର୍ବାଚନମଣ୍ଡଳୀରେ ବାଲେନ ୫୦,୦୦୦ ଭୋଟରେ ହରାଇ ରେକର୍ଡ କରିଛନ୍ତି। ତାଙ୍କ ବିଜୟ ସହ ଆର୍‌ଏସ୍‌ପିର ଅଭୂତପୂର୍ବ ସଫଳତା ନେପାଳବାସୀଙ୍କ ପାଇଁ ନୂଆ ଶାସନର ସୂର୍ଯ୍ୟୋଦୟ ଆଣିପାରେ ବୋଲି କୁହାଯାଉଛି।

ଦୀର୍ଘ ବର୍ଷ ଧରି ପୁରୁଣା ଦଳଗୁଡ଼ିକ ନେପାଳକୁ ଶାସନ କରିଆସୁଥିଲେ। ବିଶେଷ କରି ସିପିଏନ୍‌-ୟୁଏମ୍‌ଏଲ୍‌ ନେତା ଓଲି, କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ (ମାଉଷ୍ଟ ସେଂଟର) ମୁଖ୍ୟ ପୁଷ୍ପକୁମାର ଦହଲ ଓରଫ୍‌ ପ୍ରଚଣ୍ଡ ଏବଂ ନେପାଳୀ କଂଗ୍ରେସର ଶେର ବାହାଦୁର ଦେଉବା ଭିନ୍ନ ଭିନ୍ନ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏମାନଙ୍କ ସମୟରେ ବେକାରି ସମସ୍ୟା ବୃଦ୍ଧି ପାଇବା, ଶାସନରେ ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ସର୍ବୋଚ୍ଚ ସ୍ତରରେ ପହଂଚିବା ନେପାଳ ନାଗରିକ ବାରମ୍ବାର ଦେଖିଥିଲେ। ଗତବର୍ଷ ସେପ୍‌ଟେମ୍ବରରେ ଯେତେବେଳେ ଶାସନ ବିରୋଧରେ ସାମାଜିକ ଗଣମାଧ୍ୟମରେ ଯୁବବର୍ଗଙ୍କ ସ୍ୱର ବ୍ୟାପକ ହେଲା ସରକାର ତତ୍‌କ୍ଷଣାତ୍‌ ସେଗୁଡ଼ିକୁ ନିଷିଦ୍ଧ କରିଦେଲେ। ଫଳସ୍ୱରୂପ ଦେଶବ୍ୟାପୀ ‘ଘୋ’ ସୃଷ୍ଟି ହୋଇ ଜେନ୍‌ ଜି ବିପ୍ଳବ ଜନ୍ମ ନେଲା। ଏହା କେବଳ ନିଜ ଦେଶ ନେପାଳରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ଆଜିର ଡିଜିଟାଲ ଯୁଗରେ ପ୍ରତିଟି କଥା ଖୁବ୍‌ କମ୍‌ ସମୟରେ ସାମାଜିକ ଗଣମାଧ୍ୟମକୁ ଆସିଯାଉଥିବାରୁ କୌଣସି ବିଷୟକୁ ଲୁଚାଇ ରଖାଯାଇପାରୁ ନାହିଁ। ଏଠାରେ ସୂଚନା ଦିଆଯାଇପାରେ ଯେ, ଜେନ୍‌ ଜି ବିପ୍ଳବର ନିଅାଁ ପ୍ରାୟ ୪ ବର୍ଷ ତଳୁ ପଡ଼ିଥିବା କୁହାଯାଉଛି। ଯୁବବର୍ଗଙ୍କ ଚାହିଦାକୁ ସରକାର ଗୁରୁତ୍ୱ ଦେଉ ନ ଥିବା ଜାଣିବା ପରେ ରବି ଲାମିଛାନେ ଆର୍‌ଏସ୍‌ପି ଗଠନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ରବି ନେପାଳରେ ଜଣେ ବିଶିଷ୍ଟ ଟେଲିଭିଜନ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। ନେପାଳ ଶାସନରେ ପରିବର୍ତନ ଆଣିବାକୁ ଯାଇ ସେ ଗଢ଼ିଥିବା ଦଳ ପ୍ରଥମେ ସଫଳତା ପାଇଲା ପରେ ମିଳିତ ସରକାରରେ ସେ ପ୍ରବେଶ କରି ଦେଶର ଉପ-ପ୍ରଧାନମନ୍ତ୍ରୀ ହୋଇଥିଲେ।

ତେବେ ଯେତେବେଳେ ପାରମ୍ପରିକ ରାଜନୀତିକୁ ନେପାଳ ନାଗରିକ ନାପସନ୍ଦ କରୁଛନ୍ତି ବୋଲି ହୃଦ୍‌ବୋଧ କଲେ, ସେତେବେଳେ ସେ ଜେନ୍‌ ଜି ବିପ୍ଳବକୁ ମଉକା ଭାବେ ନେଇଥିଲେ। ଏକଦା ତାଙ୍କ ନାମରେ ଠକେଇ ମାମଲା ଆସି ସେ ଗିରଫ ହୋଇ ପରେ ମୁକୁଳିଥିଲେ। ତେବେ ଯେତେବେଳେ ବାଲେନଙ୍କ ପ୍ରତି ଯୁବବର୍ଗଙ୍କ ଆକର୍ଷଣ ବଢ଼ିଥିଲା, ସ୍ଥିତିରୁ ଫାଇଦା ନେବାକୁ ଯାଇ ରବି ତାଙ୍କୁ ଦଳକୁ ଆଣିଥିଲେ। ଡିସେମ୍ବର ୨୦୨୫ରେ ବାଲେନ ଆର୍‌ଏସ୍‌ପିରେ ଯୋଗଦେଇଥିଲେ। ଏହା ପରେ ରବି ଘୋଷଣା କରିଥିଲେ ସାଧାରଣ ନିର୍ବାଚନରେ ଦଳ ବିଜୟୀ ହେଲେ ବାଲେନ ପ୍ରଧାନମନ୍ତ୍ରୀ ହେବେ ଓ ସେ ପାର୍ଟିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବେ। ଏବେ ତାହା ବାସ୍ତବ ରୂପ ନେଇଛି। ହେଲେ ନେପାଳର ରାଜନୈତିକ ଇତିହାସ ଭାରତ ଭଳି ସର୍ବଦା ଦୁର୍ନୀତି ଓ ସଂସ୍ଥାଗତ ଅବ୍ୟବସ୍ଥା ଦେଇ ଗତି କରି ଆସିଛି।

ଜେନ୍‌ ଜି ବିପ୍ଳବ ପରେ ପ୍ରଥମ ଥର ପାଇଁ ହୋଇଥିବା ସଂସଦୀୟ ନିର୍ବାଚନ ଓ ସେଥିରେ ଯୁବ ନେତୃତ୍ୱ ଉପରେ ଦେଶବାସୀଙ୍କ ଆସ୍ଥା ପ୍ରକଟ ଏକ ବିରାଟ ପରିବର୍ତନର ସଙ୍କେତ ଦେଉଛି। ବାଲେନଙ୍କ ନେତୃତ୍ୱରେ ସରକାର ଗଢ଼ିଉଠିଲେ ଅସଙ୍ଗତି ତତ୍‌କ୍ଷଣାତ୍‌ ଚାଲିଯିବ ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଯୁବପିଢ଼ିଙ୍କୁ କ୍ଷମତା ହସ୍ତାନ୍ତର କରିଦେଇ ନେପାଳର ମତଦାତା ନିଜ ଦେଶକୁ ଏକ ନୂଆ ପଥରେ ଯିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ନେପାଳର ମଙ୍ଗଳ ସମସ୍ତେ କାମନା କରିବା ଦରକାର।