ବଂଚୋ: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ପ୍ରାୟ ୮ ଏକର ସରକାରୀ ଜମିରୁ କିଛି ବ୍ୟକ୍ତି ଅବୈଧ ଦଖଲ କରି ରଖିଛନ୍ତି। ଏହାର ପରିଣାମରେ ଗାଁକୁ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପଶିପାରୁନି।
ଗ୍ରାମବାସୀଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗ୍ରାମବାସୀମାନେ ୨୦୧୯ ମସିହାରୁ ସରକାରୀ ଜମି ମାପ ଓ ଚିହ୍ନଟ ପାଇଁ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତହସିଲ ପ୍ରଶାସନ ପକ୍ଷରୁ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରାଯାଇନି। ଜମି ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବାରୁ ରାସ୍ତା ସମ୍ପ୍ରସାରଣ କାମ ବାଧାପ୍ରାପ୍ତ ହେଉଛି।
ଏ ସମ୍ପର୍କରେ ପୂର୍ବରୁ ତହସିଲଦାର, ଉପଜିଲାପାଳ, ଜିଲାପାଳ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଇନି। ଗ୍ରାମବାସୀ କହିଛନ୍ତି, ଆଗାମୀ ୭ ଦିନ ଭିତରେ ପ୍ରଶାସନ ଅଭିଯୋଗ ନଶୁଣିଲେ ରାଜରାସ୍ତା ଅବରୋଧ କରାଯିବ।