ନବରାତ୍ରି ବ୍ରତର ମାହାତ୍ମ୍ୟ

ଆଶ୍ୱିନ ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ …

ଆଶ୍ୱିନ ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରି ପାଳିତ ହେଉଥିବା ବେଳେ, ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ରି ପାଳିତ ହୋଇଥାଏ। ରଘୁକୁଳତିଳକ ଶ୍ରୀରାମ ଶାରଦୀୟ ନବରାତ୍ରି ବ୍ରତର ପ୍ରବର୍ତକ ହୋଇଥିବା ବେଳେ, ଲଙ୍କପତି ରାବଣ ବାସନ୍ତିକ ନବରାତ୍ରି ବ୍ରତର ପ୍ରବର୍ତକ ବୋଲି କଥିତ ହୁଏ। ମାତ୍ର ଅନ୍ୟ ମତରେ ବାସନ୍ତିକ ନବରାତ୍ରିର ପ୍ରବର୍ତକ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ।

ଏ ସଂପର୍କିତ ପୌରାଣିକ ପ୍ରସଙ୍ଗ ଅନୁସାରେ, ଗୋଲୋକଧାମରେ ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ମା’ ଆଦି ପରାଶକ୍ତିଙ୍କର ପଦବନ୍ଦନା କରିଥିଲେ। ପରବର୍ତୀ କାଳରେ, ମେଧାଋଷିଙ୍କ ମାଧ୍ୟମରେ ସୁରଥ ରାଜା ଓ ସମାଧି ବୈଶ୍ୟଙ୍କ ଦ୍ୱାରା ଏହାର ଆରମ୍ଭ ହେଲା।
ନବରାତ୍ରି ବ୍ରତର ବିଶେଷତ୍ୱ ସଂପର୍କରେ ‘ଦେବୀ ଭାଗବତ’ରେ ଉଲ୍ଲେଖ ଅଛି, ଯେ ଶାରଦୀୟ ନବରାତ୍ରି ବ୍ରତ ବିଧିପୂର୍ବକ ଏବଂ ବାସନ୍ତିକ ନବରାତ୍ରି ବ୍ରତ ପ୍ରୀତିପୂର୍ବକ ପାଳନ କରିବା ଉଚିତ।
ଶରତ ଓ ବସନ୍ତ- ଜୀବଜଗତ ପାଇଁ ଦୁଇଋତୁ ସନ୍ଧିକାଳ।

ଏହି ଦୁଇଋତୁ ସନ୍ଧିକାଳରେ ରୋଗର ପ୍ରାଦୁର୍ଭାବ ଘଟିଥାଏ। ଏଣୁ ଏହା ମନୁଷ୍ୟ ଓ ଅନ୍ୟ ପ୍ରାଣୀମାନଙ୍କ ନିମନ୍ତେ ଅତ୍ୟନ୍ତ ଦୁର୍ଗମ। ସେଥିପାଇଁ ଆତ୍ମିକ ଓ ସାମୂହିକ କଲ୍ୟାଣ ନିମନ୍ତେ ଆଗ୍ରହୀ ବ୍ୟକ୍ତି ପ୍ରଯତ୍ନ ପୂର୍ବକ ଏହି ବ୍ରତ ପାଳନ କରିବା ଉଚିତ। ବୁଦ୍ଧିମାନ ବ୍ୟକ୍ତି ଶୁଭମାସ ଆଶ୍ୱିନ ଓ ଚୈତ୍ରର ଏହି ସମୟରେ ଭକ୍ତିପୂର୍ବକ ଆଦିପରାଶକ୍ତି ଚଣ୍ଡିକାଦେବୀଙ୍କର ପୂଜା କରିବା ଉଚିତ।
ନବରାତ୍ରି ବ୍ରତର ମାହାତ୍ମ୍ୟ ସଂପର୍କରେ ବେଦବ୍ୟାସ କହିଛନ୍ତି- ପୃଥିବୀରେ ଯେତେ ବ୍ରତ ଓ ଯେତେ ଦାନ ରହିଛି, ସେସବୁ ନବରାତ୍ରି ବ୍ରତ ସହ ତୁଳନୀୟ ନୁହନ୍ତି। କାରଣ, ମା’ ଜଗଦମ୍ବାଙ୍କର ଏହି ବ୍ରତ କଲେ ଧନଧାନ୍ୟ ଓ ସୁଖଶାନ୍ତି ପ୍ରାପ୍ତ ହୁଏ ଏବଂ ବଂଶ ଓ ଆୟୁ ବୃଦ୍ଧି ଘଟେ। ଏହି ବ୍ରତ ଜୀବଦ୍ଦଶାରେ ଆରୋଗ୍ୟ ପ୍ରଦାନ କରେ ଏବଂ ପରଲୋକରେ ସ୍ୱର୍ଗ ଓ ମୋକ୍ଷ ପ୍ରଦାନ କରିଥାଏ।
ଶାରଦୀୟ ନବରାତ୍ରି ଦେବୀ ଓ ଦେବତାଙ୍କର ରାତ୍ରି ବା ନିଦ୍ରାକାଳ ହୋଇଥିବା ବେଳେ, ବାସନ୍ତିକ ନବରାତ୍ରି ଦେବୀ ଓ ଦେବତାଙ୍କର ଦିବସ ବା ଜାଗ୍ରତ କାଳ। ଏଣୁ ଶାରଦୀୟ ନବରାତ୍ରି ପରି, ବାସନ୍ତିକ ନବରାତ୍ରିରେ ଦେବୀଙ୍କର ଅକାଳବୋଧନ କରିବାକୁ ପଡି ନ ଥାଏ। ତେବେ ଉଭୟ ନବରାତ୍ରିରେ ଦେବୀଙ୍କର ନବମ ଦିନର ରୂପ- ସିଦ୍ଧିଦାତ୍ରୀ। ଶାସ୍ତ୍ର ପୁରାଣମାନଙ୍କରେ ଅଷ୍ଟସିଦ୍ଧିର ବର୍ଣ୍ଣନା ଅଛି। ତାହା ହେଉଛି- ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା, ଈଶିତ୍ୱ, ବଶିତ୍ୱ ଓ କାମବସାୟିତ୍ୱ।

ଏହି ଅଷ୍ଟସିଦ୍ଧି ଯୋଗସାଧନା ବଳରେ ଲବ୍‌ଧ ହୁଏ। ମାତ୍ର ଦେବୀଙ୍କର ନବରାତ୍ରି ବ୍ରତ ପାଳନ କଲେ ଏହା ଅନାୟାସରେ ଉପଲବ୍‌ଧ ହୋଇଥାଏ।