ଓଡ଼ିଶାର ଡବଲ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ ଦ୍ରୁତଗତିରେ କେତୋଟି ମାଇଲଖୁଂଟ ଅତିକ୍ରମ କରିଛି, ତାହାର ଏକ ନିରାସକ୍ତ ଅନୁଶୀଳନ ଆବଶ୍ୟକ। ୨୦୨୪ ନିର୍ବାଚନରେ ଓଡ଼ିଶା ୨୧ ମଧ୍ୟରୁ ୨୦ ଜଣ ଭାଜପା ସାଂସଦଙ୍କୁ ନିର୍ବାଚିତ କରିବା ସହିତ ରାଜ୍ୟରେ ଭାଜପା ସରକାର ଗଢ଼ିଥିବାରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ପ୍ରତି କୃତଜ୍ଞତା ଜଣାଇବା ପାଇଁ ଆଜି ଯାଏ ୭ ଥର ଆସି ସାରିଲେଣି ଏବଂ ଅପେକ୍ଷାକୃତ ଅନଭିଜ୍ଞ ସରକାରଙ୍କୁ ବଳ ଓ ସାହସ ଦେଇ ବିକଶିତ ଭାରତ ଗଠନର ମନ୍ତ୍ର ଫୁଙ୍କିଛନ୍ତି। ଅଥଚ ଓଡ଼ିଶା ସରକାରଙ୍କ ପରିଚାଳକ ମୋହନ ସରକାର କେନ୍ଦ୍ର ସରକାରଙ୍କ ବାରଣ ସତ୍ୱେ ଇନ୍ପୁଟ୍ ସବସିଡି ଦେଇ ଧାନ କିଣୁଛନ୍ତି। କେନ୍ଦ୍ରୀୟ ପ୍ରୋତ୍ସାହନ ମିଳୁଥିବା ସତ୍ୱେ ଡାଲି ଓ ତୈଳବୀଜ ଫସଲ ଚାଷକୁ ପରୋକ୍ଷରେ ନିରୁତ୍ସାହିତ କରୁଛନ୍ତି।
ଡବଲ ଇଞ୍ଜିନ ସରକାର ବୋଲି ଯେଉଁ ବହୁଳ ବ୍ୟବହୃତ ଅଭିବ୍ୟକ୍ତିଟିଏ ଆମେମାନେ ଶୁଣି ଆସୁଛୁ, ତାହାର ସାଂବିଧାନିକ ଯଥାର୍ଥତା ନେଇ ବିଶେଷ ଚିନ୍ତନ ହେଉନାହିଁ। ତାହାର କିନ୍ତୁ ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଗୋଟିଏ ଦଶନ୍ଧି ହେଲାଣି ଦୋହରାଇ ଆସୁଛନ୍ତି ‘ପୂର୍ବୋଦୟ’ କଥା, ଯେଉଁଥିରେ ଦେଶର ପୂର୍ବାଂଚଳ ରାଜ୍ୟମାନଙ୍କର ବିକାଶ କରିବାର ସଂକଳ୍ପ ନିଆଯାଇଛି- ରାଜ୍ୟମାନଙ୍କରେ ଯେଉଁ ଦଳର ସରକାର ଥାଆନ୍ତୁ ନା କାହିଁକି। କିଛି ବର୍ଷ ତଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତ୍ରିପୁରା ଭଳି ଉତର-ପୂର୍ବାଂଚଳ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ନଥିଲେ ବି କେନ୍ଦ୍ର ସରକାର କୌଣସି ରାଜ୍ୟକୁ ଅବହେଳା କରି ନାହାନ୍ତି। ଭିତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେବା ସହିତ ସମାବେଶୀ ବିକାଶ ଦିଗରେ ନିରନ୍ତର ପ୍ରଧାନ୍ୟ ଦେଇ ଆସୁଛନ୍ତି। ସେଥିପାଇଁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ାଗଲା ପରେ ଆଖିଦୃଶିଆ ପରିବର୍ତନ ଦେଖୁ ନଥିବାରୁ ଓଡ଼ିଶାବାସୀ କିଛି ଅଧିକ ପାଇଥିବାର ଅନୁଭବ କରିପାରୁ ନାହାନ୍ତି। ବହୁଈପ୍ସିତ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କାରଖାନା ଆନ୍ଧ୍ର ଚାଲିଗଲା।
ଦୁଇ ବର୍ଷରେ ଓଡ଼ିଶାରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇନି, ଗୋଟିଏ ବି କୃଷିଭିତିକ ଶିଳ୍ପ ଯଥା ସୂତା, ଲୁଗା, ଝୋଟ, ଚିନି କାରଖାନା ବସି ନାହିଁ କିମ୍ବା ବନ୍ଦ ହୋଇଯାଇଥିବା କାରଖାନାର ଆଧୁନିକୀକରଣ କରାଯାଇନି। ଗୋଟିଏ ବି ସାମୁଦ୍ରିକ ବନ୍ଦର କିମ୍ବା ବିମାନ ବନ୍ଦର ନିର୍ମାଣ ଆରମ୍ଭ ହୋଇନି। କେନ୍ଦ୍ର ସରକାର ‘ଉଡାନ-୨’ ଆରମ୍ଭ କରିସାରିଥିଲେ ବି ପୁରୀ ବିମାନବନ୍ଦର କାମ ଆଗେଇପାରିନି। ଗୋଟିଏ ବି ବନ୍ଦ ପଡ଼ିଥିବା ଶୀତଳଭଣ୍ଡାର ଚାଲୁ ହୋଇନି କିମ୍ବା ନୂଆ ନିର୍ମାଣ ହୋଇନାହିଁ। କେବଳ ଯୋଜନା ତିଆରି, ପ୍ରତିଶ୍ରୁତି ପ୍ରଦାନ ଓ ସେସବୁର ପ୍ରଚାର ଚାଲିଛି। ୧୫୫ ମେଟ୍ରିକ ଟନ ତଟକା ଫଳ ଓ ପରିବା ୧୦ଟି ଦେଶକୁ ରପ୍ତାନି କରିଥିବା କଥା ସରକାର କହୁଥିଲେ ବି ସେସବୁର ପ୍ରକ୍ରିୟାକରଣ ପାଇଁ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ହୋଇ ନାହିଁ। କୃଷି ଗବେଷଣା ପାଇଁ ଉଚ୍ଚ ପ୍ରଯୁକ୍ତିବିଦ୍ୟାସଂପନ୍ନ ଗବେଷଣାଗାର ପ୍ରତିଷ୍ଠା ହୋଇ ନାହିଁ କିମ୍ବା ଚାଷୀଙ୍କ ପାଖରେ ଆଧୁନିକତମ ଜ୍ଞାନକୌଶଳ ପହଂଚାଇବା ପାଇଁ କ୍ଷେତ୍ର କର୍ମଚାରୀ ନିଯୁକ୍ତ ହେଉନାହାନ୍ତି। କେନ୍ଦ୍ର ସରକାର ବୁଲେଟ ଟ୍ରେନ ଚଲାଇବାପାଇଁ ପ୍ରସ୍ତୁତ ହେଲା ବେଳକୁ ରାଜ୍ୟ ସରକାରଙ୍କ ଇଞ୍ଜିନ ପାନ୍ଥନିବାସରେ ପଖାଳ ଖାଇ ବିଶ୍ୱ ରେକର୍ଡ କରି ଖୁସି ହେଉଛି। କି ହେବ ଡବଲ୍ ଇଞ୍ଜିନ୍ ହେଲେ?
ଓଡ଼ିଶାର ଚାଷୀ ପରିବାରର ମାସିକ ଆୟ ସରକାରୀ ହିସାବରେ ୫,୧୧୨ ଟଙ୍କା, ଯାହାକି ଝାଡ଼ଖଣ୍ଡକୁ ଛାଡ଼ି ଦେଲେ ଦେଶରେ ସର୍ବନିମ୍ନ। ଓଡ଼ିଶା ସରକାର ୨୦୨୫ ଜୁନ୍ ମାସରେ ପ୍ରସ୍ତୁତ କରିଥିବା ଭିଜନ ଡକୁମେଂଟରେ କହିଛନ୍ତି ଯେ, ୨୦୪୭ ବେଳକୁ ଚାଷୀଙ୍କ ଆୟ ଦେଶର ପ୍ରଥମ ପାଂଚଟି ରାଜ୍ୟ ତାଲିକାରେ ରହିବ। ବର୍ତମାନ ଯେଉଁ ପାଂଚଟି ରାଜ୍ୟର ଚାଷୀଙ୍କ ଆୟ ସର୍ବୋଚ୍ଚ ସ୍ତରରେ ଅଛି, ସେମାନଙ୍କର ଆୟ ୧୮,୮୯୧ ଟଙ୍କାରୁ ୨୯,୩୪୮ ଟଙ୍କା ମଧ୍ୟରେ। ୨୦୪୭ ବେଳକୁ ଏହା ୫୦ ହଜାର ଉପରେ ଥିବ। ଏଥର ବଜେଟରେ କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ସମବାୟ ବିଭାଗ ପାଇଁ ବ୍ୟୟ ବରାଦ ଗତ ବର୍ଷ ତୁଳନାରେ ମାତ୍ର ୦.୮୯ ପ୍ରତିଶତ ବଢ଼ାଯାଇଛି। ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ ଅଧିକ ରହୁଥିବାରୁ କୃଷି କ୍ଷେତ୍ରରେ ବ୍ୟୟବରାଦ ବାସ୍ତବରେ କମିଛି, ବଢ଼ି ନାହିଁ। କେନ୍ଦ୍ର ସରକାର ରେଳ ବଜେଟକୁ ସାଧାରଣ ବଜେଟରେ ମିଶାଇ ଗୋଟିଏ କଲାବେଳେ, ଓଡ଼ିଶାରେ ଏବେ ବି ସ୍ୱତନ୍ତ୍ର କୃଷି ବଜେଟ ଆଗତ ହେଉଛି।
ଡବଲ ଇଞ୍ଜିନ ଏକ ସୁନ୍ଦର ନିର୍ବାଚନୀ ସ୍ଲୋଗାନ। ଏହା କାନକୁ ମଧୁର ଶୁଣାଯାଉଥିବା, ନିରପେକ୍ଷ ମନେ ହେଉଥିବା ଦୁଇଟି ଶବ୍ଦ।
ଗୋଟିଏ ରାଜନୈତିକ ଦଳ ଏକାକୀ କିମ୍ବା ମେଂଟ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ି, ମିଳିତ ଭାବେ ବିକାଶକୁ ଅଧିକ ଗତିରେ ଆଗେଇବାର ପ୍ରତ୍ୟୟ ସୃଷ୍ଟି କରୁଥିବା ଏକ ଯାଦୁକରୀ ସ୍ଲୋଗାନ। ଭାରତରେ ସଂଘୀୟ ବ୍ୟବସ୍ଥା ରହିଛି, ଯେଉଁଠି ବିଭିନ୍ନତା ମଧ୍ୟରେ ଏକତା ହିଁ ମୂଳମନ୍ତ୍ର। କେନ୍ଦ୍ର ଓ ରାଜ୍ୟରେ ଯେଉଁ ଦଳର ସରକାର ରହୁ ନା କାହିଁକି, ଦୁହେଁ ସମନ୍ୱୟ ରକ୍ଷା କରି ବଢ଼ନ୍ତି। ଏହା ହିଁ ସହଯୋଗମୂଳକ ସଂଘବାଦ। କିନ୍ତୁ ଡବଲ ଇଞ୍ଜିନ ସ୍ଲୋଗାନ ସୂଚାଇଥାଏ ଯେ କେନ୍ଦ୍ର ଅନୁରୂପ ଦଳ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକୁ ବିକାଶ କ୍ଷେତ୍ରରେ ପ୍ରାଥମିକତା ମିଳିଥାଏ। ଏହା ଆମର ସଂଘୀୟ ଭାବନାକୁ ବିଦ୍ରୂପ କରେ। କେନ୍ଦ୍ରରେ ଶାସନ କରୁଥିବା ଦଳର ସଦିଚ୍ଛା, ଦୟା କିମ୍ବା ଦାନ ଉପରେ ରାଜ୍ୟ ସରକାର ନିର୍ଭର କରିବା ପାଇଁ ଭାରତର ସମ୍ବିଧାନରେ କୌଣସି ପରିକଳ୍ପନା କରାଯାଇ ନାହିଁ। ପ୍ରତ୍ୟେକ ରାଜ୍ୟର ନାଗରିକ ଯେଉଁ ଦଳକୁ କ୍ଷମତା ଦିଅନ୍ତୁ ନା କାହିଁକି, ରାଜ୍ୟକୁ ଶାସନ କରୁଥିବା ଦଳ ଆଧାରରେ ରାଜସ୍ୱ ଆବଂଟନ କରାଯାଏ ନାହିଁ। ଭାରତର ସାମ୍ବିଧାନ ପ୍ରଣେତାମାନେ ସଂସ୍ଥାଗତ ସୁରକ୍ଷା ବ୍ୟବସ୍ଥା ଗଢ଼ିଯାଇଛନ୍ତି। ଧାରା ୨୮୦ ଅନୁଯାୟୀ, ପ୍ରତି ୫ ବର୍ଷରେ ଥରେ ଅର୍ଥ କମିସନ ନିଯୁକ୍ତ ହୁଅନ୍ତି। କମିସନ ରାଜ୍ୟଗୁଡ଼ିକୁ ରାଜ୍ୟର ଆୟ, ଜାତୀୟ ହାର, ଜନସଂଖ୍ୟା, ଭୌଗୋଳିକ ଆକାର ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସରତା ଇତ୍ୟାଦି ବସ୍ତୁନିଷ୍ଠ ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରି ରାଜସ୍ୱ ଆବଂଟନ କରନ୍ତି; ରାଜନୈତିକ ଆଧାରରେ ନିର୍ଣ୍ଣୟ କରନ୍ତି ନାହିଁ। ଏଣୁ ଡବଲ ଇଞ୍ଜିନ ସରକାର କାରଣରୁ ଓଡ଼ିଶାକୁ ଅଧିକ ଅର୍ଥ ମିଳିବା ଏକ ଭ୍ରମ।
ସ୍ୱାଧୀନୋତର ଭାରତର ବିରୋଧୀ ଦଳ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକରେ ସମ୍ବିଧାନର ୧୫୬ ଧାରା ପ୍ରୟୋଗ କରି ୧୩୪ ଥର ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି, ଯଦିଓ ବିଗତ ୧୨ ବର୍ଷ ମଧ୍ୟରେ ମାତ୍ର ୬ ଥର ଦେଶ ଏଭଳି ଦୁର୍ଭାଗ୍ୟ ଦେଖିଛି। ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ବରଖାସ୍ତ କରିବା ପାଇଁ ଏହି ଧାରାର ବାରମ୍ବାର ଅପବ୍ୟବହାର କରାଯାଇଆସିଛି। ଏବେ କିନ୍ତୁ ରାଜ୍ୟ ସରକାରମାନଙ୍କୁ ବରଖାସ୍ତ ନକରି, ରାଷ୍ଟ୍ରପତି ଶାସନ ଲାଗୁ ନକରି, କେନ୍ଦ୍ର-ରାଜ୍ୟ ରାଜନୈତିକ ସମନ୍ୱୟକୁ ପଣବନ୍ଦୀ ଭାବେ ବ୍ୟବହାର କରିବାର ଆଶଙ୍କା ବଢୁଥିବାର ଦେଖାଦେଉଛି। ଏଣୁ ସ୍ଥିର ସରକାର ଚାହୁଁଥିବା ମତଦାତାଗଣ ତ୍ୱରିତ ବିକାଶ ଆଶାରେ ଡବଲ ଇଞ୍ଜିନ ସରକାର ପରିକଳ୍ପନାକୁ ଆଦରି ନେଉଛନ୍ତି।
ଓଡ଼ିଶାର ଡବଲ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ ଦ୍ରୁତ ଗତିରେ କେତୋଟି ମାଇଲଖୁଂଟ ଅତିକ୍ରମ କରିଛି, ତାହାର ଏକ ନିରାସକ୍ତ ଅନୁଶୀଳନ ଆବଶ୍ୟକ। ୨୦୨୪ ନିର୍ବାଚନରେ ଓଡ଼ିଶା ୨୧ ମଧ୍ୟରୁ ୨୦ ଜଣ ଭାଜପା ସାଂସଦଙ୍କୁ ନିର୍ବାଚିତ କରିବା ସହିତ ରାଜ୍ୟରେ ଭାଜପା ସରକାର ଗଢ଼ିଥିବାରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ପ୍ରତି କୃତଜ୍ଞତା ଜଣାଇବା ପାଇଁ ଆଜି ଯାଏ ୭ ଥର ଆସି ସାରିଲେଣି ଏବଂ ଅପେକ୍ଷାକୃତ ଅନଭିଜ୍ଞ ସରକାରଙ୍କୁ ବଳ ଓ ସାହସ ଦେଇ ବିକଶିତ ଭାରତ ଗଠନର ମନ୍ତ୍ର ଫୁଙ୍କିଛନ୍ତି। ଅଥଚ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ବାରଣ ସତ୍ୱେ ଇନ୍ପୁଟ୍ ସବସିଡି ଦେଇ ଧାନ କିଣୁଛନ୍ତି। କେନ୍ଦ୍ରୀୟ ପ୍ରୋତ୍ସାହନ ମିଳୁଥିବା ସତ୍ୱେ ଡାଲି ଓ ତୈଳବୀଜ ଫସଲ ଚାଷକୁ ପରୋକ୍ଷରେ ନିରୁତ୍ସାହିତ କରୁଛନ୍ତି। ରାଜ୍ୟରେ ଆବଶ୍ୟକ ପଣ୍ୟାଗାର ଓ ଗ୍ରାମ୍ୟ ଗୋଦାମ ଘର ନଥିବା ସତ୍ୱେ, ସେସବୁ ନିର୍ମାଣ କରିବାର ଉଦ୍ୟମ କରୁନାହାନ୍ତି। ବରଂ ମିଲ୍ ମାଲିକଙ୍କ ଦୟାରେ ଧାନ ସଂଗ୍ରହ କରାଯାଉଛି। ଓଡ଼ିଶା ଲୁହାପଥର ଓ ବକ୍ସାଇଟ ଉତ୍ପାଦନ ତଥା ଇସ୍ପାତ ଓ ଆଲୁମିନିଅମ ଉତ୍ପାଦନରେ ଦେଶରେ ପ୍ରଥମ। ଅଥଚ ମାଲ ଓ ଯାତ୍ରୀବାହୀ ରେଳଡବା କାରଖାନା ପ୍ରତିଷ୍ଠା ହେଉନି। ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ହୋଇପାରୁନି। ରାଜ୍ୟରେ ଅଧ୍ୟାପକ ଓ ଶିକ୍ଷକ ଦୁର୍ଭିକ୍ଷ ପଡ଼ିଛି। ଦେଶର ମହାମହିମ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ଦୁଇ ପାରିବାର ସଚିବ ଓଡ଼ିଶାର ସନ୍ତାନ। କେନ୍ଦ୍ର ସରକାରଙ୍କ ‘ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ପ୍ରୟାସ, ସବ୍ କା ବିଶ୍ୱାସ’ ଓଡ଼ିଶାରେ ବିଫଳ ଭଳି ମନେ ହେଉଛି। ଲୋକଙ୍କ ଆଶା ଓ ବିଶ୍ୱାସ ମଉଳିବାକୁ ଆରମ୍ଭ କଲାଣି।
ଛତିଶଗଡ଼ର ଭାଜପା ସରକାର କେବଳ ଖରିଫ୍ ଧାନ କିଣୁଛନ୍ତି, ରବି ଋତୁରେ ଚାଷୀଙ୍କୁ ଡାଲି, ତୈଳବୀଜ ଓ ଅଣ-ଧାନ ଫସଲ ଚାଷ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ଅଥଚ ଓଡ଼ିଶା ସରକାର ଖରିଫ୍ ଓ ରବି ଧାନ କିଣୁଥିବାରୁ ଚାଷୀମାନେ ରବି ଋତୁରେ ଅଣ-ଧାନ ଫସଲ ଚାଷ କରିବାକୁ ଅନାଗ୍ରହୀ। ଏଥିରେ ଓଡ଼ିଆ ଚାଷୀଙ୍କ ରୋଜଗାର ବଢ଼ିବା ଅସମ୍ଭବ। ଆସାମରେ ମଧ୍ୟ ଭାଜପା ସରକାର ଚାଲିଛି। କେନ୍ଦ୍ର ସରକାର ବନ୍ୟା ସୂଚନା ଦେଉଥିବା ଉପଗ୍ରହ ସେବା ଯୋଗାଇ ପାରୁ ନଥିବାରୁ ଆସାମ ସରକାର ନିଜସ୍ୱ ଅର୍ଥରୁ ୫ଟି କୃତ୍ରିମ ଉପଗ୍ରହ କିଣୁଛନ୍ତି। ଛତିଶଗଡ଼ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥାଇ ବି କେନ୍ଦ୍ର ସରକାର ମହାନଦୀ ଜଳ ବିବାଦର ସମାଧାନ କରୁନାହାନ୍ତି। ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା କେବେଠୁ ଶାସ୍ତ୍ରୀୟ ମାନ୍ୟତା ହାସଲ କରିସାରିଥିଲେ ବି, ଓଡ଼ିଶୀ ସଙ୍ଗୀତକୁ ଡବଲ ଇଞ୍ଜିନ ସରକାର ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅନିଚ୍ଛୁକ। ଆମ ଦେଶର କୌଣସି ସଙ୍ଗୀତ ଶୈଳୀକୁ ଆଜି ଯାଏ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିବୃତି ଦେଉଛନ୍ତି।
ଛଉ ନୃତ୍ୟକୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଶାସ୍ତ୍ରୀୟ ମାନ୍ୟତା ଦେଇ ନଥିଲେ ବି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଏକାଥରକେ ବଙ୍ଗଳା, ମରାଠୀ, ପାଲି, ପ୍ରାକୃତ ଓ ଅହମିୟା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ସେହି ନ୍ୟାୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଚାହିଁଲେ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ପାରନ୍ତେ। ଯଦି ଏ ସବୁ ହୋଇ ନ ପାରିବ ତେବେ ଡବଲ ଇଞ୍ଜିନ ସରକାର ଥାଇ ଲାଭ ବା କ’ଣ?