ଖୋଲିଲା ୧୮୮୯ ନୂତନ ଅଙ୍ଗନବାଡି: ୨୦୨୭ ସୁଦ୍ଧା ନିଜସ୍ୱ ଗୃହ

ଛୋଟ ପିଲାମାନଙ୍କୁ ଆଉ କାହାରି ଚାଳିଆ ତଳେ ବସି ….

ଭୁବନେଶ୍ୱର: ଛୋଟ ପିଲାମାନଙ୍କୁ ଆଉ କାହାରି ଚାଳିଆ ତଳେ ବସି ପାଠ ପଢ଼ିବାକୁ ପଡ଼ିବନି। ଆଉ କାହା ବାରଣ୍ଡାରେ ପଢ଼ିବାକୁ ପଡ଼ିବନି। ଟାଣଖରା ଅବା ଲଗାଣ ବର୍ଷାରେ ଯନ୍ତ୍ରଣା ଭୋଗିବାକୁ ପଡ଼ିବନି। ଦଦରା ଘରେ ବିପଦକୁ ବରଣ କରି ପଢ଼ିବାକୁ ପଡ଼ିବନି।

ରାଜ୍ୟର ଅଙ୍ଗନବାଡ଼ି ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ଦିନ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୮୮୯ଟି ନୂତନ ଅଙ୍ଗନବାଡ଼ି ଗୃହକୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି।

ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସେ ଏହି ସମସ୍ତ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ନିଜସ୍ୱ ଗୃହରେ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର। ପୂର୍ବରୁ ଅନେକ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହ ଅଭାବରୁ ବିଭିନ୍ନ ସ୍କୁଲ କିମ୍ବା ଗୋଷ୍ଠୀ କେନ୍ଦ୍ରମାନଙ୍କରେ ପରିଚାଳିତ ହେଉଥିଲା। ଏହି ନୂତନ ଗୃହ ଗୁଡ଼ିକର ନିର୍ମାଣ ଫଳରେ ଏବେ ଶିଶୁ ଏବଂ ମହିଳାମାନେ ଏକ ସ୍ୱତନ୍ତ୍ର ତଥା ଉନ୍ନତ ପରିବେଶରେ ସରକାରୀ ସେବା ପାଇପାରିବେ।

ଉଦଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୭ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ନିଜସ୍ୱ ଗୃହ ପାଇବେ, ସେଥିପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏହି ଦିଗରେ କାର୍ଯ୍ୟ ଜାରି ରହିଛି। ଆଗାମୀ ୩ରୁ ୪ମାସ ମଧ୍ୟରେ ବଳକା ଥିବା ୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରକୁ ସେମାନଙ୍କର ନିଜସ୍ୱ ଗୃହ ଯୋଗାଇ ଦେବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏ ସମ୍ପର୍କରେ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।