ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି: ବାହାରିଲା ୫ ଡଙ୍ଗା
ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହିଦିନଠାରୁ ….
ପୁରୀ: ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହିଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଂଚୁ ପାଣ୍ଡବ। ଏଥିପାଇଁ ଚୈତ୍ର ପୂର୍ଣ୍ଣିମା ଅବସରରେ ରଥ ତତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ଭୋଇ ସେବାୟତମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢିଛନ୍ତି। ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତରୀ ଡଙ୍ଗାକୁ ମିଶାଇ ୫ଟି ଡଙ୍ଗା କଢାଯାଇଛି। ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ।
ସୂଚନାଯୋଗ୍ୟ, “ଚନ୍ଦନଯାତ୍ରା’ ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି। ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ରୂପେ ଓ ପରବର୍ତୀ ୨୧ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ।
ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ଏହି ଡଙ୍ଗାଗୁଡିକ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ରଖାଯାଇଥିଲା। ଗୁରୁବାର ସକାଳୁ ୩୦ ଜଣ ଭୋଇ ସେବାୟତ ଅକ୍ଳାନ୍ତ ପରିଶ୍ରମ କରି ଡଙ୍ଗାକୁ ପାଣି ଭିତରୁ କାଢିଛନ୍ତି।