ନଦୀରୁ ନାଳ, ନାଳରୁ ଗୋହି, ଅସ୍ତିତ୍ୱ ହରାଇବ ସାଲୁଙ୍କି!

ଦିନେ ତା’ର ପରିଚୟ ଥିଲା ସାଲୁଙ୍କି ନଦୀ ….

ଦିନେ ତା’ର ପରିଚୟ ଥିଲା ସାଲୁଙ୍କି ନଦୀ। ଏବେ ତା’ର ପରିଚୟ ସାଲୁଙ୍କି ନାଳ। ଆଗାମୀ କିଛିବର୍ଷ ପରେ ହଜିଯିବ ସାଲୁଙ୍କି। ଟୋପାଏ ପିଇବା ପାଣି ପାଇଁ ଲୋକ ଡହଳ ବିକଳ ହେଉଥିବା ବେଳେ ଘୁମୁସର ଉଦୟଗିରି ସହରରେ କିଛି ଲୋକ ଜଳକୁ ଜହର କରିବାରେ ବ୍ୟସ୍ତ। ଜଳବାୟୁ ପରିବର୍ତନ ପାଇଁ ମଣିଷ ସମାଜ ସମ୍ପୂର୍ଣ୍ଣ ଦାୟୀ କାରଣ ମଣିଷ ନିଜ ସୁବିଧା ପାଇଁ ପରିବେଶକୁ କ୍ଷତି ପହଂଚାଇ ନିଜର ଆବଶ୍ୟକତା ମେଂଟାଉଛି। ଜଳ ହିଁ ଜୀବନ ହୋଇଥିବା ବେଳେ ସେଇ ଜଳକୁ ପ୍ରଦୂଷିତ କରି ନିଜ ପାଇଁ ବିପଦ ସୃଷ୍ଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ସହରରେ। ଯେଉଁ ନଦୀ ସହରବାସୀଙ୍କ ଜୀବନରେଖା ପାଲଟିଛି, ତାହା ବିଲୀନ କରିବାରେ ସେଇ ମଣିଷ ସମାଜ ଲାଗି ପଡିଛନ୍ତି।

ଏହାସହ ସ୍ଥାନୀୟ ଏନ୍‌ଏସି କର୍ତୃପକ୍ଷଙ୍କ ବେପରୁଆ ଯୋଜନା ଯୋଗୁଁ ସାଲୁଙ୍କି ନିଜ ଅସ୍ତିତ୍ୱ ହରେଇବାକୁ ବସିଛି। ରାତି ପାହିଲେ ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଉତ୍ସ ସାଲୁଙ୍କୀ ନଦୀ ଏବେ ବିପଦରେ। ଏହି ନଦୀ ଦିନକୁ ଦିନ ସଙ୍କୁଚିତ ହୋଇ ବିଲୀନ ହେବାକୁ ବସିଲାଣି। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ଅନାବଶ୍ୟକ କାର୍ଯ୍ୟ ପାଇଁ ମଧ୍ୟ ବ୍ୟୟ ବରାଦ ହେଉଛି। ରାସ୍ତା ଉପରେ ରାସ୍ତା ନିର୍ମାଣ ହେଉଛି ହେଲେ ଘୁ. ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନଦୀ ପ୍ରତି କାହାର ନଜର ନାହିଁ। ଏହି ନଦୀ ଏବେ ଇତିହାସ ହେବାକୁ ବସିଲାଣି। ଲୋପ ହେବାକୁ ବସିଲାଣି ସାଲୁଙ୍କି ନଦୀ।

ଘୁ.ଉଦୟଗିରି ସହର ଦେଇ ଯାଇଥିବା ସାଲୁଙ୍କି ନଦୀ ସଙ୍କୁଚିତ ହେବା ସହ ଏଥିରେ ପ୍ରବାହିତ ଜଳ ଏବେ ଜହର ପାଲଟିଛି। ସାରା ସହରର ନର୍ଦ୍ଦମାର ମଇଳା ଜଳ ସାଲୁଙ୍କି ନଦୀରେ ପ୍ରବାହିତ ହେଉଛି। ସାଲୁଙ୍କି ନଦୀର ଜଳର ରଙ୍ଗ ବଦଳି ଗଲାଣି। କଳା କଳା ପାଣି ପ୍ରବାହିତ ହେଉଛି। ସହର ସାରା ହଜାର ହଜାର ଗରିବ ଲୋକ ଏହି ସାଲୁଙ୍କି ନାଳ ଉପରେ ନିର୍ଭରଶୀଳ। ପ୍ରତ୍ୟେକ ଦିନ ରାତି ପାହିଲେ ଲୋକ ଏହି ନଦୀକୁ ଆସି ନିଜ ନିଜ ନିତ୍ୟକର୍ମ ସାରିଥାନ୍ତି। ହେଲେ ଏବେ ଏହି ନଦୀର ପାଣି ଜହର ପାଲଟିଛି। ଘୁ.ଉଦୟଗିରି ସହରର ୫ନଂ ୱାର୍ଡର କ୍ଳବ ସାହି, ହାଟପଦା ସାହି, ଏମ୍‌ଏମ୍‌ସି ରୋଡ଼ ନୂଆ ହାଟପଦା, ୪ନଂ ୱାର୍ଡର ଶିବମନ୍ଦିର ସାହି, ୩ନଂ ୱାର୍ଡର ତେଲିସାହି, କନ୍ଧସାହି, ଚମ୍ପାସାହି, ୨ନଂ ୱାର୍ଡର ଚୁଆଁ ସାହି, ଶଙ୍ଖସାହି ଏହିଭଳି ବହୁ ସାହି ବାସିନ୍ଦାଙ୍କ ଦୈନନ୍ଦିନ ଜୀବନର ଜୀବନ ରେଖା ପାଲଟିଥିବା ସାଲୁଙ୍କି ନଦୀ ଏବେ ଲୋପ ପାଇବାକୁ ବସିଲାଣି।

ସହରର ସମସ୍ତ ଡ୍ରେନ୍‌ ପାଣି ସିଧାସଳଖ ନାଳରେ ପଡୁଛି। କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ପୋତିହେବାରେ ଲାଗିଲାଣି। ସାଲୁଙ୍କି ନଦୀ କଡେ କଡେ ଘର କରିଥିବା କିଛି ଲୋକ ନିଜ ନିଜ ଶୌଚାଳୟକୁ ଏହି ନଦୀରେ ଖଞ୍ଜି ଦେଇଛନ୍ତି। ଏହା ସହ ଏନ୍‌ଏସି ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ମିତ ଡ୍ରେନ୍‌କୁ ସିଧା ସଳଖ ସାଲୁଙ୍କି ନଦୀରେ ମିଶେଇ ଦିଆଯାଇଛି। ଏହିଭଳି ବେପରୁଆ କାର୍ଯ୍ୟ ଯଦି ଏନ୍‌ଏସି କର୍ତୃପକ୍ଷଙ୍କ ଦ୍ୱାରା କରାଯିବ ତାହାହେଲେ କାହାକୁ କହିବା କିଏ ବୁଝିବ? ଏହାଦ୍ୱାରା ନଦୀର ଜଳ ଜହର ହୋଇସାରିଲାଣି। ସାଲୁଙ୍କି ନଦୀର ପୁନରୁଦ୍ଧାର ପାଇଁ ସ୍ଥାନୀୟ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ନାହିଁ। ସହରର ନର୍ଦ୍ଦମା ପାଣିକୁ ଅନ୍ୟ କେଉଁଠି ପକେଇବା ସହ ଅଳିଆ ଆବର୍ଜନା ସଫା କରିବା ସହ ସାଲୁଙ୍କି ନଦୀର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି। ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସାଲୁଙ୍କି ନଦୀର ପୁନରୁଦ୍ଧାର କରିବାକୁ ଦାବି ହୋଇଛି।

ଦିନ ଥିଲା ଏହି ନଦୀ ଜଳରେ ଏକର ଏକର ଚାଷ ଜମିରେ ଜଳସେଚନ ହୋଇ ବିଭିନ୍ନ କିସମର ଚାଷ ହେଉଥିବା ବେଳେ ବର୍ତମାନ ନଦୀତଟରେ ଥିବା ଚାଷ ଜମି ସବୁ ପଡିଆ ପଡିଛି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଚେକ୍‌ ଡେମ୍‌ ପାର୍ଶ୍ୱ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି ହେଲେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି କାରଣ ଅର୍ଥର ଅଭାବ। ସାଲୁଙ୍କି ନଦୀର ପୁନରୁଦ୍ଧାର ଏବଂ ତାର ରକ୍ଷଣା ବେକ୍ଷଣ ପାଇଁ ସ୍ୱତନ୍ତ ବ୍ୟବସ୍ଥା ପାଇଁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ କାହାର ନଜର ପଡୁନି। ନିର୍ବାଚନ ପରେ ନିର୍ବାଚନ ସରୁଛି ନେତା ପରେ ନେତା ଆସୁଛନ୍ତି ଯାଉଛନ୍ତି ହେଲେ ସାଲୁଙ୍କି ନଦୀ କଥା ଭୁଲି ଯାଉଛନ୍ତି ନିର୍ବାଚିତ ପ୍ରତିନିଧି। କେବେ ଆରମ୍ଭ ହେବ ସାଲୁଙ୍କି ବଂଚାଅ ଅଭିଯାନ ସାଲୁଙ୍କି କିଭଳି ପୁନର୍ଜୀବନ ପାଇଁ ଚିରସ୍ରୋତା ହୋଇପାରିବ ତାହା ଦେଖିବାକୁ ବାକି ରହିଲା। ସମୟ ଥାଉ ଥାଉ ଯଦି ସାଲୁଙ୍କି ବଂଚାଅ ଅଭିଯାନ ଆରମ୍ଭ କରା ନଯାଏ ତାହାହେଲେ ଆଗାମୀ ପିଢ଼ି ପାଇଁ ସାଲୁଙ୍କି ନଦୀ ଇତିହାସ ବହିରେ ବିଷୟ ହୋଇ ରହିଯିବ।