ଭୁବନେଶ୍ୱର: ଗୁରୁବାର ୮ମ ପୋଷଣ ପକ୍ଷ-୨୦୨୬କୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଡ ମୃଣାଳିନୀ ଦର୍ସ୍ୱାଲ ଯୋଗ ଦେଇ ରାଜ୍ୟରେ ‘ସୁପୋଷିତ ଓଡ଼ିଶା’ ଗଠନ ସମ୍ପର୍କରେ କହିଥିଲେ।
ଗୁରୁବାର ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ପୋଷଣ ପକ୍ଷରେ ଶିଶୁର ଜୀବନର ପ୍ରଥମ ୬ ବର୍ଷରେ ମସ୍ତିଷ୍କ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ ମୁଖ୍ୟତଃ ପାଂଚଟି ପ୍ରମୁଖ ଦିଗ ଉପରେ ପର୍ଯ୍ୟବେଶିତ। ମା’ ଓ ଶିଶୁ ପାଇଁ ଉତମ ପୋଷଣ, ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ପ୍ରାରମ୍ଭିକ ଉଦ୍ଦିପନା, ୩-୬ ବର୍ଷର ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା, ମୋବାଇଲ୍ ଓ ଲ୍ୟାପଟପ୍ ଭଳି ସ୍କ୍ରିନ୍ ସମୟ କମାଇବାରେ ଅଭିଭାବକଙ୍କ ଭୂମିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସଶକ୍ତିକରଣଗୁଡିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ସହଯୋଗୀ ବିଭାଗର ଅଧିକାରୀମାନେ ସାମିଲ ହେବା ସହ ସମଗ୍ର ଓଡ଼ିଶାର ଅଙ୍ଗନବାଡ଼ି କର୍ମୀ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆଗାମୀ ୧୫ ଦିନ ଧରି ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରି ଶିଶୁର ସର୍ବାଙ୍ଗୀନ ବିକାଶକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।
Prev Post