ପଂଚାୟତ ନିର୍ବାଚନରେ ବିଜେପି-ବିଜେଡି ଏକାକାର

ବିଜେଡି ଯୋଉ ଗତିରେ ଶିଖରକୁ ଯାଇଥିଲା …

ଭୁବନେଶ୍ୱର: ବିଜେଡି ଯୋଉ ଗତିରେ ଶିଖରକୁ ଯାଇଥିଲା। ତା’ଠାରୁ ଆହୁରି ତୀବ୍ର ଗତିରେ ରସାତଳଗାମୀ ହେଉଛି। ଜଣକ ପରେ ଜଣେ ବିଜେଡି ଛାଡ଼ି ବିଜେପି ଶିବିରକୁ ଖେଦିଗଲେଣି। ବିଜେଡିକୁ ପଙ୍ଗୁ କରିବା ଚକ୍କରରେ ବିଜେପିରେ ମାଳ ମାଳ ଦଳଡ଼ିଆଁ ନେତା। ଏହି ଧାରା ଜାରି ରହିଲେ ଆଉ କିଛି ମାସ ପରେ ମୂଳ ବିଜେପି ଓ ବିଜୁପ୍ରେମୀ ବିଜେପି ଏମିତି ଦୁଇଟି ଗୋଠ ମୁଣ୍ଡ ଟେକିବେ।

ବିଜେଡିକୁ ମୂଳପୋଚ୍ଛ କରିବା ଚକ୍କରରେ ବିଜେପି ଅସ୍ତିତ୍ୱ ହରାଇବ। ଏମିତି ଏକ ଆଲୋଚନା ବାଟରେ ଘାଟରେ ଚାଲିଲାଣି। ବିଜେଡି ଭିତରେ ଗୋଟିଏ ରହସ୍ୟମୟ ବାତାବରଣ। ବିଜେପି ଭିତରେ ଅସଲ ଓ ନକଲି ଆଶଙ୍କା।

ବିଜେପି ମନରେ ଗଭୀର ଆତ୍ମବିଶ୍ୱାସ। ମାତ୍ର ସେହି ଆତ୍ମବିଶ୍ୱାସ ବିଜେପି ପାଇଁ ମହାକାଳ ହୋଇ ମୁଣ୍ଡ ଟେକିଲାଣି। ବିଜେଡି ଅମଳରେ ଯୋଉ ବିଜେପି ନେତାମାନେ ମାଡ଼ ଗାଳି ଅପମାନକୁ ହଜମ କରି ଦଳକୁ ବଂଚାଇ ରଖିଥିଲେ। ସେହିମାନେ ଏବେ ବିଜେପିରେ ଅଲୋଡ଼ା। ଉଦାହରଣ ଭାବରେ ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ ଓ ରବିନ୍ଦ୍ର ଜେନାଙ୍କୁ ନିଆଯାଇପାରେ। ବିଜେପିରେ ରବିନ୍ଦ୍ରଙ୍କ ପ୍ରବେଶ ଫଳରେ ପ୍ରତାପ ଅସୁରକ୍ଷିତ ମଣୁଛନ୍ତି।

ଏବେ ବିଜେଡିରୁ ସସ୍ମିତ ପାତ୍ର ବିଦାୟ ନେବା ଚକ୍କରରେ ଅଛନ୍ତି। ବିଜେଡିର ଦୁର୍ଦ୍ଦିନ ସମୟରେ ସସ୍ମିତ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେବା କେମିତି ଟିକେ ଖାପଛଡ଼ା ଲାଗୁଛି। ସସ୍ମିତଙ୍କ ପରେ ବିଜେଡିର କୋଉ ମହାରଥୀ ସଂସଦୀୟ ଦଳ ନେତା ହେବ, ତାକୁ କେନ୍ଦ୍ର କରି ଆଲୋଚନା ଆରମ୍ଭ ହୋଇଛି। ସଂତୃପ୍ତଙ୍କ ଉପରେ ନବୀନ ପଟ୍ଟନାୟକ ଅଧିକ ଭରସା କରୁଛନ୍ତି। ସଂତୃପ୍ତଙ୍କ ଉପରେ ପାଣ୍ଡିୟାନଙ୍କ ହାତ ରହିଛି। ଅତଏବ ସେ ସଂସଦୀୟ ଦଳର ନେତା ହେବାର ଆଲୋଚନାଟା କ୍ରମେ ଦୃଢ଼ ହେଉଛି। ରାଜ୍ୟସଭାରେ ନବାଗତ ହୋଇଥିବାରୁ ସଂତୃପ୍ତ ଉପର ଠାଉରିଆ ଭାବେ ଓପନର୍‌ ହେବାକୁ ଅରାଜି। ମାତ୍ର ନବୀନ କହିଲେ, ସେ ମନା କରିବେନି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ସସ୍ମିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ସସ୍ମିତଙ୍କ ଇସ୍ତଫା ପରେ ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାମ ଆଲୋଚନା ପରିସରକୁ ଆସିଛି। ସଂତୃପ୍ତଙ୍କ ପୂର୍ବରୁ ମାନସ ମଙ୍ଗରାଜ ପାଣ୍ଡିୟାନଙ୍କ ଚାଟୁକାର ତାଲିକାର ଏକନମ୍ବରରେ ଅଛନ୍ତି। ସଂତୃପ୍ତ କହିଛନ୍ତି, ସଂସଦ ଭିତରେ ଦଳର ନେତା କିଏ ହେବେ, ତାହା ଦଳର ସଭାପତି ନିଷ୍ପତି ନେବେ। ଜଣେ ଅଭିଜ୍ଞ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ। ଶ୍ରୀ ପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ସେ ନିଜ ଇଚ୍ଛାରେ ଏହି ପଦବିରୁ ଇସ୍ତଫା ଦେଇଛନ୍ତି। ସଂସଦରେ ଆମ ଦଳର ଅନ୍ୟ ସାଂସଦମାନଙ୍କର ମଧ୍ୟ ମୋଠାରୁ ଅଧିକ ଅନୁଭୂତି ରହିଛି । ମୋର ସବୁବେଳେ ଭଲ କାମ କରିବା ପାଇଁ ଇଚ୍ଛା ଅଛି । କିନ୍ତୁ କୌଣସି ପଦ ପାଇବା ପାଇଁ ମୋର ବ୍ୟଗ୍ରତା ନାହିଁ। ରାଜ୍ୟସଭା ସାଂସଦ ହେବା ପରେ ମୋର ଆହୁରି ଦାୟିତ୍ୱ ବଢ଼ିଛି । ମୋ ପାଖେ ସମୟ ନାହିଁ । କିନ୍ତୁ ଗଣମାଧ୍ୟମରେ ମୋ ନାମକୁ ନେଇ ଚର୍ଚ୍ଚା ହେଉଛି। କାଳ୍ପନିକ କଥାକୁ ଚର୍ଚ୍ଚା କରି ଗଣମାଧ୍ୟମ ସମୟ ନଷ୍ଟ କରିବା ଉଚିତ୍‌ ନୁହେଁ । ଓଡିଶାର ଅନେକ ସମସ୍ୟା ଅଛି। ଗଣମାଧ୍ୟମ ଗୁଡିକରେ ଓଡିଶାର ଅସଲ ସମସ୍ୟାଗୁଡିକୁ ଲୋକଲୋଚନକୁ ଆଣିବା ଆବଶ୍ୟକ ରହିଛି।

ସେହିପରି ଚଳିତବର୍ଷ ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀକୁ ଜୋରଦାର ଭାବେ ପାଳନ କରିବ ବିଜେଡି। ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ତା’ ପୂର୍ବରୁ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ବାହନାରେ ଦଳ ଶକ୍ତି ପ୍ରଦର୍ଶନ କରିବ। ଲୋକଙ୍କ ଭିତରେ ପୁଣି ବିଜୁ ବାବୁଙ୍କ ପ୍ରତି ଭଲ ପାଇବାକୁ ଜାଗ୍ରତ କରିବ। ଯଦିବା ପୂର୍ବରୁ ପ୍ରତିବର୍ଷ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପାଳନ କରାଯାଉଥିଲା, ମାତ୍ର ଚଳିତବର୍ଷ ଏହାକୁ ବ୍ୟାପକ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ସୂଚନା ଦେଇଛନ୍ତି। ସେଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।