ଘୁ. ଉଦୟଗିରି: ସରକାରଙ୍କ ଅନୁମୋଦିତ ବିକାଶ କାର୍ଯ୍ୟରେ ଅଧସ୍ତନ ଯନ୍ତ୍ରୀ ମାଲାମାଲ୍ ହେଉଥିବା ଦେଖାଯାଇଥିଲା, କିନ୍ତୁ ଅଣବିକଶିତ କନ୍ଧମାଳ ଜିଲ୍ଲାରେ ଅନୁମୋଦିତ କାମ ସମ୍ପର୍କରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ‘ନିରୋଳା ମିଛ’ ଲେଖାଯାଇଛି। ରଟିଙ୍ଗିଆ ପଂଚାୟତର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀରାମପଦା ଛକ ମୁଖ୍ୟ ସଡକ ଠାରୁ ଗ୍ରେସିଙ୍ଗିଆ ମୁଖ୍ୟ ସଡକ ଭାୟା ରଟିଙ୍ଗିଆ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ ବର୍ଷ ପୂର୍ବର ରାସ୍ତାକୁ ଦେଖାଇ ଚଳିତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି।
ସୂଚନାନୁସାରେ, ୫ ବର୍ଷ ତଳେ ନିର୍ମାଣ କରାଯାଇଥିବା ସଡକ ଇତିମଧ୍ୟରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯାତାୟାତ ନିମନ୍ତେ ପ୍ରାୟତଃ ଅନୁପଯୁକ୍ତ ହୋଇଛି। ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରିଛନ୍ତି। ଅନୁରୋଧକୁ କର୍ଣ୍ଣପାତ ନକରିବାରୁ ଆନ୍ଦୋଳନର ଧମକ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ, କିନ୍ତୁ ଏଥିରେ ପ୍ରଶାସନ ମଧ୍ୟ ଚେତି ନଥିଲା।
ଜନୈକ ଯୁବ ସମାଜସେବୀ ମୁଖ୍ୟମନ୍ତ୍ରୀ ଜନଶୁଣାଣି ପୋର୍ଟାଲ୍କୁ ଲିଖିତ ଅଭିଯୋଗ କରିଥିଲେ। କିଛିଦିନ ପରେ ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଲିଖିତ ଉତର ଆସିଲା ଶ୍ରୀରାମପଦା ଠାରୁ ଗ୍ରେସିଙ୍ଗିଆ ରାସ୍ତା ଭାୟା ରଟିଙ୍ଗିଆ ରାସ୍ତା ମରାମତି କାର୍ଯ୍ୟ ଚାଲିଛି ଉକ୍ତ କାର୍ଯ୍ୟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସରିବାର ଆଶା କରାଯାଉଛି। ପ୍ରଶ୍ନ ଉଠୁଛି ଉକ୍ତ କାର୍ଯ୍ୟ ମୂଳରୁ ଆରମ୍ଭ ହୋଇନି କିଭଳି ବିଭାଗୀୟ ଅଧିକାରୀ ଚାଲିଛି ସରିବା ତାରିଖ ଲେଖି ଜଣେଇଦେଲେ। ଏଥିରୁ ସ୍ପଷ୍ଟ ବାରି ହେଉଛି କାଗଜ କଲମରେ ଚାଲିଛି ବିକାଶ।
ଅଧୀକ୍ଷଣ ଯନ୍ତ୍ରୀଙ୍କ ଏଭଳି ସ୍ପଷ୍ଟୀକରଣରେ ଅଂଚଳବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ରାସ୍ତା କାମର ନାଁ ଗନ୍ଧ ନାହିଁ, କିନ୍ତୁ କାଗଜ କଲମରେ ଆରମ୍ଭ ହୋଇ ସାରିବାକୁ ବସିଲାଣି। ଏହିଭଳି ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।
ଜଣେ ବିଜେଡି ନେତା କହିଛନ୍ତି, ଯେମିତି ମନ୍ତ୍ରୀକୁ ସେମିତି ଯନ୍ତ୍ରୀ। ମନ୍ତ୍ରୀ ବିକାଶ ଆଳରେ ଦଳ ପାଇଁ ପାଣ୍ଠି ସଂଗ୍ରହ କରିବା ଚକ୍କରରେ ଯନ୍ତ୍ରୀଙ୍କୁ ଅମାପ କ୍ଷମତା ପ୍ରଦାନ କରିଛନ୍ତି।